ଲଢେଇ ହେବ, ଅଲବତ୍ ହେବ, ବରାବର ହେବ ! ମହାକାଳପଡା ମଞ୍ଚରେ କମ୍ପିଲା ମହାରଥୀଙ୍କ ଡାଏଲଗ୍ ।

252

କନକ ବ୍ୟୁରୋ : ମହାକାଳପଡାରେ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । ମଂଚରେ ଚଢିବା ପରେ ଜମିଥିଲା ମହାରଥୀଙ୍କ ଡାଏଲଗ୍ । ନିଜ ଅନ୍ଦାଜରେ ମହାକାଳପଡାରୁ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲେ ଆଉ ନବୀନ ସରକାରଙ୍କୁ ପ୍ରଶଂସା । ବିଧାୟକ ଅତନୁ ସବ୍ୟସାଚୀଙ୍କୁ ବି ପ୍ରଶଂସାରେ ପୋତି ପକାଇଥିଲେ ମହାରଥୀ ।

ମଂଚ ଉପରେ ମହାରଥୀ, ଆଉ ତଳେ ହଜାର ହଜାର ମହାକାଳପଡା ବାସିନ୍ଦା । ନିଜ ଅନ୍ଦାଜରେ ଗୋଟିଏ ପରେ ଗୋଟିଏ ଡାଏଲଗ୍ ମାରିଥିଲେ ମନ୍ତ୍ରୀ ମହାରଥୀ । ହଜାର ହଜାର ସଂଖ୍ୟାରେ ଜନସମୁଦ୍ରକୁ ରଥଯାତ୍ରା ଭିଡ ସହ ତୁଳନା କରିଥିଲେ ମହାରଥୀ । ମହାକାଳପଡାରେ ୨୪୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ମହାରଥୀ, ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ଆଉ ବିଧାୟକ ଅତନୁ ସବ୍ୟସାଚୀଙ୍କୁ ବି । ଡାଏଲଗ୍ ମାରି ଅତନୁଙ୍କୁ ବାରମ୍ବାର ଧନ୍ୟବାଦ ଦେବାକୁ ଭୁଲିନଥିଲେ ମହାରଥୀ ।

ମଂଚ ଉପରେ ମହାରଥୀଙ୍କ ଡାଏଲଗ୍ ଆଉ ତଳେ ଲୋକଙ୍କ ତାଳିମାଡରେ ଫାଟି ପଡୁଥିଲା ସଭାମଂଚ ପରିସର । ହେଲେ ମହାରଥୀଙ୍କ ମୁହଁରେ ବନ୍ଦ ହେଉନଥିଲା ଅତନୁଙ୍କ ପ୍ରଶଂସା । ପ୍ରକଳ୍ପ ଭିତି ପ୍ରସ୍ତର ସ୍ଥାପନ ଅବସରରେ ମଂଚ ଉପରୁ କେନ୍ଦ୍ରକୁ ଟାର୍ଗେଟ୍ କରିବାକୁ ଭୁଲି ନଥିଲେ ମନ୍ତ୍ରୀ ପ୍ରଦୀପ ମହାରଥୀ । ନବୀନ ସରକାରକୁ କହିଥିଲେ ପ୍ରତିଶ୍ରୁତିର ସରକାର ଆଉ ବିଜେପିକୁ ମିଥ୍ୟା ସୌଦାଗର ।

ତିତଲି କ୍ଷୟକ୍ଷତି ସହାୟତାକୁ ନେଇ ବି କେନ୍ଦ୍ର ଉପରେ ବର୍ଷିଥିଲେ ମହାରଥୀ । ଆନ୍ଧ୍ରକୁ ଦେଲ, କେରଳକୁ ଦେଲ, ଓଡିଶାକୁ କାହିଁ ବୋଲି ପ୍ରଶ୍ନ କରିଥିଲେ ମନ୍ତ୍ରୀ । ବସୁଧା ଯୋଜନାରେ ୨୪୧ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ ଅବସରରେ ମନ୍ତ୍ରୀ ମହାରଥୀଙ୍କ ଡାଏଲଗ୍ ମହାକାଳପଡା ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ଭରିଦେଇଥିଲା ।