ଏ କି ଅବସ୍ଥା ! ବାହାରେ ସୁନା ଅଳଙ୍କାରରେ ଛାଉଣୀ ହୋଇ ବୁଲୁଥିଲେ, ଏବେ ଜେଲରେ ପୋଛା ମାରୁଛନ୍ତି ଗୋଲଡେନ ବାବା!

384

କନକ ବ୍ୟୁରୋ : ଜେଲ ପରିସରରେ ପୋଛାପୋଛି କାମ କରୁଛନ୍ତି ବହୁ ଚର୍ଚ୍ଚିତ ଫ୍ରଡ ମାଷ୍ଟର ଗୋଲଡେନ ବାବା । ସୁନା ଅଳଙ୍କାରରେ ଛାଉଣୀ ହୋଇ ରହୁଥିବା ଠକ ମାଷ୍ଟର ଗୋଲଡେନ ବାବାଙ୍କର ଜେଲ ଭିତର କାହାଣୀ ବଖାଣିଛନ୍ତି ଛାତ୍ର କଂଗ୍ରେସ ଆବାହକ ଇତିଶ୍ ପ୍ରଧାନ । କୋଟି କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗୋଲଡେନ ବାବାଙ୍କର ଏଭଳି ଅବସ୍ଥ୍ା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

୧୭ ଦିନ ଝାରପଡା ଜେଲରେ ରହି ଫେରିଥିବା ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ ଜେଲ ମଧ୍ୟରେ ଗୋଲଡେନ ବାବାଙ୍କ ଲାଇଫଷ୍ଟାଇଲ ଗୁମର ଖୋଲିଛନ୍ତି । ବାହାରେ ରାଜକୀୟ ଠାଣିରେ ବଞ୍ଚୁଥିବା ଗୋଲଡେନ ବାବା ଜେଲ ଯିବା ପରେ ମାତ୍ର ଗୋଟିଏ ରଙ୍ଗର ହାଫ୍ ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ବୁଲୁଥିବାର ନଜର ଆସିଥିବା କହିଛନ୍ତି ଇତିଶ । ଜେଲ ମଧ୍ୟରେ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇଯାଇଥିଲା । ଜେଲ ଭିତରେ ସେଲ ଭିତରୁ ବହୁତ କମ ସମୟ ବାହାରକୁ ବାହାରୁଥିବା ଗୋଲଡେନ ବାବାଙ୍କର ଆଉ ପୂର୍ବଭଳି ଚମକ ନାହିଁ ।

ନା ବେକରେ ଅଛି ଭରି ଭରି ସୁନା ଅଳଙ୍କାର ନା ମୁହଁରେ ସେହି ଚମକ । ଜେଲ ଭିତରେ ଯେମିତି ଗୋଲଡେନ ବାବାଙ୍କ ମୁହଁରୁ ହସ ଲିଭି ଯାଇଛି । ଗୋଲଡେନ ବାବାଙ୍କ ସର୍ମ୍ପକରେ ଏଭଳି କିଛି ବୟାନ ରଖିଛନ୍ତି ଇତିଶ । ଏପରିକି ଜେଲ ଭିତରର ଗୁମର ମଧ୍ୟ ଖୋଲିଛନ୍ତି । ଜେଲ ଭିତରେ ଗୋଲଡେନ ବାବାଙ୍କୁ ସେଲ ଭିତରେ କମ୍ବଳ ଘୋଡାଇ ହଇରାଣ କରାଯାଉଥିବା କଥା ସେ ଶୁଣିଛନ୍ତି ବୋଲି କହିଛନ୍ତି ଗୋଲଡେନ ବାବା । ଏପରିକି ସେ ଯେଉଁ ଅପରାଧ କରି ଜେଲକୁ ଯାଇଛନ୍ତି ସେଥିପାଇଁ ତାଙ୍କ ସହ କୌଣସି କଏଦୀ ମଧ୍ୟ ଠିକ୍ ଭାବରେ ମିଶୁନଥିବା କହିଛନ୍ତି ଇତିଶ ।

ଏହାଛଡା ଜେଲ ଭିତରେ ଅତି ନିମ୍ନ ମାନର ଖାଦ୍ୟ ଦିଆଯାଉଛି ଓ କଏଦୀ ମାନଙ୍କୁ ପଶୁ ପରି ବ୍ୟବହାର କରାଯାଉଥିବା ଅଭିଯୋଗ ଆଣିଛନ୍ତି ଇତିଶ । ଏପରିକି ଅଧିକାଂଶ କଏଦୀ ମାନଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଇତିଶ କହିଛନ୍ତି । ଏହାଛଡା ଗୋଲଡେନ ବାବାଙ୍କ ସହ ଯେଉଁ ରାଜନେତା ମାନେ ଜଡିତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ଇତିଶ । ଏହା ପୂର୍ବରୁ ଗୋଲଡେନ ବାବାଙ୍କ ପଲିଟିକାଲ ଲିଙ୍କକୁ ନେଇ ଛାତ୍ର କଂଗ୍ରେସ ମନ୍ତ୍ରୀ ଓ ମେୟରଙ୍କ ଇସ୍ତଫା ଦାବି କରି ରାଜରାସ୍ତାକୁ ଓହ୍ଲାଇଥିଲା । ଆଉ ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତିକୁ ଉତ୍ତେଜନା ମୂଳକ ପରିସ୍ଥିତି ଦେଖା ଦେଇଥିଲା । ଆଉ ଗିରଫ ହୋଇଥିଲେ ଛାତ୍ର କଂଗ୍ରେସର ଆବାହକ ଇତିଶ ପ୍ରଧାନ ।