ପୂରିଲା ଟାର୍ଗେଟ କିନ୍ତୁ ଆସୁନାହାନ୍ତି ମିଲର୍ସ । ଟୋକନ ଥାଇ ବି ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ, ଚିନ୍ତାରେ ଶହ ଶହ ଚାଷୀ

ଆଶା ଆଶଙ୍କାରେ ସମ୍ବଲପୁର ଜମନକିରାରେ ଚାଷୀକୂଳ

241

କନକ ବ୍ୟୁରୋ: ପୁରିଗଲା ଟାର୍ଗେଟ । ଆସୁନାହାଁନ୍ତି ମିଲର୍ସ । ଖୋଲା ଆକାଶ ତଳେ ମଣ୍ଡିରେ ପଡିଛି ହଜାର ହଜାର ପ୍ୟାକେଟ ଧାନବସ୍ତା । ଆଶା ଆଶଙ୍କାରେ ସମ୍ବଲପୁର ଜମନକିରାରେ ଚାଷୀକୂଳ । ଧାନ ଅମଳ ସରି ଏବେ ବିକ୍ରି ର ସମୟ । ସେଥିପାଇଁ ସରକାର ମଣ୍ଡି ମାଧ୍ୟମରେ ସରକାରୀ ମୁଲ୍ୟରେ ଚାଷୀଙ୍କଠାରୁ କିଣୁଛନ୍ତି ଧାନ । ହେଲେ ଧାନ ବିକିବାକୁ ଟୋକନ ନ ପାଇବା ଯୋଗୁଁ ବିକ୍ରି କରିବାରେ ବହୁ ଅସୁବିଧାର ସାମ୍ନା କରିଛନ୍ତି । ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ମଣ୍ଡିରେ ପଡିଥିବା ଦେଖିବାକୁ ମିଳିଛି । ଏବେ ସରକାର କରିଥିବା ଟାର୍ଗେଟ ପୁରଣ ହୋଇଯାଇଥିବା କହି ଧାନ କିଣିବାକୁ ଆଉ ମଣ୍ଡିକୁ ମିଲର୍ସ ଆସୁନାହାଁନ୍ତି । ତେବେ ଗୋଟିଏ ଲ୍ୟାମ୍ପସ୍ ଅଧିନରେ ଥିବା ୬ଟି ମଣ୍ଡିରେ ୪୯ ହଜାର ୯୫୯ ପ୍ୟାକେଟ ଧାନ କିଭଳି ବିକ୍ରି ହେବ ସେନେଇ ଚିନ୍ତାରେ ପଡିଛନ୍ତି ପ୍ରାୟ ୪ ଶହ ଚାଷୀ ।

କେତେବେଳେ ଟୋକନ ପାଇଁ ସମସ୍ୟା ତ କେତେବେଳେ ଧାନ ନ ଉଠିବାକୁ ନେଇ ସମସ୍ୟା । ଆଉ କେତେବେଳେ କଟନି ଛଟନି ତ ଆଉ କେତେବେଳେ ଦଲାଲର ଦାଦାଗିରି । ତେବେ ଏ ସବୁ ସମସ୍ୟା ଭିତରେ ଜୁଝି ହେଉଥିବା ଚାଷୀ ଏବେ ଧାନ ବିକ୍ରିକୁ ନେଇ ସବୁଠାରୁ ବଡ ସମସ୍ୟା ଭିତରେ ପଡିଛି । ଯେତେ ବେଳେ ଧାନ ବିକିବା ପାଇଁ ବାହାରିଥିଲା ସେତେବେଳେ ଟୋକନ ପାଇନଥିଲା । ଏବେ ଟୋକନ ଅଛି ଧାନ ବି ଅଛି ହେଲେ କିଣିବାକୁ କେହିନାହାଁନ୍ତି । କାରଣ ମିଲର୍ସ ପାଇଥିବା ଟାର୍ଗେଟ ଏବେ ପୁରଣ ହୋଇଯାଇଥିବା ବେଳେ ଆଉ ଧାନ ନେବାକୁ ମଣ୍ଡିକୁ ଆସୁନାହାଁନ୍ତି । ଫଳରେ ଗତ ୬ ତାରିଖରୁ ଦୀର୍ଘ ଦିନ ହେବ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶିମାଲ ଲ୍ୟାମ୍ପସ୍ ଅଧିନ ଗୁଣ୍ଡୁରୁଚୁଆଁ ମଣ୍ଡିରେ ୯୭ ଜଣ ଚାଷୀଙ୍କର ୧୩,୨୩୮ ପ୍ୟାକେଟ, ଫାଶିମାଲ ମଣ୍ଡିରେ ୬୨ଜଣ ଚାଷୀଙ୍କ ୬୧୬୭ ପ୍ୟାକେଟ , କେନାଢିପା ମଣ୍ଡିରେ ୧୩୯ ଜଣ ଚାଷୀଙ୍କ ୧୯,୯୮୦ ପ୍ୟାକେଟ , ଢୁଡିପାଲି ମଣ୍ଡିରେ ୩୫ ଜଣ ଚାଷୀଙ୍କ ୪,୮୦୦ ପ୍ୟାକେଟ , ଚକୁଲିଆବାହାଲ ମଣ୍ଡିରେ ୧୦ ଜଣ ଚାଷୀଙ୍କ ୨,୦୫୩ ପ୍ୟାକେଟ , ମେଣ୍ଢାବାହାଲ ମଣ୍ଡିରେ ୫୩ ଜଣ ଚାଷୀଙ୍କ ୩,୭୨୧ ପ୍ୟାକେଟ ଧାନ ଖୋଲା ଆକାଶ ତଳେ ପଡିରହିଛି । ଆଗରୁ ଏହି ମଣ୍ଡିରେ ଧାନ କିଣିବାକୁ ୩୬ ଜଣ ମିଲର୍ସ ଆସୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୮୧,୮୪୦ କ୍ୱିଟାଂଲ ଧାନ କିଣି ସାରିଛନ୍ତି ।

ଅଂଚଳର ଚାଷୀଙ୍କ ଏଭଳି ଉତ୍କଟ ସମସ୍ୟା ନେଇ ଫାଶିମାଲ ଲ୍ୟାମ୍ପର ଏମଡିଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଶାଖା ପରିଚାଳକ କହିଛନ୍ତି ଆମେ ଏସବୁ ସମସ୍ୟା ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇ ଦେଇଛୁ । ଧାନ ମଣ୍ଡିରେ ପଡିରହିଥିବାରୁ ଚାଷୀଙ୍କ ଅନେକ ସମସ୍ୟା ହେଉଛି । ଚାଷୀ ଆମକୁ ଧାନ ଉଠିବାକୁ ନେଇ ଟାର୍ଗେଟ ବଢାଇବାକୁ ଜଣାଇଛନ୍ତି । ହେଲେ ସରକାର ଚାହିଁଲେ ମିଲର୍ସ ଆସି ଧାନ ଉଠାଇପାରିବା ନେଇ ନିଜେ ଅଧିକାରୀ ମତ ଦେଇଛନ୍ତି । ତେବେ ସରକାର ଯଥାଶୀଘ୍ର ମଣ୍ଡିରେ ପଡିଥିବା ହଜାର ହଜାର କ୍ୱିଟାଂଲ ଧାନ ଉଠାଇବାପାଇଁ ବ୍ୟବସ୍ଥା କରିବା ସହ ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବାପାଇଁ ସାଧାରଣରେ ଦାବି ହେଉଛି ।