ଉଠିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ଶିବମନ୍ତ୍ରରେ କମ୍ପିଲା ଏକାମ୍ର କ୍ଷେତ୍ର, ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ ।

358

କନକ ବ୍ୟୁରୋ : ଉଠିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ଶିବମନ୍ତ୍ରରେ କମ୍ପିଲା ଏକାମ୍ର କ୍ଷେତ୍ର, ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ । ଯାହା ଆଶା କରାଯାଉଥିଲା, ତାହା ହିଁ ହୋଇଛି। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଏଥର ମଧ୍ୟ କୌଣସି କେଁ ଦେଖିବାକୁ ମିଳିନାହିଁ । ଉପଯୁକ୍ତ ସମନ୍ଵୟ ଯୋଗୁଁ ରାତି ୯ଟା ୪୫ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଛି । ଏହା ପୂର୍ବରୁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ମନ୍ଦିରରେ ବେଢ଼ା ପରିକ୍ରମା କରାଯାଇଥିଲା । ସେହିପରି ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ ଉଜାଗର ରହି ଜାଗର ଜାଳିଥିଲେ । ଏଥି ସହ ସମସ୍ତେ ମହାଦୀପକୁ ଅପେକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ କିଛି ଭକ୍ତ ମୌନ ବ୍ରତ ରଖିଥିଲେ । ତେବେ ୧୫ ମିନିଟ୍‌ ପୂର୍ବରୁ ମହାଦୀପ ଉଠିଲା । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଆଜି ଏଭଳି ଏକ ପଦକ୍ଷେପକୁ ଅନେକ ଐତିହାସିକ ବୋଲି କହିଛନ୍ତି ।

ସମଗ୍ର ଏକାମ୍ର କ୍ଷେତ୍ର ଆଜି ଲୋକାରଣ୍ୟ ହୋଇଥିଲା । ଗଗନ ପବନରେ ସଞ୍ଚରି ଯାଉଥିଲା ଶିବ ପଞ୍ଚାକ୍ଷରୀ । ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଲମ୍ବିଥିଲା ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି । ରାତି ୩ଟାରୁ ବିଳମ୍ବିତ ରାତି ଯାଏଁ ଲୋକାରଣ୍ୟ ପାଲଟିଥିଲା ଏକାମ୍ର କ୍ଷେତ୍ର । ପ୍ରଖର ତାତିରେ ପ୍ରଭୁଙ୍କ ଦର୍ଶନ ପାଇଁ ଖାଲି ପାଦରେ ଧାଡ଼ିବାନ୍ଧି ଘଣ୍ଟାଘଣ୍ଟା ଛିଡ଼ା ହୋଇ ଭକ୍ତିର ପରୀକ୍ଷା ଦେଉଥିଲେ ଶ୍ରଦ୍ଧାଳୁ । ପ୍ରଭୁଙ୍କୁ ଦର୍ଶନ ପରେ ଦୀପଜାଳି ମନର କଥାକୁ ବଖାଣୁଥିଲେ ଭକ୍ତବୃନ୍ଦ ।

ମହାଦୀପକୁ ପ୍ରତ୍ୟକ୍ଷ କରିବା ପାଇଁ ଲିଙ୍ଗରାଜ ମନ୍ଦିର ଚୂଡ଼ାରେ ଅଟକି  ଯାଇଥିଲା ଲକ୍ଷ ଲକ୍ଷ ଆଖି । ଶେଷରେ ସେଇ ବହୁ ପ୍ରତୀକ୍ଷିତ ସମୟ ଉପନୀତ ହୋଇଥିଲା । ରାତି ୧୦ଟାରେ ମହାଦୀପ ଉଠିବା ନେଇ ପୂର୍ବରୁ ସୂଚନା ଦିଆଯାଇଥିଲେ ହେଁ ଡେରି ହେବ ବୋଲି ଭକ୍ତମାନେ ଏକରକମ ଧରି ନେଇଥିଲେ । ମାତ୍ର ରାତି ୯ଟା ୪୫ ମିନିଟ୍‌ରେ ମହାଦୀପ ଉଠିଥିଲା । ମହାଦୀପ ଦର୍ଶନ ମାତ୍ରେ ହରିବୋଲ ହୁଳହୁଳିରେ ଉଚ୍ଛୁଳିଥିଲା ସମଗ୍ର ପରିବେଶ ।