ରହସ୍ୟମୟ ଋଷି ଗୁମ୍ଫାରେ ମାଘମେଳା । ଝରଝରେଶ୍ୱରଙ୍କ ପ୍ରାଣ ପ୍ରତିଷ୍ଠା ଦର୍ଶନଲାଗି ସାକ୍ଷାତ ଶିବଲୋକ ଅନୁଭୂତ ହେଉଥିବା ଋଷି ଗୁମ୍ଫାରେ ଶ୍ରଦ୍ଧାଳୁଙ୍କ ଭିଡ଼ ।

313

କନକ ବ୍ୟୁରୋ: ସୁନ୍ଦରଗଡର ଐତିହାସିକ ଓ ଆଶ୍ଚର୍ଯ୍ୟମୟ ଋଷିଗୁମ୍ଫାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଘମେଳାର ଆୟୋଜନ କରାଯାଇଛି । ଗୁମ୍ଫାର ଆଶ୍ଚର୍ଯ୍ୟମୟ କଳାକୃତିକୁ ଉପୋଭୋଗ କରିବା ସହ ମେଳାରେ ଆୟୋଜିତ ସାଂସ୍କୃକିକ କାର୍ଯ୍ୟକ୍ରମ, ସାଧୁସନ୍ଥଙ୍କ ସମାଗମ ଓ ଆଦିବାସୀ ନୃତ୍ୟର ଭରପୁର ମଜା ଉଠାଇଲେ ଦର୍ଶକ । ଏହି ଅବସରରେ ଗୁମ୍ଫାରେ ଝରଝରେଶ୍ୱର ମହାଦେବଙ୍କ ନୂତନ ଲିଙ୍ଗ ପ୍ରାଣ ପ୍ରତିଷ୍ଠା କରାଯାଇଛି । ମାଘମେଳା ଆୟୋଜନର ମୁଖ୍ୟ ଉଦେଶ୍ୟ ଆଧ୍ୟାତ୍ମିକ ଭାବନା ଜାଗୃତ କରିବା ସହ ଋଷି ଗୁମ୍ଫା ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ବୋଲି କହିଛନ୍ତି ଋଷିଗୁମ୍ଫା ଉନ୍ନୟନ ପରିଷଦର କର୍ମକର୍ତା ।

ଖବର ବାଜିଲା ନଜର ପଡିଲା । ବିକାଶ ଓ ପ୍ରଚାର ପ୍ରସାର ପାଇଁ ରହସ୍ୟମୟ ଋଷିଗୁମ୍ଫାରେ ଆୟୋଜନ ହେଲା ମାଘମେଳା । ବଣପାହାଡ ଘେରା ସୁନ୍ଦରଗଡ ହେମଗିରି ବ୍ଲକର ଘୋଘରପାଲି ନିକଟ ନିଘଂଚ ଜଙ୍ଗଲ ମଧ୍ୟରେ ଥିବା ଋଷିଗୁମ୍ଫାରେ ଲାଗିଛି ହଜାର ହଜାର ଲୋକଙ୍କ ଭିଡ । ଅବସର, ମାଘମେଳା ଓ ଝରଝରେଶ୍ୱର ମହାଦେବଙ୍କ ଲିଙ୍ଗରେ ପ୍ରାଣ ପ୍ରତିଷ୍ଠା ଉତ୍ସବ । ମେଳା ବୁଲିବା ସହିତ ଆଶ୍ଚର୍ଯ୍ୟମୟ ଗୁମ୍ଫାକୁ ଦେଖି ଚକିତ ଦର୍ଶକ । ଗୁମ୍ଫାର କଳାକୃତି ସାଙ୍ଗକୁ ସାଧୁସଂଥଙ୍କ ପ୍ରବଚନ ଓ ଯଜ୍ଞରେ ଭାଗ ନେଇଥିଲେ ଲୋକେ । ହେଲେ ମାଘମେଳାର ମୁଖ୍ୟ ଆକର୍ଷଣ ଥିଲା କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଲୋକଲୋଚନକୁ ଆସିଥିବା ରହସ୍ୟମୟ ଋଷି ଗୁମ୍ଫା ।

ପ୍ରଥମ ଥର ପାଇଁ ଋଷି ଗୁମ୍ଫାରେ ଆୟୋଜିତ ମାଘମେଳାରେ ଛତିଶଗଡ ଓ ଝାଡଖଣ୍ଡର ଦର୍ଶକଙ୍କ ସାମଗମ ହୋଇଥିଲା । ଋଷି ଗୁମ୍ଫା ସଂପର୍କରେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଏହାକୁ ଦେଖିବା ପାଇଁ ରାଜ୍ୟ ତଥା ପଡୋଶୀ ରାଜ୍ୟର ଲୋକଙ୍କ ସୁଅ ଛୁଟିଥିଲା । ଏହାପରେ ସ୍ଥାନୀୟ ଋଷି ଗୁମ୍ଫା ଉନ୍ନୟନ ପରିଷଦର ସଦସ୍ୟମାନେ ଏହାର ପ୍ରଚାର ପ୍ରସାର ପାଇଁ ମାଘମେଳାର ଆୟୋଜନ କରିଥିଲେ । ଏହି ଗୁମ୍ଫାକୁ ବୁଲି ଦେଖିବା ପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଓଃ କି ଆଶ୍ଚର୍ଯ୍ୟମୟ ଋଷି ଗୁମ୍ଫା । ହେଲେ ଏଠାକୁ ଆସିବା ପାଇଁ ଭଲରାସ୍ତା, ବିଜୁଳି, ପାନୀୟଜଳ ଏବଂ ବିଶ୍ରାମଗୃହ ନିର୍ମାଣ ହେଲେ ଏହା ଆହୁରି ଅଧିକ ଲୋକଙ୍କୁ ଆକର୍ଷିତ କରିବ ବୋଲି ମତ ପ୍ରକାଶ ପାଇଛି ।