ଏଣିକି ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍ । ହେଲେ ଆପଣଙ୍କୁ କରିବାକୁ ପଡିବ ଗୋଟିଏ ଛୋଟିଆ କାମ

1,504

କନକ ବ୍ୟୁରୋ: ଏଣିକି ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍ । ଏବେ ଯଦି ଆପଣ ଆପଣଙ୍କର ବନ୍ଧୁ କିମ୍ବା ପରିଜନ ଲୋକଙ୍କୁ ଛାଡିବା ପାଇଁ ବା ଭେଟିବା ପାଇଁ ଷ୍ଟେସନ ଭିତରକୁ ଯାହାନ୍ତି ତେବେ ଆପଣଙ୍କୁ ଏଥିପାଇଁ ୧୦ ଟଙ୍କା ଦେଇ ଆଉ ପ୍ଲାଟଫର୍ମ ଟିକେଟ୍ କାଟିବାକୁ ପଡିବ ନାହିଁ । ବରଂ ମାଗଣାରେ ଆପଣ ପ୍ଲାଟଫର୍ମ ଟିକେଟ ପାଇପାରିବେ । ତେବେ ରେଳ ମନ୍ତ୍ରାଳୟର ଏହି ସୁବିଧା ଆପଣ ଏବେ କେବଳ ଦିଲ୍ଲୀ ଆନନ୍ଦବିହାର ରେଳ ଷ୍ଟେସନରେ ହିଁ ପାଇପାରିବେ ।

ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ଆନନ୍ଦବିହାର ରେଳ ଷ୍ଟେସନରେ ଏକ ସ୍ୱତନ୍ତ୍ର ମେସିନ ଲଗାଯାଇଛି । ଯେଉଁଥିରେ ଆପଣ ମାଗଣରେ ରେଳ ଟିକେଟ ପାଇପାରିବେ । ତେବେ ଏଥିପାଇଁ ଆପଣଙ୍କୁ ଗୋଟେ ଛୋଟିଆ କାମ କରିବାକୁ ପଡିବ ଆଉ ସେ କାମଟି ହେଲା ମେସିନ ଆଗରେ ଆପଣଙ୍କୁ ଉଠବସ୍ ହେବାକୁ ପଡିବ । ସେ ବି ପୁଣି ୧୮୦ ସେକେଣ୍ଡ ଭିତରେ ମାତ୍ର ୩୦ ଥର । ଆଉ ଏଭଳି କରିବା ଦ୍ୱାରା ରେଳ ମନ୍ତ୍ରାଳୟ ପକ୍ଷରୁ ଆପଣଙ୍କୁ ମାଗଣାରେ ପ୍ଲାଟଫର୍ମ ଟିକେଟ ମିଳିବ ।

ତେବେ ଭାରତୀୟ ରେଲ ବିଭାଗ ପକ୍ଷରୁ ଏଭଳି ନିଆରା ଅଭିଯାନ ଫିଟନେସକୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ କରାଯାଇଛି । ଏହି ମେସିନକୁ ଫିଟ୍ ଇଣ୍ଡିଆ ସିଟ୍ ଅପ୍ ମେସିନ ବୋଲି ନାଁ ଦିଆଯାଇଛି । ଆଉ ଏହି ମେସିନର ଏକ ଭିଡିଓ ଏବେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ନିଜ ଟୁଇଟର ପେଜରେ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

କିଭଳି କାମ କରିବ ମେସିନ?

ଏହି ମେସିନ ଆଗରେ ଦୁଇଟି ଫୁଟ୍ ପ୍ରିଂଟ ରହିଛି । ଯେଉଁଥିରେ ଆପଣଙ୍କୁ ଠିଆ ହୋଇ ଧାର୍ଯ୍ୟ ସମୟ ଭିତରେ ୩୦ ଥର ଉଠବସ୍ କରିବାକୁ ପଡିବ ଏବଂ ମେସିନରେ ଲଗାଯାଇଥିବା ଡିସପ୍ଲେରେ ହିଁ ଆପଣ କେତେ ସମୟରେ କେତେ ଥର ଉଠବସ୍ ହୋଇଛନ୍ତି ତାହା ନଜର ଆସିବ । ସେହିଭଳି ୧୮୦ ସେକେଣ୍ଡରେ ଯଦି ଆପଣ ୩୦ ଥର ଉଠବସ୍ କରିଦିଅନ୍ତି ତେବେ ଆପଣ ମାଗଣା ପ୍ଲାଟଫର୍ମ ଟିକେଟ୍ ପାଇବାକୁ ହକଦାର ଅଟନ୍ତି ଏବଂ ଏହି ମେସିନରୁ ହିଁ ଆପଣ ପ୍ଲାଟଫର୍ମ ଟିକେଟ୍ ମାଗଣାରେ ପାଇଯିବେ ।