ମମତା ମାନିଲେ ଡାକ୍ତରଙ୍କ ଦାବି: ପ୍ରତ୍ୟାହାର ହେବ ଆନ୍ଦୋଳନ । ସବୁ ମେଡିକାଲରେ ରହିବେ ନୋଡାଲ ପୋଲିସ

ସରକାରୀ ମେଡିକାଲରେ ଖୋଲା ହେବ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ

312

କନକ ବ୍ୟୁରୋ: ପଶ୍ଚିମବଙ୍ଗରୁ ଆସିଲା ବଡ ଖବର । ଡାକ୍ତର ଓ ମମତା ସରକାର ମଧ୍ୟରେ ଚାଲିିଥିବା ଝଗଡାରେ ପଡିଲା ଯବନିକା । ଖୁବଶୀଘ୍ର ଆନ୍ଦୋଳନ ପ୍ରତ୍ୟାହାର କରିବେ ଡାକ୍ତର । ସାତଦିନ ଧରି ଜିଦରେ ଥିବା ଡାକ୍ତର ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ ଜୁନିୟର ଡାକ୍ତର ଧର୍ମଘଟରୁ ଓହରୁଥିବା ସୂଚନା ଦେଇଛନ୍ତି ।

ତେବେ ଡାକ୍ତରଙ୍କ ଦାବି ମାନିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଛି । ଡାକ୍ତରଙ୍କ ଦାବି ଅନୁସାରେ ସବୁ ସରକାରୀ ମେଡିକାଲରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ରହିବ । ଡାକ୍ତରଙ୍କ ଦାବି ଓ ସମସ୍ତ ଅଭିଯୋଗ ଶୁଣାଣି ପାଇଁ ପ୍ରତି ମେଡିକାଲରେ ଏହି ପ୍ରକୋଷ୍ଠ କରିବାକୁ ରାଜି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା । ଏହା ଛଡା କୋଲକାତା ପୋଲିସ କମିଶନର ଅନୁଜ ଶର୍ମାଙ୍କୁ ନୋଡାଲ ପୋଲିସ ଅଫିସର ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମମତା । ଏଣିକି ପ୍ରତି ମେଡିକାଲରେ ନୋଡାଲ ପୋଲିସ ଅଫିସର ରହିବେ ବୋଲି ମମତା କହିଛନ୍ତି ।

ପଶ୍ଚିମବଙ୍ଗର ୨ ଡାକ୍ତରଙ୍କ ମାଡ ପ୍ରତିବାଦରେ ସାରା ଦେଶରେ ଧର୍ମଘଟ କରିଥିଲେ ଡାକ୍ତର । ଡାକ୍ତରଙ୍କ ଆନ୍ଦୋଳନ ପାଇଁ ଦେଶବ୍ୟାପୀ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇଥିଲା । ଦୀର୍ଘ ୭ ଦିନ ଧରି ରୋଗୀ ସେବା ଠପ ହୋଇ ଯିବା କାରଣରୁ ରୋଗୀ ଦହଗଞ୍ଜ ହୋଇଛନ୍ତି ।

ତେବେ ଶେଷରେ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ରାଜ୍ୟର ମୋଟ ୧୪ଟି ମେଡିକାଲ କଲେଜ ସହ ଆଲୋଚନା କରିଥିଲେ । ସମସ୍ୟା ବାବଦରେ ଆଲୋଚନା ପାଇଁ ମମତା ସଚିବାଳୟକୁ ଡାକ୍ତର ପ୍ରତିନିଧିଙ୍କୁ ଡାକିିଥିଲେ ହେଲେ ଡାକ୍ତର ଆଲୋଚନା ପାଇଁ ଯାଇନଥି୍ଲେ । ପରେ ମମତା ସେମାନଙ୍କ ସହ କଥା ହେବାକୁ ବାହାରିଥିଲେ ମାତ୍ର୍ ପରବର୍ତ୍ତୀ ମୁହୂର୍ତ୍ତରେ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ କରି ପ୍ରେସମିଟରେ ଡାକ୍ତରଙ୍କ ଦାବି ସରକାର ମାନିନେଇ ଥିବା କଥା କହିଥିଲେ ।