ଆଜି ଦେଖାଯିବ ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଜାଣନ୍ତୁ, ଚନ୍ଦ୍ରଗ୍ରହଣର ଟିକିନିକି ତଥ୍ୟ ।

47

କନକ ବ୍ୟୁରୋ : ଆଜି ଦେଖାଯିବ ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ରାତି ୧୧ଟା ୫୪ରେ ଚନ୍ଦ୍ରକୁ ଗ୍ରାସ କରିବ ଗ୍ରହଣ । ଭୋର ୩ଟା ୪୯ ଯାଏଁ ଏହି ବିରଳ ଦୃଶ୍ୟ ଦେଖିହେବ । ଦୀର୍ଘ ୧ ଘଂଟା ୪୩ ମିନିଟ୍ ଧରି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରର ରଙ୍ଗ ରକ୍ତବର୍ଣ୍ଣ ହୋଇଯିବ । ତେବେ ଗ୍ରହଣ ପାଇଁ ଅପରାହ୍ନ ୨ଟା ୫୪ରୁ ରୋଷେଇ ଓ ଦେବପୂଜା ବନ୍ଦ ହୋଇସାରିଛି । ପୁରୀ ଶ୍ରୀମନ୍ଦିର ସମେତ ଦେବାଳୟଗୁଡିକରେ ସ୍ୱତନ୍ତ୍ର ନୀତି ନିର୍ଘଂଟ କରାଯାଇଛି ।

ବୈଜ୍ଞାନିକଙ୍କ ମତରେ ଏହା ଏକ ମହାଜାଗତିକ ପ୍ରକ୍ରିୟା । ଯେତେବେଳେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଗୋଟିଏ ସରଳରେଖାରେ ରୁହନ୍ତି ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ । ଅର୍ଥାତ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଅବସ୍ଥାନ କରେ, ସୂର୍ଯ୍ୟଙ୍କ କିରଣ ଚନ୍ଦ୍ର ଉପରେ ପଡିପାରେ ନାହିଁ । ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିବାରୁ ଚନ୍ଦ୍ର ଆମକୁ ଦୃଶ୍ୟମାନ ହୁଏନାହିଁ ।

ତେବେ ହିନ୍ଦୁ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ନେଇ ଅନେକ ମତ ରହିଛି । କେତୁ, ଚନ୍ଦ୍ରକୁ ଗ୍ରାସ କରିବାରୁ ମହାକାଶରେ ଏହା ଦୃଶ୍ୟମାନ ହୁଏନାହିଁ । ଏଥିଲାଗି ଅନେକ ନୀତିନିୟମ ରହିଛି । ଗ୍ରହଣ ଲାଗିବାର ୯ଘଂଟା ପୂର୍ବରୁ ଅର୍ଥାତ୍ ଅପରାହ୍ନ ୨ଟା ୪୫ମିନିଟରୁ ପାକତ୍ୟାଗ ଓ ଦେବ ନୀତି ନିଷିଦ୍ଧ କରାଯାଇଛି । ରାତି ୧୧ଟା ୫୩ମିନିଟ୍ ୪୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ । ଏବଂ ରାତି ୧ଟା ୧୫ ସେକେଣ୍ଡରେ ପୂର୍ଣ୍ଣଗ୍ରାସ ଆରମ୍ଭ ହୋଇ ୨ଟା ୪୩ମିନିଟି ୧୧ସେକେଣ୍ଡରେ ଶେଷ ହେବ । ରାତି ୩ଟା ୪୯ ମିନିଟ୍ ୩ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦେବନୀତିରେ ପରିବର୍ତନ କରାଯାଇଛି । ଶ୍ରୀମନ୍ଦରର ସମସ୍ତ ନୀତିକାନ୍ତି ସଅଳ ସମାପନ ହୋଇଛି । ରାତି ୧୦ଟାରେ ପହୁଡ଼ ପଡିବା ପରେ କାଲି ଭୋର ୫ଟାରେ ଶ୍ରୀଜିଉଙ୍କ ଦ୍ୱାର ଖୋଲିବ । ଅନ୍ୟ ଦେବାଳୟରେ ବି ସ୍ୱତନ୍ତ୍ର ନୀତି ନିର୍ଘଂଟ କରାଯାଇଛି ।

ପୂର୍ଣ୍ଣ ଚନ୍ଦ୍ରଗ୍ରହଣର ଯେଉଁ ମହାଜାଗତିକ ଦୃଶ୍ୟ ଆଜି ଦେଖାଯିବ, ପୁଣି ୧୦୪ ବର୍ଷ ପରେ ଅର୍ଥାତ ୨୧୨୩ ମସିହା ଜୁନ୍ ମାସ ୯ ତାରିଖରେ ଏହିପରି ଏକ ଚନ୍ଦ୍ରଗ୍ରହଣ ଦେଖାଦେବ ବୋଲି କହିଛନ୍ତି ମହାକାଶ ବିଜ୍ଞାନୀ ।