କେନ୍ଦ୍ରାପଡାର ନୂଆ କାହାଣୀ: ମଣିଷ ଡାକୁଛି, ମାଙ୍କଡ ଆସୁଛି…

470

କନକ ବ୍ୟୁରୋ: ମଣିଷ ଯେଉଁଠି ମାଙ୍କଡ ସେଇଠି । ମାଙ୍କଡ ଯେଉଁଠି ମଣିଷ ସେଇଠି । ମଣିଷ- ମାଙ୍କଡର ଏ ସମ୍ପର୍କ ଆଜିର ନୁହେଁ ବରଂ କାହିଁ କେଉଁ କାଳରୁ । ପଶୁପକ୍ଷୀଙ୍କ ସହ ମଣିଷର ସମ୍ପର୍କ ନିବିଡ ହେବା ଆଉ ଉଭୟ ଉଭୟର ବନ୍ଧୁ ସାଜିବା ଅନେକ ନଜିର ରହିଛି । ତେବେ ସେମିତି ଏକ ମାଙ୍କଡ-ମଣିଷର କାହାଣୀ ଆସିଛି କେନ୍ଦ୍ରାପଡାରୁ ।

ଏଠି ମଣିଷ ତାଳି ମାରିଲେ ଗଛ ତଳକୁ ଓହ୍ଲାଇ ଆସୁଛନ୍ତି ମାଙ୍କଡ । ମଣିଷଙ୍କୁ ଦେଖିଲେ ଡାଳରୁ ଡେଇ ପଡୁଛନ୍ତି ମାଙ୍କଡ ପଲ । ମଣିଷ ହାତରୁ ଖାଦ୍ୟ ଖାଉଛନ୍ତି, ମଣିଷ ପାଖକୁ ଆଉଜି ଯାଉଛନ୍ତି, ଆଉ ମଣିଷ ଭଳି ବୋଲ ମାନୁଛନ୍ତି ଏ ମାଙ୍କଡ ପଲ । ତେବେ ମଣିଷ-ମାଙ୍କଡଙ୍କ ଏ ନିଆରା ସମ୍ପର୍କ ଦେଖି ବାଟରେ ଯାଉଥିବା ଲୋକେ ଘଡିଏ ଅଟକି ଯାଉଛନ୍ତି ।

ତେବେ ମାଙ୍କଡଙ୍କ ସହ ମିତ ବସିଥିବା ମିଶ୍ର ବାବୁଙ୍କ ପାଇଁ ଏ ନିଆରା ସମ୍ପର୍କ ଗଢି ଉଠିଛି, ମିଶ୍ର ବାବୁଙ୍କ ପାଇଁ କେନ୍ଦ୍ରାପଡା ବ୍ଲକ ଅଫିସରେ ମାଙ୍କଡଙ୍କ ଆସର ଜମିଛି । କେନ୍ଦ୍ରାପଡା ବ୍ଲକର ଡିଲିଂଙ୍ଗ ଆସିଷ୍ଟାଣ୍ଡ ଅରବିନ୍ଦ ମିଶ୍ର ମାଙ୍କଡଙ୍କ ପ୍ରେମରେ ପଡିବା ପରେ ତାଙ୍କୁ ଖୁଆଉଛନ୍ତି, ତାଙ୍କ ସହ ଖେଳୁଛନ୍ତି । ଆଉ ମାଙ୍କଡମାନେ ମଧ୍ୟ ମିଶ୍ର ବାବୁଙ୍କ ପ୍ରେମରେ ବନ୍ଧା ପଡିଛନ୍ତି । ତାଙ୍କ ପାଖକୁ ଆସୁଛନ୍ତି ଆଉ ତାଙ୍କ ବୋଲ ମଧ୍ୟ ମାନୁଛନ୍ତି ।

ମାଙ୍କଡ ପଲଙ୍କୁ ବିସ୍କୁଟ, ଚୂଡା, ମୁଢୀ ଆଦି ଖୁଆଇବା ପାଇଁ ମାସକୁ ୪ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରନ୍ତି ମିଶ୍ର ବାବୁ । ତେବେ ମିଶ୍ର ବାବୁଙ୍କ ଏ ନିଆରା ପ୍ରେମ ଦେଖି ବ୍ଲକର ଅନ୍ୟ କର୍ମଚାରୀମାନେ ମଧ୍ୟ ମାଙ୍କଡଙ୍କୁ ଖୁଆଇବାକୁ କିଛି କିଛି ସାହାଯ୍ୟ କରୁଛନ୍ତି । ଆଉ ମିଶ୍ର ବାବୁଙ୍କ ଅନୁପସ୍ଥିତି ବେଳେ ସେମାନେ ମାଙ୍କଡ ପଲଙ୍କ ଦାୟିତ୍ୱ ସମ୍ଭାଳୁଛନ୍ତି । ତେବେ ମାଙ୍କଡମାନେ ମଣିଷର ଏତେ ପାଖରେ ଥାଇ ମଧ୍ୟ କୌଣସି କ୍ଷତି କରୁନଥିବା କର୍ମଚାରୀ କହିଛନ୍ତି । ତେବେ ଆଜିର ଏ ସ୍ୱାର୍ଥପର ସମାଜକୁ କେନ୍ଦ୍ରାପଡାର ମଣିଷ-ମାଙ୍କଡ କାହାଣୀ ସ୍ନେହ, ସମ୍ପର୍କ ଆଉ ବନ୍ଧୁତାର ବାର୍ତ୍ତା ଦେଇଛି ।