ପ୍ରତିଦିନ ଟ୍ରାଫିକ ଜାମ ଦେଉଥିଲା ଟେନସନ୍, ଭିଡରୁ ରକ୍ଷା ପାଇଁ ସ୍ୱଦେଶୀ ଢଙ୍ଗରେ ପ୍ରସ୍ତୁତ କଲେ ହେଲିକପ୍ଟର ।

455

କନକ ବ୍ୟୁରୋ : ଟ୍ରାଫିକ୍ ଟେନସନ୍ । ଦୁନିଆ ଯେତିକି ଆଗକୁ ବଢୁଛି, ଗାଡି ମୋଟର ସଂଖ୍ୟା ମଧ୍ୟ ଅଧିକ ବଢି ବଢି ଚାଲିଛି । ଯେଉଁଥିପାଇଁ ରାସ୍ତାରେ ଅଧିକାଂଶ ସମରେ ଟ୍ରାଫିକ୍ ଜାମ୍ ହୋଇଥାଏ । ଏକା ସଙ୍ଗେ ଅତ୍ୟଧିକ ଗାଡି ଗୋଟିଏ ସ୍ଥାନରେ ଜମା ହୋଇଯିବାରୁ, ଯିବା ଆସିବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଆପଣ ଏକ ଜରୁରୀ କାମରେ ଯାଉଛନ୍ତି, ଆଉ ସେହି ସମୟରେ ଟ୍ରାଫିକ୍ ଜାମ୍ ହୋଇଯାଏ, ତେବେ ଆପଣ ଚିନ୍ତାରେ ପଡିଥାନ୍ତି ।

ତେବେ ଯେତେବେଳେ ବି ଆପଣ ଟ୍ରାଫିକ୍ ଜାମରେ ଫସିଥାନ୍ତି, ସେତେବେଳେ ମନରେ ଏମିତି କିଛି ଆଶା ଆସିଥାଏ, ଯେ କେମିତି ଏହି ସ୍ଥାନରୁ ଉଡି ଚାଲିଯିବାପାଇଁ । ଆଉ ଯେତେବେଳେ ଏମତି କିଛି ଚିନ୍ତାଧାରା ଇଣ୍ଡୋନେସିଆର ଜକାର୍ତାରେ ରହୁଥିବା ଜୁଜୁନ୍ ଜୁନୈଦୀଙ୍କ ମୁଣ୍ଡରେ ଆସିଥିଲା, ସେତେବେଳେ ସେ ଭିଡରୁ ରକ୍ଷା ପାଇବା ପାଇଁ ନିଜର ଏକ ହେଲିକପ୍ଟର ପ୍ରସ୍ତୁତ କରିଛନ୍ତି ।

ଦେଖିଲେ ତ ଏହି ହେଲିକପ୍ଟରକୁ । ଜୁଜୁନଙ୍କ କହିବା କଥା, ପ୍ରତିଦିନ ରାସ୍ତାରେ ଟ୍ରାଫିକ୍ ଜାମରେ ଫସି ସେ ବିରକ୍ତ ହୋଇଯାଇଥିଲେ । ଯେଉଁଥିପାଇଁ ସେ ନିଷ୍ପତି ନେଇଥିଲେ ଯେ, ନିଜର ଏକ ହେଲିକପ୍ଟର ବନାଇବେ ଆଉ ସେଥିରେ ଉଡିବେ । ତେବେ ଜୁଜୁନ ହେଉଛନ୍ତି ଜଣେ ଗାଡି ମେକାନିକ୍ । ସେ ଗତ ୧୮ ମାସ ପୂର୍ବରୁ ହେଲିକପ୍ଟର ବନାଇବା ଆରମ୍ଭ କରିଥିଲେ । ଆଉ ଏଥିପାଇଁ ଏପର୍ଯ୍ୟନ୍ତ ସେ ପାଖାପାଖି ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ଏହି ହେଲିକପ୍ଟରର ଲମ୍ବା ୨୬ ଫୁଟ୍ ହୋଇଥିବା ବେଳେ ଏହା ପେଟ୍ରୋଲରେ ଉଡିବ । ଆଉ ଏଥିରେ ୭୦୦ ସିସିର ୨୩ ହାଇପାୱାରର ଜେନେରେଟର ଲଗାଯାଇଛି । ତେବେ ଏପର୍ଯ୍ୟନ୍ତ ଏହାର ଉଡାଣ ନେଇ ପରୀକ୍ଷା କରାଯାଇନାହିଁ । କିନ୍ତୁ ଜୁଜୁନ୍ ଆଶା ରଖିଛନ୍ତି ଯେ, ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ସେ ହେଲିକପ୍ଟର ଉଡାଇପାରିବେ । ଆଉ ତାଙ୍କର ଏଭଳି ପ୍ରୟାସକୁ ଅନେକାଂଶରେ ପ୍ରଂଶସା କରାଯାଇଛି ।