ଭଗବାନ ବଂଚାଇଦେଲେ ୬ ମତ୍ସ୍ୟଜୀବୀଙ୍କ ଜୀବନ । ମଝି ସମୁଦ୍ରରେ ଡଙ୍ଗାକୁ ଧକା ଦେଲା ଟ୍ରଲର । ପାଣି ଭିତରେ ୧୨ଘଂଟାର ସଂଘର୍ଷ

52

କନକ ବ୍ୟୁରୋ : ଅଧରାତିରେ ମଝି ସମୁଦ୍ରରେ ବୁଡିଗଲା ଡଙ୍ଗା । ପାଣିରେ ବୁଡିଗଲେ ଡଙ୍ଗାରେ ଥିବା ୬ଜଣ ମତ୍ସ୍ୟଜୀବୀ । ୪ ଘଂଟା ଧରି ପାଣି ଭିତରେ ଚାଲିଲା ଜୀବନ ସହ ସଂଘର୍ଷ । ଆଉ ଖବର ପାଇ ପହଁଚିଗଲେ ଉଦ୍ଧାରକାରୀ ଦଳ ।

ଅକାତ ପାଣିରେ ଚାଲିଛି ଉଦ୍ଧାରକାର୍ଯ୍ୟ । ବୁଡିଯାଇଥିବା ଡଙ୍ଗାକୁ ଦଉଡିରେ ବାନ୍ଧି କୂଳକୁ ଟାଣି ଆଣୁଛନ୍ତି ଆଉ କିଛି ଡଙ୍ଗା । ଆଉ ଡଙ୍ଗା ଭିତରେ ଅଛନ୍ତି ୬ଜଣ ମତ୍ସଜୀବୀ । ଡଙ୍ଗାର ଅଧା ଭାଂଗିରୁଜି ଯାଇଥିବା ବେଳେ ପାଣିରେ ବୁଡି ରହିଛି , ଆଉ ଅଧା ଡଙ୍ଗାରେ ଜୀବନ ସହ ସଂଘର୍ଷ କରୁଛନ୍ତି ମତ୍ସଜୀବୀ । ଶେଷରେ କୂଳରେ ପହଁଚିଛି ମାଛଧରା ଡଙ୍ଗାଟି । ବଂଚିଯାଇଛି ୬ଜଣ ଧୀବରଙ୍କ ଜୀବନ ।

ମହାକାଳ ପଡା ମାଦିଲି ମୁହାଣର ୨୦ କିଲୋମିଟର ଦୂରରେ ଡଙ୍ଗାଟି ମାଛ ଧରୁଥିଲା । ଡଙ୍ଗାରେ ଥିଲେ ୬ଜଣ ଧୀବର । ରାତିର ଅନ୍ଧାରରେ ହଠାତ୍ ଛୋଟ ମାଛଧରା ଡଙ୍ଗାଟିକୁ ଧକ୍କା ଦେଇଥିଲା ଏକ ବଡ ଟ୍ରଲର । ସଙ୍ଗେ ସଙ୍ଗେ ଓଲଟି ପଡିଥିଲା ଡଙ୍ଗାଟି । ଆଉ ମଝି ସମୁଦ୍ରରେ ବୁଡିଯାଇଥିଲେ ୬ଜଣ ଯାକ ମତ୍ସ୍ୟଜୀବୀ ।

ଆନ୍ଧାର ରାତିରେ ସମୁଦ୍ର ଭିତରେ ଛଟପଟ ହେଉଥିଲେ ଧୀବର । ଏହି ସମୟରେ ପାଖରେ ଥିବା ଆଉ ଏକ ଡଙ୍ଗାରେ ମାଛ ମାରୁଥିବା ମତ୍ସ୍ୟଜୀବୀ ସେମାନଙ୍କ ଚିକ୍ରାର ଶୁଣିପାରି ବୋଟ୍ ଆସୋସିଏସନକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ୧୦ଟି ଡଙ୍ଗା ପହଁଚିଯାଇଥିଲା ଘଟଣାସ୍ଥଳରେ । ପରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା । ଏଥିସହ ବୁଡି ଯାଇଥିବା ବୋଟ୍କୁ ମଧ୍ୟ ସମୁଦ୍ର ମଝିରୁ କୂଳକୁ ଟାଣିଟାଣି ଆଣାଯାଇଥିଲା ।