ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ରାଜସ୍ଥାନରେ ଦାଖଲ କଲେ ପ୍ରାର୍ଥୀପତ୍ର

236

କନକ ବ୍ୟୁରୋ: ପୁଣି ରାଜ୍ୟସଭାକୁ ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ରାଜସ୍ଥାନରୁ ଖାଲିପଡିଥିବା ରାଜ୍ୟସଭା ଆସନ ଉପନିର୍ବାଚନ ପାଇଁ ଆଜି ଜୟପୁରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା । ରାଜସ୍ଥାନରୁ ବିଜେପି ରାଜ୍ୟସଭା ସାଂସଦ ମଦନଲାଲ ସାଇନଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଥିଲା । ତେବେ ବିଜେପି ଏହି ଆସନ ପାଇଁ ପ୍ରାର୍ଥୀ ଦେଇନାହିଁ ।

କାରଣ ରାଜସ୍ଥାନରେ କଂଗ୍ରେସ ନିକଟରେ ୧୦୦ ବିଧାୟକଙ୍କ ସହ ୧୨ ସ୍ୱାଧୀନ ଓ ୬ବିଏସପି ବିଧାୟକଙ୍କ ସମର୍ଥନ ରହିଛି । ଅନ୍ୟପଟେ ବିଜେପି ନିକଟରେ ରହିଛନ୍ତି ମାତ୍ର ୭୩ ଜଣ ବିଧାୟକ । ତେଣୁ ମନମୋହନ ରାଜ୍ୟସଭାକୁ ଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଜୁନ୍ ମାସରୁ ମନମୋହନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଏହା ପୂର୍ବରୁ ସେ ଆସାମରୁ ରାଜ୍ୟସଭାକୁ ଯାଇଥିଲେ । କିନ୍ତୁ ଏବେ ତାଙ୍କୁ ପୁଣି ଆସାମରୁ କଂଗ୍ରେସ ଟିକେଟରେ ରାଜ୍ୟସଭାକୁ ପଠାଇବା ସମ୍ଭବ ନହେବା ଜାଣି ରାଜସ୍ଥାନରୁ ପଠାଇବାକୁ ନିଷ୍ପତି ନେଇଛି ଦଳ ।