ଭୁବନେଶ୍ୱର ଜୟଦେବ ବିହାରରୁ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରା ଗିରଫ

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ଜୟଦେବ ବିହାରରୁ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରା ଗିରଫ । ଏଠାରେ ଥିବା କେଟିଏମ୍ ସୋ-ରୁମ୍ ନିକଟରୁ ୨ ଲୁଟେରାଙ୍କୁ ଗିରଫ କରିଛି ନୟାପଲ୍ଲି ଥାନା ପୁଲିସ । ଏମାନଙ୍କ ନିକଟରୁ ୩ଟି ମାଉଜର ଜବତ ହୋଇଛି । କିଛିମାସ ତଳେ ହାଇୱେରୁ ଏକ କେଟିଏମ ବାଇକ ଲୁଟ୍ ନେଇ ପୁଲିସରେ ଅଭିଯୋଗ ହୋଇଥିଲା । ଗନ୍ ପଏଂଟରେ ବାଇକ ଲୁଟ୍ କରିଥିଲେ ଲୁଟେରା । ତେବେ ଲୁଟ୍ ବାଇକକୁ ମରାମତି ପାଇଁ ସୋ-ରୁମ ଆସିଥିବା ଲୁଟେରାଙ୍କୁ କାବୁ କରିନେଇଥିଲା ପୁଲିସ ।

ଓଡିଶାରେ ଏକମାତ୍ର ସୋ-ରୁମ ଥିବାରୁ ଲୁଟ୍ ବାଇକର ଚେସିସ ନମ୍ବର ଦେଇଥିଲା ପୁଲିସ । ଆଉ ଲୁଟେରା ଆଜି ଗାଡି ସଜାଡିବାକୁ ପହଂଚିବା ମାତ୍ରେ ପୁଲିସକୁ ଖବର ଦେଇଥିଲେ ସୋ-ରୁମ କର୍ତୃପକ୍ଷ । ତେବେ ପୁଲିସ ପହଂଚି ଏମାନଙ୍କୁ କାବୁ କଲାବେଳେ ପୁଲିସକୁ ମାଉଜର ଦେଖାଇଥିଲେ ଲୁଟେରା । ଶେଷରେ ୨ ଲୁଟେରାଙ୍କୁ କାବୁ କରିନେଇଥିଲା ପୁଲିସ । ଦୁଇ ଲୁଟେରା ମହମ୍ମଦ ଆସିଫ ଓ ଫିରୋଜ ସାହା ବୋଲି ପୁଲିସ କହିଛି । ଏମାନେ ନିରାକାରପୁର ଖଜୁରିଆପଡା ଅଂଚଳର ।