ମହାଶିବରାତ୍ରୀରେ ଉତ୍ସବ ମୁଖର ମହାକାଳ ମନ୍ଦିର : ପ୍ରାତଃରୁ ସତେଜ ଭସ୍ମରେ ଆବାହନ ହେଲେ ଦେବଙ୍କ ଦେବ ମହାଦେବ । 

232

ଆଜି ପବିତ୍ର ଶିବରାତ୍ରି । ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ । ମହାଶିବରାତ୍ରୀ ଉପଲକ୍ଷେ ଭୋଳାବାବାଙ୍କ ହର ହର ମହାଦେବ ଧ୍ୱନିରେ ଗୁଞ୍ଜରିତ ହେଉଛି ତ୍ରିଲୋକ । ଭାରତର ପ୍ରମୁଖ ଶୈବପୀଠ ଉଜ୍ଜେନର ମହାକାଳ ମନ୍ଦିରରେ ଗତକାଲି ରାତିଠାରୁ ହିଁ ଭକ୍ତଙ୍କ ନାହିନଥିବା ଗହଳି ଦେଖିବାକୁ ମିଳିଛି । ଦେଶବିଦେଶରୁ ଆସିଥିବା ଭକ୍ତ ନିଜ ଭଗବାନଙ୍କ ଗୋଟିଏ ଝଲକ ପାଇବା ପାଇଁ ବ୍ୟାକୁଳ ହୋଇଉଠୁଛନ୍ତି ।

ଉଜ୍ଜେନର ବାବା ମହାକାଳ ମନ୍ଦିର ଦେଶର ଏକମାତ୍ର ଶିବଲିଙ୍ଗ ଅଟନ୍ତି ଯେ ଦକ୍ଷିଣମୁଖି ବିରାଜିତ, ଯାହାଙ୍କ ଭସ୍ମଆରତୀ ପୂର୍ବରୁ ବାବାଙ୍କ ହରିଓମ୍ ଜଳ ଅର୍ପଣ ହୋଇଥାଏ । ମାନ୍ୟତା ରହିଛି ବାବାଙ୍କ ଦର୍ଶନରେ ମୃତ୍ୟୁ ପଶ୍ଚାତ୍ ଯମରାଜଙ୍କ ଦ୍ୱାରା ଦିଆଯାଉଥିବା ନିର୍ଯାତନାରୁ ମୁକ୍ତି ମିଳିବ । ଧର୍ମଶାସ୍ତ୍ର ଅନୁସାରେ , ଦକ୍ଷିଣଦୀଶାର ସ୍ୱାମୀ ସ୍ୱୟଂ ଭଗବାନ ଯମରାଜ ତେଣୁ କୁହାଯାଏ ଯେ ଯେଉଁ ଭକ୍ତ ନିଷ୍କପଟ , ସତ ମନରେ ବାବାଙ୍କୁ ଦର୍ଶନ କରେ ତାକୁ ମୃତ୍ୟୁପଶ୍ଚାତ୍ ଯମରାଜଙ୍କ ଯାତନାରୁ ନିସ୍ତାର ମିଳେ ।

ସମ୍ପୁର୍ଣ୍ଣ ବିଶ୍ୱରେ ମହାକାଳେଶ୍ୱର ହିଁ ଏକମାତ୍ର ଜ୍ୟୋର୍ତିଲିଙ୍ଗ ଅଟନ୍ତି ଯେଉଁଠାରେ ମହାକାଳଙ୍କୁ ଭସ୍ମଆରତୀ ଦିଆଯାଏ । ଭସ୍ମଆରତୀକୁ ଦର୍ଶନ କରିବା ପାଇଁ ପୃଥିବୀରୁ କୋଣଅନୁକୋଣରୁ ଭକ୍ତ ଏଠାକୁ ଛୁଟି ଆସନ୍ତି । ସୂର୍ଯୋଦୟ ପୂର୍ବରୁ ପ୍ରାତଃ ୪ ଘଟିକା ସମୟରେ ଏହି ଆରତୀ ଦିଆଯାଏ । ମହାଦେବଙ୍କ ଦିବ୍ୟସ୍ନାନ ପରେ ଶ୍ମଶାନର ତାଜା ଭସ୍ମ ଅର୍ପଣ କରାଯାଏ ।

ମହାଶିବରାତ୍ରି ଅବସରରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ବୈରାଗଢରେ ଏକ ଶିବ ମନ୍ଦିରର ନାମ ଥାନେଶ୍ୱର ମହାଦେବ ମନ୍ଦିର ରଖାଯାଇଛି । ସେହିପରି କର୍ଣ୍ଣାଟକରେ କଲବୁରଗୀର ବ୍ରହ୍ମାକୁମାରୀରେ ୨୫ଫୁଟ ଉଚ୍ଚତା ବିଶିଷ୍ଟ ଶିବଲିଙ୍ଗରେ ୩୦୦କିଲୋ ହରଡ ଓ ପୁଷ୍ପମାଳରେ ସଜ୍ଜିତ କରାଯାଇଛି । ମହାରାଷ୍ଟ୍ରର ବାବୁଲପନାଥ ମନ୍ଦିରରେ ଭଗବାନ ଶିବଙ୍କ ଜଳାଭିଷେକ ପାଇଁ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଛି । ହର ହର ମହାଦେବ ଓ ଜୟ ଜୟ ଶିବ ଶଙ୍କର ଧ୍ୱନୀରେ ପ୍ରକମ୍ପିତ ହେଉଛି ଏହି ମନ୍ଦିର ।

ଶିବଲିଙ୍ଗଙ୍କ ଉପରେ ଫୁଲ , ବେଲପତ୍ର ଚଢାଇ ଜଳାଭିଷେକ କରୁଛନ୍ତି ଭକ୍ତଗଣ । ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଭୋଳାବାବାଙ୍କ ଭକ୍ତଙ୍କ ମଧ୍ୟରେ ଶିବରାତ୍ରିକୁ ନେଇ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଛି । ଚାନ୍ଦିନୀଚୌକ ସ୍ଥିତ ଶ୍ରୀ ଗୌରୀ ଶଙ୍କର ମନ୍ଦିରରେ ଶିବଙ୍କ ପୂଜା ଅର୍ଚ୍ଚନା ପାଇଁ ସକାଳୁ ଭକ୍ତଙ୍କ ଭିଡ ଜମିଛି । ମଧ୍ୟପ୍ରଦେଶର ମହାକାଳେଶ୍ୱର ମନ୍ଦିରରେ ମନ୍ଦିରରେ ମଧ୍ୟ ଭକ୍ତଙ୍କ ସମାଗମ ।