ମାଲ ନେବ ମାଲ… କୋଡ ୱାର୍ଡରେ ବିକ୍ରି ହେଉଛି ମଦ । ଚଳନ୍ତା ଟ୍ରେନରେ ଆସର ଜମାଇବାକୁ ସାଙ୍ଗରେ ମିଳୁଛି ଚାଖଣା

740

କନକ ବ୍ୟୁରୋ: ଟ୍ରେନରେ ମଦ୍ୟପାନ । ସିଏ ପୁଣି ଖୁଲମଖୁଲା । ଓଡ଼ିଶା ଦେଇ ଯାଉଥିବା ଏକ ଏକ୍ସପ୍ରେସ ଟ୍ରେନର ଜେନେରାଲ ବଗିରେ ଏଭଳି କିଛି ଦୃଶ୍ୟ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ବେଳେ ଜଣେ ଟ୍ରେନ ଯାତ୍ରୀ ଏହି ଭିଡିଓକୁ ନିଜ ମୋବାଇଲରେ ରେକର୍ଡିଂ କରିଥିଲେ । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ପୁରୁଲିଆରୁ ତାମିଲନାଡୁର ଭିଲୁପୁରମ ଯାଉଥିବା ପିଆରଆର-ଭିଏମ ସାପ୍ତାହିକ ଏକ୍ସପ୍ରେସର ଜେନେରାଲ ବଗିରେ ମଦ୍ୟପାନ ସାଙ୍ଗକୁ ମଦ ବେପାର କରାଯାଉ ଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ଏହି ଟ୍ରେନ ଓଡ଼ିଶାର ବ୍ରହ୍ମପୁର-ଭୁବନେଶ୍ୱର-ଯାଜପୁର-ଭଦ୍ରକ-ବାଲେଶ୍ୱର ଦେଇ ପଶ୍ଚିମବଙ୍ଗକୁ ଯାଇଥାଏ । ତେବେ ଯାଜପୁରରେ କିଛି ଧୂର୍ତ୍ତ ବେପାରୀ ମଦ ଆଣି ଟ୍ରେନ ଭିତରେ ବିକ୍ରି କରିଥାନ୍ତି । ‘ମାଲ ନେବ ମାଲ’ କହି ଏହି ବେପାରୀ ମଦ ପିଇବାକୁ ଇଚ୍ଛା କରିଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିଯାଆନ୍ତି । ଏହା ପରେ ମଦ ବିକ୍ରି କରିଥାନ୍ତି । ଏତିକିରେ କଥା ସରେ ନାହିଁ, ମଦ ସାଙ୍ଗକୁ ଗ୍ରାହକଙ୍କୁ ଚାଖଣା ମଧ୍ୟ ଯୋଗାଇ ଦେଇଥାନ୍ତି ଏମାନେ । ଅବଶ୍ୟ ଗ୍ରାହକମାନଙ୍କୁ ଏଥିପାଇଁ ବଜାରର ନିର୍ଦ୍ଧାରିତ ମୂଲ୍ୟଠାରୁ କିଛି ଅଧିକ ମୂଲ୍ୟ ଦେବାକୁ ପଡିଥାଏ ।

ତେବେ ମଦ ପିଆର ଏହି ଖୋଲା କାର୍ଯ୍ୟକ୍ରମ କିନ୍ତୁ ଅନ୍ୟ ଯାତ୍ରୀଙ୍କ ଉପରେ କଣ ପ୍ରଭାବ ପକାଏ ତାହା ଉପରେ କେବେ କେହି ଦୃଷ୍ଟି ଦେଇନଥାନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଟ୍ରେନରେ ବହୁ ସଂଖ୍ୟାରେ ଶିଶୁ, ମହିଳା ଓ ବୃଦ୍ଧ ବ୍ୟକ୍ତି ଯାତ୍ରା କରୁଥିବା ବେଳେ ଏଭଳି ଖୋଲାଖୋଲି ମଦ୍ୟପାନ କେତେ ଦୂର ଯୁକ୍ତିଯୁକ୍ତ । ରେଳ ମନ୍ତ୍ରାଳୟର ସୁରକ୍ଷା କର୍ମଚାରୀ ଏହା ଉପରେ କେବେ ନଜର ଦେବେ ତାହା ସମୟ ହିଁ କହିବ । ତେବେ ଭାରତୀୟ ଦଣ୍ଡବିଧି ଆଇନ୍ ଓ ରେଳ ଆଇନରେ ଟ୍ରେନ୍ ଯାତ୍ରା କାଳରେ ଟ୍ରେନରେ ମଦ୍ୟପାନ ଏକ ଧର୍ତ୍ତବ୍ୟ ଓ ଦଣ୍ଡନୀୟ ଅପରାଧ।