କମନମ୍ୟାନରୁ କୋଟିପତି ! ବାପାଙ୍କ ଠାରୁ ୫ଲକ୍ଷ ଟଙ୍କା ଆଣି ବ୍ୟବସାୟ ଆରମ୍ଭ କରିଥିଲେ ଭିଜି ସିଦ୍ଧାର୍ଥ, ଜାଣନ୍ତୁ କେମିତି ଥିଲା ସିସିଡି ପ୍ରତିଷ୍ଠାତାଙ୍କ ଜୀବନଯାତ୍ରା ।

415

କନକ ବ୍ୟୁରୋ : ଭିଜି ସିଦ୍ଧାର୍ଥ । ଭାରତର କଫି ସମ୍ରାଟ୍ । କ୍ୟାଫେ କଫି ଡେ- ସିସିଡିର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ । କଫି ରିଟେଲ ବ୍ୟବସାୟରେ ଜଣାଶୁଣା ନାଁ । କଫି ପାଇଁ ତାଙ୍କ ପ୍ରେମ ସାରା ଭାରତରେ ସମସ୍ତଙ୍କୁ ଜଣା । ନିକଟରେ ସେ ‘ମାଇଣ୍ଡ ଟ୍ରି’ରେ ଥିବା ତାଙ୍କ ସମସ୍ତ ଅଂଶଧନକୁ ବିକ୍ରି କରି ଚର୍ଚ୍ଚାକୁ ଆସିଥିଲେ । କର୍ଣ୍ଣାଟକର ଚିକମାଙ୍ଗଲୁରରେ ଜନ୍ମିତ ସିଦ୍ଧାର୍ଥଙ୍କ ପରିବାର ପ୍ରାୟ ୧୪୦ ବର୍ଷ ହେଲା କଫି ଚାଷ ସହ ଜଡିତ । ତାଙ୍କ ପରିବାର ନିକଟରେ ରହିଛି ୧୫ ହଜାର ଏକର କଫି ବଗିଚା ।

ତେବେ ଉତ୍ତରାଧିକାରୀ ସୂତ୍ରରେ ମିଳିଥିବା ସଂପତ୍ତିର ସହାୟତା ନନେଇ ସେ ତାଙ୍କର ନିଜସ୍ୱ ବ୍ୟବସାୟ ଆରମ୍ଭ କରିଥିଲେ । ମେଙ୍ଗଳୁରୁ ୟୁନିଭର୍ସିଟିରୁ ଇକୋନୋମିକ୍ସରେ ମାଷ୍ଟର ଡିଗ୍ରୀ କରିବା ପରେ ମୁମ୍ବାଇ ଚାଲିଆସିଥିଲେ । ଜେଏମ ଫାଇନାନସିଆଲ ସର୍ଭିସେସରେ ମ୍ୟାନେଜମେଂଟ ଟ୍ରେନି ଭାବରେ କାମ ଆରମ୍ଭ କରି ସେହିଠାରୁ ସେୟାର ବାଜର ସଂପର୍କରେ ଜ୍ଞାନ ହାସଲ କଲେ । ତେବେ ବେଶିଦିନ ଚାକିରି ନକରି ସେ ମୁମ୍ବାଇରୁ ମେଙ୍ଗଳୁରୁ ଚାଲିଆସିଥିଲେ ।

କୁହାଯାଉଛି କ୍ୟାରିଅର ଆରମ୍ଭରେ ସେୟାର ମାର୍କେଟରେ ଟଙ୍କା ହରାଇବା ପରେ ସେ ଘରକୁ ଫେରିଆସିଥିଲେ । ତଥାପି ପାରିବାରିକ ବ୍ୟବସାୟରେ ସାମିଲ ନହୋଇ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବାକୁ ଚାହିଁଥିଲେ । ବାପାଙ୍କଠାରୁ ମାତ୍ର ୫ ଲକ୍ଷ ଟଙ୍କା ନେଇ ବ୍ୟବସାୟ ଆରମ୍ଭ କରିଥିବାବେଳେ ନିଜକୁ ଜଣେ କୋଟିପତି ଭାବେ ପ୍ରତିଷ୍ଠିତ କରାଇପାରିଥିଲେ ।

ବ୍ୟବସାୟିକ କ୍ୟାରିୟର ଆରମ୍ଭରେ ‘ଶିବନ୍ ସିକ୍ୟୁରିଟିଜ’ ନାମରେ ଏକ ଫାଇନାନସିଆଲ କମ୍ପାନି ଖୋଲିଥିଲେ ଭିଜି ସିଦ୍ଧାର୍ଥ । ପରେ ଏହାର ନାଁ ‘ୱେ ଟୁ ୱେଲଥ‘ ସିକ୍ୟୁରିଟିଜ ରଖାଯାଇଥିଲା । ଏହା ଦେଶର ବଡ ଫାଇନାନସିଆଲ ଏବଂ ଷ୍ଟକ୍ ବ୍ରୋକିଂ କମ୍ପାନି ହୋଇଥିଲା । ୧୯୮୫ ବେଳକୁ ସେୟାର ମାର୍କେଟରେ ଫୁଲ ଟାଇମ ପ୍ରୋପିଏଟୋରି ଇନଭେଷ୍ଟର ବନିଯାଇଥିଲେ ସିଦ୍ଧାର୍ଥ । ସେତେବେଳକୁ ସେ ୧୦ ହଜାର ଏକର କଫି ଫାର୍ମର ମାଲିକ ବନିସାରିଥିଲେ । ୧୯୯୩ ବେଳକୁ ପ୍ରତିଷ୍ଠା କଲେ ‘ଆମାଲଗାମେଟେଡ ବିନ୍ କଫି ଟ୍ରେଡିଂ କମ୍ପାନି ଲିମିଟେଡ’୍ । ଏବିସିଟିସିଏଲ ମୁଖ୍ୟତଃ ବାହାରକୁ କଫି ଚାଲାଣ କରିଥାଏ । ମାତ୍ର ୨ ବର୍ଷରେ କମ୍ପାନି ଭାରତର ଦ୍ୱିତୀୟ ସର୍ବବୃହତ କଫି ରପ୍ତାନୀକାରୀ ପାଲଟିଯାଇଥିଲା ।

