ଭାଲେଣ୍ଟାଇନ ସପ୍ତାହରେ ନାଗ-ନାଗୁଣୀଙ୍କ ପ୍ରେମ କାହାଣୀ !

255

କନକ ବ୍ୟୁରୋ : ପ୍ରେମ ସ୍ୱଗୀୟ, ଶାଶ୍ୱତ ତଥା ଚିରନ୍ତନ ବୋଲି କବି ମାନେ କହି ବୁଲନ୍ତି । ସୃଷ୍ଟିର ପ୍ରେମରେ ଆଦାମ ଆଉ ଇଭ ହୁଅନ୍ତୁ କିମ୍ବା ଲେଲା ମଝନୁ ବା ଆମ ସଂସ୍କୃତିର କେଦାର ଗୌରୀ ସମସ୍ତେ ପ୍ରେମର ପ୍ରତୀକ । ଏହି ପ୍ରେମ ଯେ କେବଳ ମଣିଷ ଭିତରେ ସୀମିତ ତା ନୁହେଁ ବରଂ ପ୍ରେମ ପଶୁପକ୍ଷୀ , ଜୀବଜନ୍ତୁ ଏପରିକି ହିଂସ୍ର ସରୀସୃପ ମଧ୍ୟ କରିଥାନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଧୂଷୁରୀ ଥାନା ଭଟ୍ଟସାହିରେ । ଦୁଇ ନାଗ ନାଗୁଣୀଙ୍କ ସ୍ନେହ , ପ୍ରେମ ଓ ଭଲପାଇବା ସମସ୍ତଙ୍କୁ ଚକିତ କରିଛି । ଭାଲେଣ୍ଟାଇନ ସପ୍ତାହରେ ନାଗ ନାଗୁଣୀଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଭଦ୍ରକ ଧୂଷୁରୀ ଥାନା ଭଟ୍ଟ ସାହି ମନ୍ଦିର ନିକଟରେ ଦୁଇଟି ବିଷଧର ସାପ ବୁଲୁଥିବା ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇଥିଲେ । ଏନେଇ ଭଦ୍ରକର ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ନେକ ହେଲ୍ପଲାଇନ ସଦସ୍ୟ ମିର୍ଜ଼ା ଅରିଫ । ପ୍ରଥମେ ଘଟଣାସ୍ଥଳରୁ ଏକ ବିରାଟକାୟ ନାଗ ସାପକୁ ଧରିବା ପରେ ଭୟଭୀତ ହୋଇଯାଇଥିଲେ ସ୍ଥାନୀୟ ବାସିନ୍ଦା ।

ତେବେ କିଛି ସମୟ ପରେ ନାଗୁଣୀକୁ ଧରିଥିଲେ ମିର୍ଜା ଅରିଫ । ତେବେ ସାପ ଦୁଇଟି ଧରା ପଡିବା ପରେ ପ୍ରତିଆକ୍ରମଣ କରିବା ବଦଳରେ ବେଶ ଶାନ୍ତ ରହିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କାରଣ ସାପକୁ ଧରିବା ବେଳେ ସାଧାରଣତଃ ଏମାନେ ଆକ୍ରମଣ କରିଥାନ୍ତି କିମ୍ବା ଖସିଯିବାକୁ ଉଦ୍ୟମ କରିଥାନ୍ତି । କିନ୍ତୁ ଏହି ଦୁଇ ନାଗ-ନାଗୁଣୀ ଏଭଳି ନକରି ପରସ୍ପରକୁ ବେଶ କିଛି ସମୟ ଅନାଇ ରହିଥିଲେ । ଲାଗୁଥିଲା ସତେ ଯେମିତି ବିଚ୍ଛେଦ ହେବା ପୂର୍ବରୁ ଶେଷ ଥର ପାଇଁ ଦୁହେଁ ଦୁହିଁଙ୍କୁ ଦେଖୁଛନ୍ତି । ଆଉ ଏହି ଦୁଇ ସାପଙ୍କର ଏଭଳି ହରକତ ଦେଖି ସାଧାରଣ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

ସ୍ନେକ ହେଲ୍ପ ଲାଇନ ସଦସ୍ୟ ସାପଙ୍କୁ ଧରିଥିଲେ ମଧ୍ୟ ଏମାନେ ଏହାକୁ ବୋଧହୁଏ ଖାତିର କରିନଥିଲେ । ବେଶ କିଛି ସମୟ ଶାନ୍ତ ରହିବା ସହ ପ୍ରେମର ଆବିଳତା ମଧ୍ୟରେ ନିଜକୁ ବାନ୍ଧି ରଖିଥିଲେ । ନା ଏମାନେ ଚୋଟ ମାରିବାକୁ ପ୍ରୟାସ କରୁଥିଲେ ନା ପରସ୍ପରକୁ ଛାଡିବାକୁ ଚାହୁଁଥିଲେ । ତେବେ ଏଭଳି ଦୃଶ୍ୟ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ମଧ୍ୟ ଆଶ୍ଚଯ୍ୟ କରିଛି । ମିର୍ଜା ଅରିଫଙ୍କ କହିବା ଅନୁଯାୟୀ, ଏଭଳି କେତେ ସାପ ଧରିଛି । ସାପକୁ ଧରିବା ମାତ୍ରେ ଏମାନେ ହିଂସ୍ର ହୋଇ ଚୋଟ ପରେ ଚୋଟ ମାରିଥାନ୍ତି । କିନ୍ତୁ ସାପଙ୍କ ମଧ୍ୟରେ ଏଭଳି ଲକ୍ଷଣ ପୂର୍ବରୁ କେବେ ଦେଖିନାହିଁ । ଲାଞ୍ଜକୁ ଧରିବା ପରେ ମଧ୍ୟ ଏହି ଯୋଡି ଖସିଯିବାକୁ ଉଦ୍ୟମ କରିନଥିଲେ । ସ୍ଥିର ହୋଇ ରହିବା ସହ ବେଶ କିଛି ସମୟ ପରସ୍ପରକୁ ଚାହିଁ ରହିଥିଲେ । ଏଭଳି ଘଟଣା ଜୀବନରେ ପ୍ରଥମ ଥର ପାଇଁ ଦେଖିଛି ବୋଲି କହିଛନ୍ତି ମିର୍ଜା । ଏହା ବୋଧହୁଏ ପ୍ରେମ ବୋଲି କହିଛନ୍ତି ମିର୍ଜା ଅରିଫ୍ । ତେବେ ଭାଲେଣ୍ଟାଇନ ସପ୍ତାହରେ ଯେତେବେଳେ ମଣିଷ ପ୍ରେମରେ ମସଗୁଲ ରହିଛି ସେତେବେଳେ ଏହି ଦୁଇ ସାପଙ୍କ ପ୍ରେମରେ ବ୍ରେକଅପ ହେବ ବା କେମିତି । ସାପ ଦୁଇଟିକୁ ଧରିବା ପରେ ଜଙ୍ଗଲରେ ଛାଡି ଦେଇଛନ୍ତି ମିର୍ଜା ଅରିଫ୍ ।