କାଶ୍ମୀର ପ୍ରୟୋଗ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ପରୀକ୍ଷା । ଆଜି ମହାରାଷ୍ଟ୍ର ଓ ହରିୟାଣାରେ ନୂଆ ସରକାର ପାଇଁ ଭୋଟ୍ ଦେବେ ଜନତା, ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ସମ୍ମାନ ପାଇଁ ଲଢ଼ିବ କଂଗ୍ରେସ

541

କନକ ବ୍ୟୁରୋ : ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ । ଦୁଇ ବିଜେପି ଶାସିତ ରାଜ୍ୟରେ ହେବ ବଡ ପରୀକ୍ଷା । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାର ପରୀକ୍ଷା । ଅନ୍ୟପଟେ ସାଧାରଣ ନିର୍ବାଚନରେ ପ୍ରତ୍ୟାକ୍ଷାତ ହୋଇଥିବା ସର୍ବପୁରାତନ ଦଳ କଂଗ୍ରେସର ଗ୍ରହଣୀୟତାର ପରୀକ୍ଷା । ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସ ଓ ହରିଆଣାରେ ମନୋହର ଲାଲ ଖଟ୍ଟରଙ୍କ ୫ବର୍ଷ କାର୍ଯ୍ୟକାଳର ସମୀକ୍ଷା କରି ନିଜର ମତାଧିକାର ସାବ୍ୟସ୍ତ କରିବେ ଜନତା । ରାଜ୍ୟ ନେତୃତ୍ୱ ଅପେକ୍ଷା ଦୁଇ ପ୍ରଦେଶରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ନିଷ୍ପତି ଉପରେ ଭୋଟ ପଡିବା ଅନୁମାନ କରାଯାଉଛି । ବୁଥଗୁଡିକରେ ପହଂଚି ସାରିଛନ୍ତି ପୋଲିଂ ପାର୍ଟି । ଇଭିଏମ ଗୁଡିକର ଯାଂଚ ସରିଛି । ଆଜି ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇଛି ।

୨୦୧୪ରେ ମହାରାଷ୍ଟ୍ରରେ ଅଲଗା ଅଲଗା ନିର୍ବାଚନ ଲଢିଥିବା ବିଜେପି ଓ ଶିବସେନା ଏଥର ଏକାଠି ମୈଦାନକୁ ଓହ୍ଲାଇଛନ୍ତି । ତେଣୁ କଂଗ୍ରେସ-ଏନସିପି ମେଂଟକୁ ଟକ୍କର ଦେବା ପାଇଁ ଦୁଇ ମେଂଟ ସହଯୋଗୀ ସେମାନଙ୍କ ମତାନ୍ତରକୁ ଭୁଲି ଏକାଠି ହେବା ରାହୁଲ ସେନା ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । ସୋମବାର ରାଜ୍ୟର ପ୍ରାୟ ୮କୋଟି ୯୦ ଲକ୍ଷ ଭୋଟର ନିଜ ପାଇଁ ନୂଆ ସରକାର ବାଛିବେ । ଦେଶର ସବୁଠାରୁ ବିତଶାଳୀ ରାଜ୍ୟ ହରିଆଣାରେ ମଧ୍ୟ ଲୋକେ ନିଜ ପାଇଁ ଆଜି ନୂଆ ସରକାର ବାଛିବେ । ଦେଶର କୃଷି ଓ ନିର୍ମାଣ କ୍ଷେତ୍ରକୁ ସିଂହ ଭାଗ ଅବଦାନ ଥିବା ଏହି ରାଜ୍ୟ ମଧ୍ୟ ରାଜନୈତିକ ଦୃଷ୍ଟି କୋଣରୁ ବେସ ଗୁରୁତ୍ୱପୂର୍ଣ୍ଣ । କାରଣ ଗତ ନିର୍ବାଚନରେ ପ୍ରଥମଥର ବିଜେପି ଏଠାରେ ନିଜ ଦମରେ କ୍ଷମତା ଦଖଲ କରିଥିଲା । ହରିଆଣାରେ ୧ କୋଟି ୮୩ ଲକ୍ଷ ପଞ୍ଜିକୃତ ଭୋଟର ସେମାନଙ୍କ ନେତା ବାଛିବାକୁ ଯାଉଛନ୍ତି ।