ବ୍ୟକ୍ତିଜଣକ ଆପଣାଇଲେ ଏଭଳି ଏକ ଟେକନିକ୍ , ଗୋଟିଏ ଗଛରେ ଫଳିଲା ୫୧ ପ୍ରକାରର ଆମ୍ବ ।

65

ଖବରଟି ପଢି ଆପଣ ମଧ୍ୟ ଚମକି ପଡିଥିବେ ଯେ ଏ କେମିତି ସମ୍ଭବ । ଗୋଟିଏ ଗଛରେ ୫୧ ପ୍ରକାରର ଆମ୍ବ କେମିତି ଫଳିବ । କିନ୍ତୁ ଅସମ୍ଭବ ଭଳି ଲାଗୁଥିଲେ ବି କଥାଟି ସତ ଆଜ୍ଞା । ଓମାନରେ ୧୦ ବର୍ଷ ଧରି ସିଭିଲ୍ ଇଜିଂନିୟର ପୋଷ୍ଟରେ ଥିବା ରବି ମାରସେଟବାର ଏପରି ଚମତ୍କାର କରି ଦେଖାଇଛନ୍ତି । ମହାରାଷ୍ଟ୍ରର ବିଦର୍ଭରେ ରହୁଥିବା ରବି ଗାଁରେ କୃଷିକ୍ଷେତ୍ରରେ ହେଉଥିବା କ୍ଷତିକୁ ପୂରଣ କରିବାକୁ ଯାଇ ଚାକିରୀ ଛାଡି ନିଜେ କୃଷକ ପାଲଟିଗଲେ । ଏହାପରେ ଏଭଳି ସ୍ମାର୍ଟ ଟେକ୍ନିକ୍ ବ୍ୟବହାର କରି ଗୋଟିଏ ଆମ୍ବଗଛରେ ୫୧ ପ୍ରକାରର ଆମ୍ବ ଫଳାଇବାରେ ସଫଳ ହୋଇଗଲେ ।

ଖରାପ ଫସଲ ପରେ କ୍ଷତିକୁ ସହିନପାରି କୃଷକ ଯେଉଁଠି ଆତ୍ମହତ୍ୟା କରୁଛନ୍ତି ସେଠାରେ ରବିଙ୍କ କ୍ଷେତରେ ନା କେବଳ ଭଲଫସଲ ଫଳୁଛି ବରଂ ଏହି ଫସଲ ସମଗ୍ର ଦେଶରେ ରବିଙ୍କୁ ଲୋକପ୍ରିୟ କରାଇ ଦେଇଛି । ତେବେ ସେ ଏଭଳି କେଉଁ ଯାଦୁ କଲେ ଯେ ୫୦ ବର୍ଷର ଏହି ଆମ୍ବଗଛରେ ୫୧ ପ୍ରକାରର ଆମ୍ବ ଫଳିଉଠିଲା? ପ୍ରକୃତ କଥା ହେଉଛି ରବି ଗ୍ରାଫ୍ଟିଙ୍ଗ୍ ଟେକ୍ନିକ୍ ମାଧ୍ୟମରେ ଏଭଳି ଏକ ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି । ତେବେ ଏଥିପାଇଁ ରବିଙ୍କୁ ୧୩୫୦ ବାର ଏହି ଗଛ ଉପରେ ପରୀକ୍ଷା କରିବାକୁ ପଡିଛି । ଚାକିରୀ ଛାଡି ଗାଁକୁ ଫେରିବା ପରେ ସେ ଚାଷ କରିବା ପାଇଁ ୫୦୦ ଟି ଜାଗାର ଚିହ୍ନଟ କରିଥିଲେ । ଏହି ସମୟରେ ସେ ଜଣେ ଖାସ୍ ଲୋକ ଦେବରୀକରଙ୍କ ସହ ଭେଟିଥିଲେ । ଦେବରୀକର ଜଣେ ବିଜ୍ଞ କୃଷକ ଥିଲେ । ସେ ମଧ୍ୟ ଏହି ଟେକ୍ନିକ୍ ବ୍ୟବହାର କରି ଗୋଟିଏ ଆମ୍ବଗଛରୁ ୧୫ ପ୍ରକାରର ଆମ୍ବ ଫଳାଇପାରିଥିଲେ । ଏହି ଟେକ୍ନିକ୍ କୁ ରବି ମଧ୍ୟ ଶିଖିଥିଲେ ଏବଂ ବହୁବର୍ଷ ପରେ ସେ ଦୁର୍ଲଭ ଏବଂ ବିଲୁପ୍ତପ୍ରାୟ ଆମ୍ବକୁ ଚିହ୍ନଟ କରି ଗୋଟିଏ ଗଛରେ ୫୧ ପ୍ରକାରର ଆମ୍ବ ଫଳାଇବାରେ ସଫଳ ହୋଇପାରିଥିଲେ । ବର୍ତ୍ତମାନ ରବି ଗ୍ରାମର କୃଷକଙ୍କୁ ଏହି ଟେକ୍ନିକ୍ ବିଷୟରେ ଶିକ୍ଷା ଦେଉଛନ୍ତି ।