କଫି ରପ୍ତାନୀରେ ଅପୂର୍ବ ସଫଳତା ତାଙ୍କୁ କଫି ଚେନ୍ ବ୍ୟବସାୟ ପାଇଁ ପ୍ରେରଣା ଯୋଗାଇଥିଲା । ପ୍ରଥମେ କର୍ଣ୍ଣାଟକରେ କଫି ଚେନ୍ ବ୍ୟବସାୟ ଆରମ୍ଭ କରି ସଫଳତା ପାଇବା ପରେ ଏହାକୁ ସାରା ଦେଶରେ ବ୍ୟାପକ କରାଯାଇଥିଲା । ୧୯୯୬ରେ କର୍ଣ୍ଣାଟକ ବେଙ୍ଗଳୁରୁରେ ପ୍ରଥମ କ୍ୟାଫେ କଫି ଡେ ବା ସିସିଡି ଷ୍ଟୋର ଖୋଲିଲେ ସିଦ୍ଧାର୍ଥ । ଯେଉଁଠି ଗ୍ରାହକଙ୍କୁ ୧୦୦ ଟଙ୍କାରେ ଗୋଟେ କପ୍ କଫି ସହ ୧ ଘଂଟା ଇଂଟରନେଟ ସର୍ଫିଙ୍ଗ ପାଇଁ ସୁଯୋଗ ଦିଆଯାଉଥିଲା ।

ବେଙ୍ଗଳୁରୁ ଥିଲା ପ୍ରଥମ ଇଂଟରନେଟ୍ ହବ୍ ଏବଂ ଏଠାରେ କଫି କଲଚର ମଧ୍ୟ ବ୍ୟାପକ ହେବାରେ ଲାଗିଲା । କଫି ବ୍ୟବସାୟ ଘୋଡା ବେଗରେ ଦୌଡିବାକୁ ଲାଗିଲା । ଚାହୁଁ ଚାହୁଁ ସିସିଡି ପାଲଟିଗଲା ଦେଶର ସର୍ବବୃହତ୍ କଫି ଚେନ୍ ବ୍ୟବସାୟ । ଆଜିର ଦିନରେ ସିସିଡି ନିକଟରେ ୧୭ ଶହ ୫୦ କ୍ୟାଫେ ଚେନ୍ ରହିଥିବାବେଳେ ୬୦ ହଜାରରୁ ଅଧିକ ଭେଣ୍ଡିଂ ମେସିନ୍ ରହିଛି ।

ଆଉ ସବୁଠାରୁ ବଡକଥା ହେଉଛି ଭାରତ ବାହାରେ ରହିଛି ସିସିଡିର ଆଉଟଲେଟ୍ । ଅଷ୍ଟ୍ରିୟା, କରାଚୀ, ଦୁବାଇ, ମାଲେସିଆ ଓ ଚେକ୍ ରିପବ୍ଲିକରେ ବି ସିଦ୍ଧାର୍ଥଙ୍କ ସିସିଡି କମ୍ପାନି ଆଉଟଲେଟ୍ ଖୋଲିଛି । କଫି ଛଡା ସିଦ୍ଧାର୍ଥ ମାଇଣ୍ଡ ଟ୍ରି, ଗ୍ଲୋବାଲ ଟେକ୍ନୋଲୋଜି ଭେଂଚର୍ସ ଲିମିଟେଡ୍, ଡାର୍କ ଫରେଷ୍ଟ ଫର୍ଣ୍ଣିଚର କମ୍ପାନି, ସିକାଲ ଲଜିଷ୍ଟିକ୍ସରେ ମଧ୍ୟ ସେ ନିବେଶ କରିଥିଲେ । କୁହାଯାଉଛି ୩ ହଜାର ଏକର ଜମିରେ କଦଳୀ ଚାଷ କରି ସେ ବିଦେଶକୁ ରପ୍ତାନୀ କରୁଥିଲେ । ଆଗାମୀ ମାର୍ଚ୍ଚ ସୁଦ୍ଧା ସିସିଡି କମ୍ପାନିର ବ୍ୟବସାୟ ୨୨ଶହ ୫୦ କୋଟି ଟଙ୍କାରେ ପହଂଚିବ ବୋଲି ଆକଳନ କରାଯାଉଛି ।