କନକ ବ୍ୟୁରୋ: ସ୍ୱଚ୍ଛ ଭାରତ ଅଭିଯାନ ଆଧାରରେ ଲୋକେ ନିଜ ଘରେ ପାଇଖାନା ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରକାରର ଯୋଜନା ଆରମ୍ଭ କରାଯାଉଛି । ଏଭଳି ପରିସ୍ଥିତିରେ ମଧ୍ୟ ପ୍ରଦେଶ ସରକାର ମଧ୍ୟ ଲୋକଙ୍କୁ ନିଜ ଘରେ ଶୌଚାଳୟ ନିର୍ମାଣ କରିବା ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ଯାହା ବର୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବର୍ତ୍ତମାନ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ତଥା ନିକାହ ଯୋଜନାର ଲାଭ ଏବଂ ୫୧ ହଜାର ଟଙ୍କା ସେହି ପରିବାରକୁ ମିଳିବ ଯିଏ କି ନିଜ ଘରେ ନିର୍ମାଣ ହୋଇଥିବା ଶୌଚାଳୟ ସାମ୍ନାରେ ଛିଡା ହୋଇ ଫଟୋ ଉଠାଇ ସରକାରଙ୍କ ନିକଟକୁ ପଠାଇବେ । ଆଉ ଯଦି ଏଭଳି ନକରନ୍ତି ତେବେ ତାଙ୍କୁ ଏହି ଟଙ୍କା ଦିଆଯିବ ନାହିଁ ବୋଲି ଘୋଷଣା କରାଯାଇଛି।

Advertisment

ମଧ୍ୟପ୍ରଦେଶ ସରକାର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ତଥା ନିକାହ ଯୋଜନାରେ ଏହି ନୂଆ ନିୟମକୁ ଯୋଡିଛନ୍ତି । ଏହି ଯୋଜନା ଅନୁସାରେ ବିବାହ ପରେ କନ୍ୟାକୁ ସ୍ଥାନୀୟ ସରକାରଙ୍କ ତରଫରୁ ୫୧ ହଜାର ଟଙ୍କା ମିଳିଥାଏ । ତେବେ ଏଣିକି ଏହି ଯୋଜନାର ଲାଭ ନେବାକୁ ହେଲେ କନ୍ୟାକୁ ବରପାତ୍ର ସହ ଶ୍ୱଶୁର ଘରେ ନିର୍ମାଣ ହୋଇଥିବା ପାଇଖାନ ସାମ୍ନାରେ ଛିଡା ହୋଇ ଏକ ସେଲ୍ଫି ଉଠାଇବାକୁ ହେବ ଆଉ ଏହି ଫଟୋକୁ ସରକାରୀ କାର୍ଯ୍ୟାଳୟରେ ଜମା କରିବାକୁ ପଡିବ । ଭୋପାଳରେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଫର୍ମକୁ ସେତେବେଳେ ସ୍ୱୀକାର କରାଯାଉଛି । ଯେତେବେଳେ ବରପାତ୍ର ଘରେ ଟଏଲେଟ୍ ଥିବ । ତେବେ ଭୋପାଳ ମହାନଗର ଅଧିକାରୀ ପ୍ରତିଟି ଘରକୁ ଯାଇ ଯାଂଚ କରିବା ପରିବର୍ତ୍ତେ ଏଭଳି ଫଟୋ ଦେବାକୁ ଘୋଷଣା କରିଛନ୍ତି । ବିଏମସିର ଯୋଜନା ପ୍ରଭାରୀ ସିବି ମିଶ୍ରାଙ୍କ କହିବା ଅନୁସାରେ, ପୂର୍ବରୁ ବିବାହର ୩୦ ଦିନ ପରେ ଶୌଚାଳୟ ନିର୍ମାଣ କଲେ ଏହି ଟଙ୍କା ଦିଆଯାଉଥିଲା। ଏବେ କିନ୍ତୁ ବିବାହ ପୂର୍ବରୁ ଶୌଚାଳୟ ଉପରେ ଭାବି ଦମ୍ପତ୍ତି ଫଟୋ ଉଠାଇ ବିଏମସିକୁ ଦେବା ପାଇଁ ପଡ଼ିବ ବୋଲି ସେ କହିଛନ୍ତି। ଏପରି କରିବା କିଛି ଖରାପ ନୁହେଁ ବୋଲି କହିଛନ୍ତି ବିଏମସି ଅଧିକାରୀ ।

ଏଠାରେ ଆମେ କହି ରଖୁଛୁ କି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ତଥା ନିକାହ ଯୋଜନା ଆର୍ଥିକ ଭାବରେ ଦୁର୍ବଳ ଶ୍ରେଣୀ ଓ ପଛୁଆ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଗତବର୍ଷ ଡିସେମ୍ୱର ୧୮ରେ କଂଗ୍ରେସ ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାର ରାଶି ୨୮ ହଜାରକୁ ବୃଦ୍ଧି କରି ୫୧ ହଜାର ଟଙ୍କା କରିଥିଲେ। ଏହାପରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ିଥିଲା। ଯାହା ଫଳରେ ପ୍ରତି ଘରକୁ ଯାଇ ବିଏମସି ଅଧିକାରୀଙ୍କ ପକ୍ଷେ ଶୌଚାଳୟ ନିରୀକ୍ଷଣ କରିବା ମୁସ୍କିଲ ହୋଇପଡିବାରୁ ଏଭଳି ରାସ୍ତା ଆପଣାଇବାକୁ ପଡଛି ।