ଆଜି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ! ୨୩୦ ଆସନ ପାଇଁ ୬୫ହଜାର ବୁଥରେ ଚାଲିଛି ଭୋଟଗ୍ରହଣ ।

79

କନକ ବ୍ୟୁରୋ : ଆଜି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ପାଇଁ ପରୀକ୍ଷାର ଦିନ । ୨୩୦ ଆସନ ପାଇଁ ୬୫ହଜାର ଭୋଟ ଗ୍ରହଣ କେନ୍ଦ୍ରରେ ଚାଲିଛି ମତଦାନ । ୫କୋଟି ୪୩ ଲକ୍ଷ ଲୋକ ୨୮୯୯ ଜଣ ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ । ସକାଳ ୭ଟାରେ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ । ନିିର୍ବାଚନ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

୨୦୧୩ ନିର୍ବାଚନରେ ୨୩୦ ଆସନରୁ ବିଜେପି ୧୬୬ଟି ଆସନ ଜିତିଥିବାବେଳେ କଂଗ୍ରେସକୁ ମାତ୍ର ୫୭ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ତେଣୁ ଦୀର୍ଘ ୧୫ ବର୍ଷ ପରେ କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଥିବାବେଳେ ବିଜେପି ଶାସନ ବଜାୟ ରଖିବା ଲକ୍ଷ୍ୟରେ ରହିଛି । ନିର୍ବାଚନକୁ ନେଇ ଉଭୟ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ୪ ବର୍ଷର ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ମୋଦିଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । ତେବେ ଆଜି ସନ୍ଧ୍ୟା ୫ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲିବ ।