ରାହୁଲଙ୍କ ଇସ୍ତଫା ପରେ କଂଗ୍ରେସରେ କମ୍ପନ ! ଓଡ଼ିଶା କଂଗ୍ରେସରେ ହେବ ଆମୂଳଚୁଳ ପରିବର୍ତ୍ତନ ।

268

କନକ ବ୍ୟୁରୋ: କଂଗ୍ରେସରେ କମ୍ପନ । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବାପରେ ଏବେ ରାଜ୍ୟ କଂଗ୍ରେସରେ ମଧ୍ୟ କମ୍ପନ ସୃଷ୍ଟି ହୋଇଛି । ଆଗକୁ ପ୍ରଦେଶ କଂଗ୍ରେସରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି । ଏପରିକି ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ସାଂଗଠନିକ କ୍ଷେତ୍ରରେ ଆମୂଳଚୁଳ ପରିବର୍ତ୍ତନ ହେବ ବୋଲି କହିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ।

ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରିଥିଲେ । ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପରାଜୟକୁ ନେଇ ବାରମ୍ବାର ପୋଷ୍ଟମର୍ଟମ କରୁଛି କଂଗ୍ରେସ । ଆଉ ପୁଣି ‘ହାତ’କୁ ବଳ ଦେବାପାଇଁ ଲୋକଙ୍କ ପାଖକୁ କଂଗ୍ରେସ ଯିବାକୁ ଉଦ୍ୟମ କରୁଛି କଂଗ୍ରେସ । ତେଣୁ ନୂଆ ମୁହଁଙ୍କୁ କଂଗ୍ରେସର ତୃଣମୂଳ ସାଂଗଠନିକ ଦାୟିତ୍ୱ ଦେବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ।

ସେପଟେ ୧୯ ଯୁଦ୍ଧରେ ମାତ୍ର ଗୋଟିଏ ଲୋକସଭା ଆସନକୁ ‘ହାତ’କୁ ଆଣିପାରିଛି କଂଗ୍ରେସ । ତେଣୁ ଫଳାଫଳର ଗୋଟିଏ ଦିନ ପରେ ପିସିସି ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ ନିରଞ୍ଜନ ପଟ୍ଟନାୟକ । କାରଣ ଘଷିପୁରା ଏବଂ ଭଣ୍ଡାରୀ ପୋଖରୀ ଭଳି ଦୁଇଟି ବିଧାନସଭା ଆସନରୁ ପରାଜିତ ହୋଇଥିଲେ ନିରଞ୍ଜନ । ଏହାପରେ ରାଜ୍ୟ କଂଗ୍ରେସରେ ସତେ ଯେମିତି ‘ହାତ’ ଦୁର୍ବଳ ହୋଇପଡ଼ିଛି । ସେପଟେ ଜାତୀୟ କଂଗ୍ରେସରେ ମଧ୍ୟ କିଏ ଅଧ୍ୟକ୍ଷ ପଦ ସମ୍ଭାଳିବ ସେନେଇ ଅଙ୍କ ଛିଡିବା ପରେ ହିଁ ରାଜ୍ୟ କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି ।