ବିଲୟ ହେବ ପିଏମସି ବ୍ୟାଙ୍କ୍ । ଉଦ୍ଧବ ସରକାର ଆରମ୍ଭ କଲେ ପ୍ରସ୍ତୁତି. ଲକ୍ଷ ଲକ୍ଷ ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି ।

381

ଖୁବଶୀଘ୍ର ବିଲୟ ହେବ ପିଏମସି ବ୍ୟାଙ୍କ । ଏନେଇ ଉଦ୍ଧବ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମହାରାଷ୍ଟ୍ର ରାଜ୍ୟ ସହକାରୀ ବ୍ୟାଙ୍କରେ ପିଏମସି ବ୍ୟାଙ୍କର ବିଲୟ କରିବାକୁ ଠାକରେ ସରକାର ଯୋଜନା ପ୍ରସ୍ତୁତ କରୁଥିବାର ଖବର ସାମ୍ନାକୁ ଆସିଛି । ଆଉ ଏହି ଖବର ସାମ୍ନାକୁ ଆସିବା ପରେ ପିଏମସି ଗ୍ରାହକଙ୍କ ମୁହଁରେ ହସ ଫୁଟିଛି ।

ମିଳିଥିବା ସୂଚନା ମୁତାବକ, ପିଏମସି ବ୍ୟାଙ୍କର ବିଲୟ ନେଇ ମହାରାଷ୍ଟ୍ର ସରକାର ଆରବିଆଇ ସହ ଆଲୋଚନା ଆରମ୍ଭ କରିଛନ୍ତି । କ୍ୟାବିନେଟ ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି, ପିଏମସି ବ୍ୟାଙ୍କର ବିଲୟ ନେଇ ଏମଏସସି ବ୍ୟାଙ୍କ ନିର୍ଦ୍ଦେଶକଙ୍କ ସହ କରିଛୁ । ଯଦି ଆବଶ୍ୟକତା ପଡେ ତେବେ ରାଜ୍ୟ ସରକାର ଏ ବାବଦରେ ଆରବିଆଇକୁ ଅବଗତ କରିବେ । କାରଣ ଏମଏସସି ବ୍ୟାଙ୍କର ଆର୍ଥିକ ସ୍ଥିତି ଭଲ ରହିଛି ।

ନିୟମର ଉଲ୍ଲଂଘନ ଓ ବଡ ଧରଣଣ ଗଡବଡ କାରଣରୁ ଆରବିଆଇ ୬ ମାସ ପର୍ଯ୍ୟନ୍ତ ପିଏମସି ବ୍ୟାଙ୍କ୍ ଉପରେ ପ୍ରତିବନ୍ଧକ ଲଗାଇଛି । ବ୍ୟାଙ୍କ ମ୍ୟାନେଜମେଣ୍ଟ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ଏକ ନିଦ୍ଦିଷ୍ଟ କମ୍ପାନି ଏଚଡିଆଇଏଲକୁ କୋଟି କୋଟି ଟଙ୍କା ଋଣ ଦିଆଯାଇଛି । ଏହି ଋଣ ସେହି ସମୟରେ ଦିଆଯାଇଛି ଯେତେବେଳେ ଏଚଡିଆଇଏଲ କମ୍ପାନି ଦେବାଳିଆ ପ୍ରକ୍ରିୟା ମଧ୍ୟରେ ଗତି କରୁଥିଲା ।ଋଣ ଦେବା ମାମଲାରେ ଭୁଲ ତଥ୍ୟ ଦେଇଥିବାରୁ ୬ ମାସ ପର୍ଯ୍ୟନ୍ତ ପିଏମସି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଆରବିଆଇ ।

ଏହାସହ ପ୍ରାଥମିକ ସ୍ତରରେ ପିଏମସି ବ୍ୟାଙ୍କ ଗ୍ରାହକଙ୍କ ଟଙ୍କା ଉଠାଣକୁ ୧ ହଜାର ଟଙ୍କା ମଧ୍ୟରେ ସୀମିତ ରଖିଥିଲା ଆରବିଆଇ । ପରେ ଏହାକୁ ବାରମ୍ବାର ପରିବର୍ତ୍ତନ କରାଯାଇଛି । ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ବ୍ୟାଙ୍କ ଗ୍ରାହକଙ୍କୁ ୬ ମାସ ପର୍ଯ୍ୟନ୍ତ ଋଣ ମିଳିପାରିବ ନାହିଁ । ଯେଉଁଥିପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ହଟହଟା ହେବାକୁ ପଡୁଛି । ଏପରିକି ଟଙ୍କା ଉଠାଇ ନ ପାରିବାରୁ କାହାର ବାହାଘର ହୋଇପାରୁନାହିଁ ତ ପୁଣି କାହାର ପୁଅଝିଅଙ୍କ ପାଠପଢାରେ ବ୍ରେକ ଲାଗିଛି । ଏପରିକି କିଛି ଲୋକ ଜମା ରଖିଥିବା ଟଙ୍କାରେ ସ୍ୱପ୍ନର ଘରଟିଏ କିଣିବାକୁ ମନ ସ୍ଥିର କରିଥିଲେ ମଧ୍ୟ ଏହି ସ୍ୱପ୍ନ ଅଧାରେ ଭାଙ୍ଗିଯାଇଛି ।