କନକ ବ୍ୟୁରୋ: ଦିନେ ପୁଅର କାନ୍ଦ ଶୁଣି ରହି ପାରୁନଥିଲା ମାଆ । କୁନି ପୁଅ ରାହା ଛାଡି କାନ୍ଦିଲେ ସବୁ କାମ ଛାଡି ଧାଇଁ ଆସୁଥିଲା ମାଆ । ହେଲେ ଆଜି, ମାଆର ବୁକୁଫଟା ଚିତ୍କାର ଶୁଣି ପାରୁନି ପୁଅ । ବାହୁନି ବାହୁନି ଯେତେ କାନ୍ଦିଲେ ବି ଜମା ଫେରୁନି ପୁଅ... କାରଣ ତା ପୁଅ ସବୁଦିନ ପାଇଁ ଶୋଇଯାଇଛି... ଚାକିରି କରିବାକୁ ଯାଇଛି ଅଧା ରାସ୍ତାରେ ରହିଯାଇଛି ପୁଅ ରାଜେନ୍ଦ୍ର...

Advertisment

ଚାକିରି ପୂର୍ବରୁ ଚାଲିଯାଇଛି ଜୀବନ । ନୂଆ ଚାକିରିରେ ଯୋଗ ଦେବାକୁ ଯାଉଥିବା ବେଳେ ଅଧା ବାଟରେ ଲିଭିଯାଇଛି ଜୀବନ ଦୀପ । ଭଦ୍ରକ ଦୋଳସାହି ଶାସନର ରାଜେନ୍ଦ୍ର ସାହୁଙ୍କ ଆକସ୍ମିକ ମୃତ୍ୟୁ ପରେ ଅବାକ ହୋଇଛନ୍ତି ବାପା । ଭାଙ୍ଗି ପଡିଛ ପୂରା ପରିବାର । ପୁଅର ମୃତ୍ୟୁ ଖବର ପରିବାରର ପାଦ ତଳୁ ମାଟି ଖସାଇଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଖେଳାଇ ଦେଇଛି ଶୋକର ଛାୟା ।

ଢେଙ୍କାନାଳ ଜିଓ କମ୍ପାନୀରେ ଆସିଷ୍ଟାଣ୍ଡ ମ୍ୟାନେଜର ଭାବେ ଯୋଗ ଦେବାକୁ ଗୁରୁବାର ଭୋରୁ ଭୋରୁ ଘରୁ ବାହାରି ଯାଇଥିଲେ ରାଜେନ୍ଦ୍ର । ମନ୍ଦିରରେ ମୁଣ୍ଡିଆ ମାରି ନିଜ ସାଙ୍ଗ ସହ ଯିବା ବେଳେ ଘରଠୁ କିଛି ଦୂର ଏକ ଟ୍ରକ ସହ ଧକ୍କା ହୋଇଥିଲା ।

ତେବେ କୁହୁଡି ପାଇଁ କିଛି ଦିଶୁ ନଥିବାରୁ ଦୁଇ ସାଙ୍ଗଙ୍କ ଉପରେ ଚଢିଯାଇଥିଲା ଟ୍ରକ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗ ନିରଞ୍ଜନ ଗୁରୁତର ହୋଇଥିଲେ । ତେବେ ଚାକିରି କରି ପରିବାରର ଦୁଃଖ ଦୂରାଇବାକୁ ସ୍ୱପ୍ନ ଦେଖିଥିବା ରାଜେନ୍ଦ୍ର ସବୁଦିନ ପାଇଁ ପରିବାର ଠାରୁ ଦୂରେଇ ଯିବା ପରେ ଗାଁ ମଶାଣିରେ କରାଯାଇଛି ଦାହ ସଂସ୍କାର ।