ଫୁଲୁଛି ମହାନଦୀ । ବୁଡିଲା ଅନୁଗୁଳର ଟିକରପଡା, ଶାଖା ନଦୀରେ ବନ୍ୟା ଆଶଙ୍କା : ଆଜି ମୁଣ୍ଡଳୀ ଦେଇ ଅତିକ୍ରମ କରିବ ୧୦ ଲକ୍ଷ କ୍ୟୁସେକ୍ ଜଳ

428

କନକ ବ୍ୟୁରୋ : ଫୁଲୁଛି ମହାନଦୀ । ମହାନଦୀ ଅବବାହିକାରେ ବର୍ଷାର ପରିମାଣ କମ୍ ହୋଇଥିଲେ ବି ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି । ଫଳରେ ମହାନଦୀ ଓ ଏହାର ଶାଖାନଦୀ ଗୁଡିକର ଉଛୁଳା ପାଣି ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡା ଜିଲ୍ଳାକୁ ଅସ୍ତବ୍ୟସ୍ତ କରିଛି । ଅନୁଗୁଳ ଜିଲ୍ଲାର ଟିକରପଡା ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏହି ଅଂଚଳର ବିଭିନ୍ନ ଗାଁରେ ବନ୍ୟାପାଣି ପଶିଥିବା ବେଳେ ଆଠମଲ୍ଲିକ ଅଂଚଳରେ ବି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କଟକ ଜିଲ୍ଲାର ବଡମ୍ବା ନରସିଂହପୁର ଅଂଚଳରେ ମହାନଦୀ ଉଗ୍ର ରୂପ ଧାରଣ କରିଛି । ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିର ଭିତରେ ୬ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି ।

source : google

ସେହିପରି ବାଙ୍କୀର ଅନେକ ଗାଁରେ ପାଣି ପଶିଯାଇଛି । ଫଳରେ କଟକ-ବାଙ୍କୀ ମୁଖ୍ୟ ରାସ୍ତା ସହ ଏହିସବୁ ଗାଁର ଯୋଗଯୋଗ ବିଛିନ୍ନ ହୋଇଯାଇଛି । ନୟାଗଡ ଜିଲ୍ଲାର ଗଣିଆ, କଂଟିଲୋ ଓ ଭାପୁର ଅଂଚଳରେ ବି ମହାନଦୀର ବନ୍ୟାଜଳ ପ୍ରବେଶ କରିଛି । କଂଟିଲୋଠାରେ ମହାନଦୀର ଜଳସ୍ତର ବିପଦ ସଂକେତଠାରୁ ପ୍ରାୟ ୧ଦଶମିକ୍ ଦୁଇ ତିନ୍ ମିଟର ଉପରେ ପ୍ରବାହିତ ହେଉଛି । ସେପଟେ ମୁଣ୍ଡୁଳି ନିକଟରେ ସେକେଣ୍ଡ ପିଛା ୯ଲକ୍ଷ ୫୦ ହଜାରରୁ ୧୦ ଲକ୍ଷ ଘନଫୁଟ ମଧ୍ୟରେ ବନ୍ୟାଜଳ ପ୍ରବାହିତ ହେଉଛି । ନରାଜଠାରେ ମହାନଦୀର ବିପଦସଙ୍କେତ ୨୬.୪୧ ମିଟର ଥିବା ବେଳେ ଜଳସ୍ତର ୨୬.୧୦ ମିଟର ରହିଛି । ତେଣୁ ବନ୍ୟା ନେଇ ଲୋକେ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି ।

ତେବେ ମହାନଦୀରେ ପ୍ରବାହିତ ହେଉଥିବା ଏହି ବନ୍ୟା ଜଳ ଏହାର ଉପନଦୀ ଓ ଖାଲୁଆ ଅଂଚଳରେ ପ୍ରବେଶ କରୁଛି । ଅନ୍ୟପଟେ ହୀରାକୁଦରେ ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୬୧୯ ଫୁଟ ରହିଥିଲା । ତେଣୁ ଡ୍ୟାମ କର୍ତୁପକ୍ଷ ଆଜି ଆଉ କିଛି ଗେଟ୍ ଖୋଲିପାରନ୍ତି ବୋଲି କୁହାଯାଉଛି । ସେପଟେ ରାଜ୍ୟର ପ୍ରମୁଖ ନଦୀର ଜଳସ୍ତର ବିପଦ ସଙ୍କେତ ପାଖାପାଖି ରହିଥିବା ବେଳେ, ସନ୍ଧ୍ୟା ୬ଟା ସୁଦ୍ଧା ନଦୀର ଜଳସ୍ତର ସ୍ଥିର ରହିଛି । ଆଖୁଆପଦାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଜଳସ୍ତର ୧୭.୭୭ ରହିଛି ।