ଦେଶରେ ମେ ୩୧ ଯାଏଁ ବଢିଲା ଲକଡାଉନ୍ ଅବଧି । କାଲିଠୁ ଲାଗୁ ହେବ ନୂଆ ନିୟମ ଜାଣନ୍ତୁ କାଲିଠୁ କ’ଣ ରହିବ ଖୋଲା, କ’ଣ ବନ୍ଦ ।

7,988

କନକ ବ୍ୟୁରୋ : ତାଲାବନ୍ଦର ବଡ଼ ଖବର । ଦେଶରେ ମେ ୩୧ ତାରିଖ ପର୍ଯ୍ୟନ୍ତ ବଢିଲା ଲକଡାଉନ୍ ଅବଧି । ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଅବଧି ଭିତରେ କେଉଁଥିରେ କଟକଣା ରହିବ ଏବଂ କଣ ଖୋଲା ରହିବ ।

ଲକ ଡାଉନ ୪
କୋହଳ ହେଲା କଣ ?
୧. ରାଜ୍ୟ ଭିତରେ ବସ ଚଳାଚଳକୁ ଅନୁମତି
୨. ରାଜ୍ୟ-ରାଜ୍ୟ ଭିତରେ ସହମତି ସହ ବସ ଚଳାଚଳ
୩. ବିବାହ ଉତ୍ସବରେ ସର୍ବାଧିକ ୫୦ ଲୋକଙ୍କ ସମାବେଶ ଅନୁମତି
୪. ଶବ ସତ୍କାର ବେଳେ ୨୦ଲୋକଙ୍କ ସମାବେଶକୁ ଅନୁମତି
୫. ଦୋକାନରେ ୬ଫୁଟ ଦୂରତା ସହ ସର୍ବାଧିକ ୫ଜଣ ଗ୍ରାହକଙ୍କୁ ଅନୁମତି
୬. ରେଷ୍ଟୁରାଂଟ ଗୁଡିକ ହୋମ ଡେଲିଭରି କରିପାରିବେ
୭. ବସଷ୍ଟପ, ରେଳଷ୍ଟେସନ ଓ ବିମାନବନ୍ଦରର କ୍ୟାଂଟିନ ଚାଲିପାରିବ
୮. ଆମ୍ବୁଲାନ୍ସ ଓ ମାଲପରିବହନ ଗାଡି ସାରା ଦେଶରେ ଚାଲିପାରିବ

କଣ ବନ୍ଦ ?
୧. ଘରୋଇ ଓ ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ
୨. ମେଟ୍ରୋ ରେଳ ସେବା ବନ୍ଦ ରହିବ
୩. ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ
୪. ହୋଟେଲ, ରେଷ୍ଟୁରାଂଟ ଓ ହସ୍ପିଟାଲିଟି ସେବା ବନ୍ଦ
୫. ସିନେମା ହଲ୍, ଜିମ, ମାର୍କେଟ କମ୍ଲେକ୍ସ, ସ୍ୱିମିଂପୁଲ, ବାର, ଅଡିଟୋରିୟମ ବନ୍ଦ
୬. ଧାର୍ମିକ, ସାମାଜିକ, ରାଜନୈତିକ, କ୍ରୀଡା ସମାବେଶକୁ ନା
୭. ଧାର୍ମିକ ଅନୁଷ୍ଠାନରେ ସାଧାରଣ ଲୋକଙ୍କ ପୂଜାର୍ଚ୍ଚନା ଉପରେ କଟକଣା

ରାତିରେ କର୍ଫ୍ୟୁ
୧. ସଂଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜାରି ରହିବ ନାଇଟ କର୍ଫ୍ୟୁ
୨. ସର୍ବସାଧାରଣ ସ୍ଥାନରେ ଗୁଟଖା, ପାନ ଓ ମଦ ସେବନ ନିଷେଧ
୩. ସର୍ବସାଧରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
୪. ସାନିଟାଇଜେସନ ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ

ଜୋନର ବିଭକ୍ତିକରଣ
୧. ରେଡ, ଅରେଂଜ, ଗ୍ରୀନ ଜୋନ ସହ ବଫର ଓ କଂଟେନମେଂଟ ଜୋନ ଚିହ୍ନଟ ହେବ
୨. ରେଡ ଓ ଅରେଞ୍ଜ ଜୋନ: ବଫର ଓ କଂଟେନମେଂଟ ଜୋନ ଚିହ୍ନଟ
୩. କଂଟେନମେଂଟ ଜୋନରେ ଚାଲିପାରିବ ଜରୁରୀକାଳୀନ ସେବା
୪. କଂଟେନମେଂଟ ଜୋନରେ ଲୋକଙ୍କ ଗତିବିଧି ଉପରେ ରୋକ

ତେବେ ସବୁଠାରୁ ବଡ କଥା ହେଉଛି, ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଅବଧି ଭିତରେ ରାଜ୍ୟ ରାଜ୍ୟ ଭିତରେ ବୁଝାମଣା ଅନୁସାରେ ବସ୍ ଚାଲିପାରିବ । ତେବେ ରାଜ୍ୟ ଭିତରେ ବସ୍ ଚଳାଚଳ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ନିୟମ ଭାଙ୍ଗିଲେ ବିପର୍ଯ୍ୟୟ ପରିଚାଳନା ଆଇନ୍ ଅନୁସାରେ ପଦକ୍ଷେପ ନିଆଯିବ ।

ସନ୍ଧ୍ୟା ୭ଟାରୁ ସକାଳ ୭ ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ । ଅବରୋଧ ଅଞ୍ଚଳରେ କେବଳ ଅତ୍ୟାବଶ୍ୟକୀୟ ଗତିବିଧିକୁ ଅନୁମତି ମିଳିବ । କୌଣସି ସ୍ଥାନରେ ବି ମାଲ୍ ପରିବହନକୁ ବାଧା ଦିଆଯିବନି । ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ପାଇଁ ପରାମର୍ଶ ଦେଇଛି ଗୃହମନ୍ତ୍ରାଳୟ ।

ସର୍ବସାଧାରଣ ଓ କର୍ମସ୍ଥଳୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣ ଯୋଗ ଦେଇ ପାରିବେ । ସେହିପରି ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣ ଯୋଗ ଦେଇପାରିବେ । ସର୍ବସାଧାରଣ ସ୍ଥାନରେ ମଦ, ପାନ, ଗୁଟଖା ଖାଇବା ମନା । ଗୋଟିଏ ଦୋକାନରେ ଏକ ସମୟରେ ୫ ଜଣରୁ ଅଧିକ ରହିବା ମନା ।