ଦେଶରେ ନିଯୁକ୍ତି ଅବସ୍ଥା ଏମିତି…!  ସଚିବାଳୟ କ୍ୟାଣ୍ଟିନର ୱେଟର ପଦ ପାଇଁ ଚୟନ ହେଲେ ୧୨ ଜଣ ଗ୍ରାଜୁଏଟ

392

ଦେଶରେ ନିଯୁକ୍ତିର ଅବସ୍ଥା କେମିତି ତାହା ଯୁବବର୍ଗଙ୍କୁ ବେଶ ଭଲ ଭାବେ ଜଣା । ସରକାରକୁ ଆସିବା ପୂର୍ବରୁ ବିଜେପି ଚାକିରିର ପ୍ରତିଶୃତି ଦେଇ ଭୋଟ ହାତେଇଥିଲା । କିନ୍ତୁ ସରକାରକୁ ଆସିବା ପରେ ସ୍ଥିତି ପୂର୍ବରୁ ଯାହା ଥିଲା ଏବେ ମଧ୍ୟ ସେଇଆ ରହିଛି । ଦେଶରେ ବେକାରୀଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଚପରାସୀ ଚାକିରି ପାଇଁ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କର ଭିଡ ଲାଗୁଛି । ଆଉ ଏଭଳି ସମୟରେ ମହାରାଷ୍ଟ୍ର ସଚିବାଳୟ କ୍ୟାଣ୍ଟିନର ୧୩ଟି ୱେଟର ପଦ ପାଇଁ ୭୦୦୦ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେଥିରୁ ୧୨ ଜଣ ଗ୍ରାଜୁଏଟଙ୍କୁ ଚୟନ କରାଯାଇଥିବା ବେଳେ ଜଣେ ଦ୍ୱାଦଶ ପାସ୍ କରିଥିବା ଛାତ୍ରଙ୍କୁ ଚୟନ କରାଯାଇଛି ।

 ସବୁଠୁ ବଡ କଥା ହେଲା, ଏହି ପଦରେ ଆବେଦନ ପାଇଁ ସର୍ବନିମ୍ନ ଶିକ୍ଷା ଯୋଗ୍ୟତା ଚତୁର୍ଥ ପାସ ଥିବା ବେଳେ ଗ୍ରାଜୁଏଟ ମାନଙ୍କୁ ଚୟନ କରି ହରଡଘଣାରେ ପଡିଛନ୍ତି ସରକାର । ଚୟନ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୮ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ଅଛନ୍ତି ।  ଏଥିପାଇଁ ବିରୋଧୀ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ।

ଏନେଇ ମହାରାଷ୍ଟ୍ର ବିଧାନ ପରିଷଦର ବିରୋଧୀ ଦଳ ନେତା ଧନଞ୍ଜୟ ମୁଣ୍ଡେ କହିଛନ୍ତି, ମନ୍ତ୍ରୀ ଓ ସଚିବ ଶିକ୍ଷିତ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ୱେଟର କାମ କରାଇବା ନିଶ୍ଚିତ ଭାବେ ଲଜ୍ଜାଜନକ ଘଟଣା । ମାତ୍ର ୧୩ଟି ପଦ ପାଇଁ ୭ ହଜାର ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି । ଯାହା ସୂଚାଇଛି ଦେଶ ଓ ରାଜ୍ୟରେ ରୋଜଗାରର ସ୍ଥିତି କିଭଳି ଅଛି ।  ସେହିଭଳି ନିର୍ବାଚନ ପୂର୍ବରୁ ବାର୍ଷିକ ୨ କୋଟି ରୋଜଗାର ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଏନସିପି ନେତା । କେବଳ ଏତିକି ନୁହେଁ ମୋଦି ସରକାର ସମୟରେ କୋଟି କୋଟି ଲୋକ ଚାକିରି ମଧ୍ୟ ହରାଇଛନ୍ତି । ଖାସକରି ବିମୁଦ୍ରାକରଣ ଓ ଜିଏସଟି ଭଳି ନିଷ୍ପତି ଯୋଗୁଁ ଦେଶରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବନ୍ଦ ହୋଇଯାଇଛି । ଯାହାଫଳରେ ଅନେକ ଲୋକ ଚାକିରି ହରାଇବା ସହ ବେକାରୀ ବୁଲୁଛନ୍ତି ।