ଶୈଳଜା ମର୍ଡର ମିଷ୍ଟରୁ ହଟିଲା ପରଦା ! ପ୍ରେମ ପାଇଁ ବନ୍ଧୁପତ୍ନୀଙ୍କୁ ହତ୍ୟା କରିଥିଲେ ମେଜର, ଜାଣନ୍ତୁ କେମିତି ରଚିଥିଲେ ହତ୍ୟାକାଣ୍ଡ ।

26

କନକ ବ୍ୟୁରୋ : ପରକୀୟା ପ୍ରିତିରୁ ହତ୍ୟାକାଣ୍ଡ  । ଦିଲ୍ଲୀରେ ମେଜରଙ୍କ ପତ୍ନୀଙ୍କୁ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି । ଦିଲ୍ଲୀ କ୍ୟାଣ୍ଟନମେଂଟ୍ ଅଞ୍ଚଳରେ ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜା ଦ୍ୱିବେଦୀ ପରକୀୟା ପ୍ରୀତି ସମ୍ପର୍କ ଜାରି ରଖିବାକୁ ମନା କରିବାରୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ହତ୍ୟାକାରୀ ମେଜର ହାଣ୍ଡା । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ୪ଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୁଲିସ । ଶେଷ ଫୋନ୍ କଲ ଆଧାରରେ ସନ୍ଦିଗ୍ଧ ବନିଥିବା ହାଣ୍ଡାଙ୍କୁ ମିରଟରୁ ଗିରଫ କରିବା ପରେ ସବୁ ଘଟଣା ପଦାକୁ ଆସିଛି ।

ସୂଚନା ଅନୁସାରେ ନାଗାଲାଣ୍ଡରେ ପୋଷ୍ଟିଂ ବେଳେ ମେଜର ଦ୍ୱିବେଦୀଙ୍କ ପତ୍ନୀ ଶୈଳଜାଙ୍କ ସହ ମେଜର ହାଣ୍ଡାଙ୍କ ଅନୈତିକ ପ୍ରେମ ସମ୍ପର୍କ ରହିଥିଲା । ପରେ ଅମିତଙ୍କ ଦିଲ୍ଲୀ ବଦଳି ହେବା ପରେ ଶୈଳଜା ମଧ୍ୟ ଦିଲ୍ଲୀ ଚାଲିଆସିଥିଲେ ଏବଂ ମେଜର ହାଣ୍ଡାଙ୍କ ସହ ପ୍ରେମ ସମ୍ପର୍କ ରଖିବା ପାଇଁ ମନା କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ଶୈଳଜାଙ୍କୁ ମେଜର ହାଣ୍ଡା ହତ୍ୟା କରିଥିବା ସେ ସ୍ୱିକାର କରିଛନ୍ତି ।

ଶୈଳଜାଙ୍କ ପତି ଅମିତଙ୍କ ସହ ଦିଲ୍ଲି ଚାଲିଆସିବାପରେ ଚିକିତ୍ସା ଆଳ ଦେଖାଇ ମେଜର ହାଣ୍ଡା ବି ଦିଲ୍ଲୀ ଆସିଥିଲେ । ଦିଲ୍ଲୀରେ ପହଂଚି ନିଜ ଯୋଜନାକୁ ସଫଳ କରିବାକୁ ଅପେକ୍ଷା କରିଥିଲେ ସୁଯୋଗକୁ । ଶୈଳଜା ଫିଜିଓଥେରାପି ପାଇଁ ଦିଲ୍ଲୀ କ୍ୟାଂଟନମେଂଟ ସ୍ଥିତ ସେନା ହସ୍ପିଟାଲକୁ ଯାଇଥିବା ବେଳେ ତାଙ୍କୁ ବୁଲାଇବାକୁ କହି ନିଜ ଗାଡିରେ ନେଇଯାଇଥିଲେ ମେଜର ହାଣ୍ଡା । ବାଟରେ ଶୈଳଜାଙ୍କୁ ଗଳାକାଟି ହତ୍ୟା କରିବା ପରେ ରାସ୍ତାରେ ଫିଙ୍ଗି ଗାଡି ଚଢାଇ ଦେଇଥିଲେ ।

ହତ୍ୟାକାଣ୍ଡ ଭିଆଇ ମିରଟ ଫେରାର ହୋଇଯାଇଥିଲେ ମେଜର ହାଣ୍ଡା । ତେବେ ଶୈଳଜାଙ୍କୁ କରାଯାଇଥିବା ଶେଷ ଫୋନକଲ ଆଧାରରେ ପୁଲିସ ମେଜର ନିଖିଲ ହାଣ୍ଡାଙ୍କ ଉପରେ ସନ୍ଦେହ କରିଥିଲା । ହସ୍ପିଟାଲରେ ବି ଶୈଳଜାଙ୍କ ସହ ନଜର ଆସିଥିଲେ ହାଣ୍ଡା । ତେବେ ମିରଠରେ ଥିବା ସମୟରେ ରବିବାର ଦିନ ମାତ୍ର ୫୮ ସେକେଣ୍ଡ ପାଇଁ ଫୋନ୍ ଅନ୍ କରିଥିଲା ଅଭିଯୁକ୍ତ । ବାସ୍ ଏହାପରେ ତାଙ୍କୁ କବଜାକୁ ନେଇଥିଲା ପୁଲିସ । ତାଙ୍କୁ ଗିରଫ କରିବା ପରେ ସେ ଦୋଷ ସ୍ୱୀକାର କରିଥିବା ପୁଲିସ କହିଛି । ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜା କୌଣସି ସେଲିବ୍ରିଟିଙ୍କ ଠାରୁ କମ୍ ନଥିଲେ । ସବୁବେଳେ ଖୁସି ରହୁଥିବା ଅମୃତସରର ମୂଳ ବାସିନ୍ଦା ଶୈଳଜା ମିର୍ସେସ ଇଣ୍ଡିଆ ଆର୍ଥର ଫାଇନାଲିଷ୍ଟ ଥିଲେ । ଯୋଗ କରିବାକୁ ଭଲ ପାଉଥିବା ଶୈଳଜା ସମାଜସେବାରେ ବି ସମୟ ଅତିବାହତି କରୁଥିଲେ ।