କନକ ବ୍ୟୁରୋ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଶନିବାର ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଭାଗ୍ୟ ନିର୍ଦ୍ଧାରଣ ହେବାର ସମ୍ଭାବନା ରହିଛି। ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ବିଚାରପତି ଏ ଏମ୍ ଖାନୱିଲକର, ବିଚାରପତି ଡ. ରବିରଂଜନ ଏବଂ ବିଚାରପତି ଇନ୍ଦରମିତ କୋଚାରଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଗତମାସ ୯ ତାରିଖରେ ଓଡ଼ିଶା ଆବେଦନର ଶୁଣାଣି କରି ଓଡ଼ିଶା ଓ ଛତିଶଗଡ଼କୁ ଆପୋସ ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ଆପୋସ ସମାଧାନ ବିଫଳ ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ଶନିବାର ଶୁଣାଣି ବହୁତ ଗୁରୁତ୍ବ ବହନ କରୁଛି। ଟ୍ରିବ୍ୟୁନାଲଙ୍କ ପରାମର୍ଶ ପରେ ଦୁଇ ରାଜ୍ୟର ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନଙ୍କ ଦ୍ବାରା ଦୁଇଥର ଆପୋସ ସମାଧାନ ପାଇଁ ବୈଠକ ହୋଇଥିଲା।
ବୈଠକରେ ଅଣମୌସୁମୀ ସମୟରେ ଛତିଶଗଡ଼ ଦ୍ବାରା ଓଡ଼ିଶାକୁ କେତେ ପରିମାଣର ପାଣି ଛଡ଼ାଯିବ ସେ ନେଇ ବ୍ୟାପକ ଆଲୋଚନା ହେଲା। କିନ୍ତୁ ଛତିଶଗଡ଼ ଓଡ଼ିଶାର ଦାବି ପ୍ରତ୍ୟାଖ୍ୟାନ କରିଦେଇଥିଲା। ଫଳରେ ଦୁଇଟି ଯାକ ବୈଠକ ବିଫଳ ହୋଇଥିଲା। ତେବେ ଦୁଇ ରାଜ୍ୟ କରିଥିବା ଆଲୋଚନା ଟ୍ରିବ୍ୟୁନାଲ୍କୁ ଅବଗତ କରାଯିବ। ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୁଇ ରାଜ୍ୟ ଲିଖିତ ସତ୍ୟପାଠ ଦାଖଲ କରି ସାରିଛନ୍ତି।
ଉଲ୍ଲେଖଯୋଗ୍ୟ, ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଗତବର୍ଷ ଅକ୍ଟୋବର ୯ରେ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଥିଲା। ଏଥିରେ ମହାନଦୀ ଉପରେ ଛତିଶଗଡ଼ ବ୍ୟାରେଜ୍ ନିର୍ମାଣ ସ୍ଥଗିତ ରଖିବା ସହ ଅଣମୌସୁମୀ ସମୟରେ ଅର୍ଥାତ୍ ନଭେମ୍ବରରୁ ମେ’ ମଧ୍ୟରେ ୧.୭୪ ଏମ୍ଏଏଫ୍ ଜଳପ୍ରବାହ ଓଡ଼ିଶା ପାଇଁ ଅବ୍ୟାହତ ରଖିବା ପାଇଁ ଛତିଶଗଡ଼କୁ ନିର୍ଦ୍ଦେଶ ଦେବା ପାଇଁ ପ୍ରାର୍ଥନା କରାଯାଇଥିଲା।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/Mahanadi.jpg)