ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଉ ପାଦେ ଆଗେଇଲା ଶିବସେନା । ପ୍ରସ୍ତୁତ ହେଲା, ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମର ରୂପରେଖ, ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ସାମ୍ବାଦିକ ସମ୍ମିଳନୀ

392

କନକ ବ୍ୟୁରୋ : ଶିବସେନା ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଉ ପାଦେ ଆଗେଇଛନ୍ତି କଂଗ୍ରେସ ଓ ଏନସିପି । ତିନି ଦଳ ମଧ୍ୟରେ ଘନ ଘନ ଆଲୋଚନା ଚାଲିଥିବା ବେଳେ କମନ୍ ମିନିମମ୍ ପ୍ରୋଗ୍ରାମ ବା ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ନେଇ ସହମତି ପ୍ରକାଶ ପାଇଛି । ଗତକାଲି ସଂଧ୍ୟାରେ ୩ ଦଳର ନେତାମାନଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏହି ବୈଠକରେ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ନେଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଥିଲା । ସମସ୍ତଙ୍କ ସହମତି ପରେ ତିନି ଦଳ ପକ୍ଷରୁ ମିଳିତ ପ୍ରେସ ମିଟ୍ କରାଯାଇଥିଲା । ବୈଠକରେ ବରିଷ୍ଠ ଏନସିପି ନେତା ଜୟନ୍ତ ପାଟିଲ, ଛଗନ ଭୁଜବଳ, ନୱାବ ମଲିକ୍, କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ପୃଥ୍ୱୀରାଜ ଚୌହ୍ୱାନ, ମାଣିକରାଓ ଥାକରେ ଏବଂ ବିଜୟ ୱାଦେତିକର ଯୋଗ ଦେଇଥିଲେ । ସେହିପରି ଏହି ବୈଠକରେ ଶିବସେନାର ଏକନାଥ ସିନ୍ଦେ ଏବଂ ସୁଭାଷ ଦେଶାଇ ପ୍ରମୁଖ ଯୋଗ ଦେଇଥିଲେ ।

ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମରେ କୃଷି ଋଣ ଛାଡ଼, ନିଯୁକ୍ତି, ଫସଲ ବୀମା ଯୋଜନା, ଛତ୍ରପତି ଶିବାଜୀ ମହାରାଜ ସ୍ମାରକ ଆଦି ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । ଏହି ଡ୍ରାଫ୍ଟକୁ ଦଳର ଅଧ୍ୟକ୍ଷଙ୍କ ନିକଟକୁ ପଠାଯିବ । ସବୁଜ ସଂକେତ ମିଳିବା ପରେ ସରକାର ଗଠନ ପ୍ରକ୍ରିିୟା ଆରମ୍ଭ ହେବ ବୋଲି ତିନି ଦଳ ପକ୍ଷରୁ କୁହାଯାଇଛି । ସରକାର ଗଠନ କରିବା ପାଇଁ ବିଜେପି, ଶିବସେନା ଓ ଏନସିପିର ସଂଖ୍ୟା ନଥିବା ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ସୁପାରିଶ କରିଥିଲେ । ଏହାକୁ ଗ୍ରହଣ କରିଥିଲେ କେନ୍ଦ୍ର ସରକାର । ରାଷ୍ଟ୍ରପତି ଶାସକ ଜାରି ହେବା ପରେ ସରକାର ଗଠନ ନେଇ କଂଗ୍ରେସ ଓ ଏନସିପିର ସମର୍ଥନ ପାଇଁ ଜୋରଦାର କସରତ ଚଳାଇଛି ଶିବସେନା । ଶିବସେନା ପାଖରେ ୫୬ ଜଣ ବିଧାୟକ ଥିବା ବେଳେ ଏନସିପିର ୫୪ ଏବଂ କଂଗ୍ରେସ ନିକଟରେ ୪୪ ବିଧାୟକ ଅଛନ୍ତି ।