ପୁଲୱାମା ଆକ୍ରମଣ ପରେ ବଢୁଛି କାଶ୍ମୀରୀଙ୍କ ଉପରେ ଆକ୍ରମଣ ଘଟଣା : କାଶ୍ମୀରୀ ଯୁବକଙ୍କୁ ମାଡ ମାରିଲେ ଗେରୁଆ ବସ୍ତ୍ରଧାରୀ ଯୁବକ

536

ଉତ୍ତର ପ୍ରଦେଶର ରାଜଧାନୀ ଲଖନଉର ଡାଲିଗଂଜ ପୋଲରେ ବୁଧବାର ଦିନ ଡ୍ରାଇ ଫ୍ରୁଟ୍ସ ବିକ୍ରି କରୁଥିବା ଦୁଇ ଜଣ କାଶ୍ମୀରୀ ଯୁବକଙ୍କୁ ମାଡ ମାରୁଥିବା ମାମଲା ସାମନାକୁ ଆସିଛି । ଜାମ୍ମୁ-କାଶ୍ମୀରର କୁଲଗାଁ ନିବାସୀ ଦୁଇ ଯୁବକ ଏଠି ଡ୍ରାଇ ଫ୍ରୁଟ୍ସ ବିକ୍ରି କରୁଥିଲେ । ଏମଧ୍ୟରେ ଗେରୁଆ ବସ୍ତ୍ରଧାରୀ କିଛି ଲୋକ ଆସି ସେଠି ପହଂଚିଥିଲେ ଓ ତାଙ୍କ ପରିଚୟ ପଚାରି ବାଡିରେ ପିଟିବା ଆରମ୍ଭ କଲେ ଏବଂ ଗାଳି ଦେଲେ । ସ୍ଥାନୀୟ ଲୋକମାନେ ବିରୋଧ କରିବା ପରେ ମାଡ ମାରୁଥିବା ଯୁବକ ସେଠାରୁ ଚାଲିଯାଇଥିଲେ । କିଛି ଲୋକ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଛନ୍ତି ।

ଘଟଣା ସମୟରେ ଯେତେବେଳେ ମାଡ ମାରୁଥିବା ଯୁବକଙ୍କୁ ପଚରାଗଲା କି, ସେମାନେ କାହିଁକି ମାଡ ମାରୁଛନ୍ତି, ତେବେ ଜବାବ ଆସିଲା କି, “ଏମାନେ କାଶ୍ମୀରର । ଏମାନେ ଆମ ସେନାର ଯବାନଙ୍କ ଉପରକୁ ପଥର ଫୋପାଡନ୍ତି ।” ଏହା ପୂର୍ବରୁ ମଧ୍ୟ ଏଠି ଡ୍ରାଇ ଫ୍ରୁଟସ୍ ବିକ୍ରିି କରୁଥିବା କାଶ୍ମୀରୀଙ୍କୁ ମାଡ ମାରିବା ମାମଲା ଆସି ସାରିଛି । ପୀଡିତ ଯୁବକଙ୍କ ଅଭିଯୋଗ କ୍ରମେ ପୁଲିସ ମାରପିଟ୍ ଓ ଧମକ ଦେବାର ଧାରାରେ ମାମଲା ରୁଜୁ କରିଛି ଏବଂ ଏହାର ଯାଂଚ କରାଯାଉଛି । ଲଖନଉ ପୁଲିସ ଟ୍ୱିଟ୍ କରି ଏହି ଘଟଣା ସ୍ପଷ୍ଟ କରି କହିଛି କି, ମାମଲା ରୁଜୁ କରାଯାଇଛି ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ଏହା ପୂର୍ବରୁ ଉତ୍ତର ପ୍ରଦେଶର ବରେଲୀ ଜିଳ୍ଲାରେ ମଧ୍ୟ ଏଭଳି ଘଟଣା ସାମନାକୁ ଆସିଛି । ସେହି ସମୟରେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ପୁଲିସର ଉପସ୍ଥିତିେରେ ଏକ ହସ୍ତଶିଳ୍ପ ପ୍ରଦର୍ଶନୀ ଷ୍ଟଲ ଗୁଡିକୁ ବଳପୂର୍ବକ ବନ୍ଦ କରାଇଦେଇଥିଲେ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଦେଶର ଅନେକ ସ୍ଥାନରେ କାଶ୍ମୀରୀ ଯୁବକଙ୍କ ଉପରେ ଆକ୍ରମଣ ହୋଇଛି ।