ଯାଜପୁରର ଗାନ୍ଧୀ ମଣିଷ: ଜାତିର ପିତାଙ୍କ ପାଦ ତଳେ ପଚାଶ ବର୍ଷ । ପୂଜା କରୁଛନ୍ତି, ଗାନ୍ଧୀ ବାଣୀ ବାଣ୍ଟୁଛନ୍ତି

152

କନକ ବ୍ୟୁରୋ: ଗାନ୍ଧୀଙ୍କ ପ୍ରେମରେ ପଡିଥିବା, ଗାନ୍ଧୀଙ୍କ ଆଦର୍ଶରେ ଉବୁଟୁବୁ ହେଉଥିବା ଏ ନିଆରା ମଣିଷ ଜଣଙ୍କ ହେଉଛନ୍ତି ନିଶିଥ ଦାସ । ବୟସ ୬୫ ବର୍ଷ । ହେଲେ ନିଜ ପରିଣତ ବୟସକୁ ବେଖାତିର କରି ସେ ନିଇତି ଗାନ୍ଧୀଙ୍କୁ ପୂଜା କରନ୍ତି । ଦୀର୍ଘ ୫୦ ବର୍ଷ ହେବ ଜାତିର ପିତାଙ୍କୁ ନିଜ ପିତା ଭଳି ପୂଜା କରିଆସୁଥିବା ନିଶିଥ ସକାଳ ହେବା କ୍ଷଣି ଗାନ୍ଧୀଙ୍କୁ ଗାଧୋଇ ଦିଅନ୍ତି, ତାଙ୍କୁ ପୋଛିପାଛି ଦିଅନ୍ତି ଆଉ ଫୁଲଧୂପ ଦେଇ ପୂଜ୍ୟ ବାପୁଙ୍କ ପୂଜାର୍ଚ୍ଚନା କରନ୍ତି ।

ତେବେ ସକାଳରୁ ସଞ୍ଜ ଗାନ୍ଧୀଙ୍କ ଗୀତକୁ ଗୁଣୁଗୁଣାଉଥିବା ନିଶିଥଙ୍କ ଘର ଯାଜପୁର ତାରାମଦନ ଅଞ୍ଚଳରେ । ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ନିଶିଥ ବ୍ୟାଙ୍କ ଚାକିରିରୁ ଅବସର ପରେ ଗାନ୍ଧୀ ବାଣୀ ପ୍ରଚାର ପ୍ରସାରରେ ନିଜକୁ ନିୟୋଜିତ କରିଛନ୍ତି ଆଉ ସେଇଥିପାଇଁ ତାଙ୍କୁ ସ୍ଥାନୀୟ ଲୋକେ ଗାନ୍ଧୀ ମଣିଷ ବୋଲି ଡାକୁଛନ୍ତି ।

୪୦ ବର୍ଷ ତଳେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଦିଆଯାଇଥିବା ଶୁଖିଲା ଫୁଲ ନିଶିଥଙ୍କୁ ଆନ୍ଦୋଳିତ କରିଥିଲା । ଶୁଖିଲା ଫୁଲ ଜାତିର ପିତାଙ୍କ ପ୍ରତି ଅପମାନ ବୋଲି ଭାବିଥିଲେ । ଆଉ ସେବେଠାରୁ ସବୁଦିନ ରାତିରୁ ଉଠି ଫୁଲ ତୋଳି ସହରର ସବୁ ପ୍ରତିମୂର୍ତ୍ତୀକୁ ସଫାସୁତୁରା କରି ସତେଜ ଫୁଲ ଦେଉଛନ୍ତି ନିଶିଥ । ତେବେ ଗାନ୍ଧୀଙ୍କ ଆଦର୍ଶକୁ ଅଧିକ ପ୍ରଚାର କରିବା ପାଇଁ ସେ ଅନେକ ଶିକ୍ଷାନୁଷ୍ଠାନରେ ନିଜ ଉଦ୍ୟମରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିଛନ୍ତି । ଯାହାକୁ ସେ ସବୁଦିନ ପୂଜା କରନ୍ତି ଆଉ ପିଲାଙ୍କୁ ଗାନ୍ଧୀଙ୍କ କଥା କୁହନ୍ତି ।

ତେବେ ଅକ୍ଟୋବର ୨ ଆସିଲେ ଅନେକ ଲୋକଙ୍କର ହଠାତ ମନେ ପଡନ୍ତି ଗାନ୍ଧୀ । ଲୋକ ଦେଖାଣିଆ ଗାନ୍ଧୀଙ୍କୁ ପୂଜା କରନ୍ତି ତାଙ୍କ ପ୍ରତିମୂତିରେ ଫୁଳମାଳ ଦିଅନ୍ତି । ହେଲେ ଗାନ୍ଧୀଙ୍କ ଆଦର୍ଶକୁ ଜୀବନର ବ୍ରତ ଭାବି ତାଙ୍କୁ ସବୁଦିନ ପୂଜା କରୁଥିବା ଏ ମଣିଷ ଜଣଙ୍କ ଅଦିନିଆ ଗାନ୍ଧୀପ୍ରେମୀଙ୍କ ପାଇଁ ଏକ ବଡ ଉଦାହରଣ ସାଜିଛନ୍ତି ।