ବ୍ୟାନ ପରେ ଭୋ ଭୋ ହୋଇ କାନ୍ଦୁଛି ‘ଜରି’ ।

ସବୁ ଫାଇଦା ଉଠାଇବା ପରେ ମୋ ନାଁରେ ତୁମେମାନେ ସାଂଘାତିକ ଅଭିଯୋଗ ଆଣିଛ । ମୁଁ କାଳେ ତୁମ ପରିବେଶକୁ ନଷ୍ଟ କରୁଛି । ମୋ ପାଇଁ ତୁମ ପରିବେଶ ପ୍ରଦୂଷଣ ବଢୁଛି । ଆଉ ଏଭଳି କହି ମୋତେ ପର କରିଛ । କିନ୍ତୁ ମୁଁ ତୁମ ମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି, ମୁଁ କଣ ଏହି ଦୁନିଆକୁ ସେମିତି ନିଜେ ଆସିଥିଲି ନା ଆପଣ ମାନେ ଆଣିଥିଲେ ।

506

କନକ ବ୍ୟୁରୋ : ମୁଁ ‘ଜରି’ । ଏବେ ସମସ୍ତଙ୍କ ପାଇଁ ଅଦରକାରୀ । ଏବେ ମୋତେ ନେଇ ଚାରିଆଡେ ଚର୍ଚ୍ଚା । ପୂର୍ବରୁ ମୋ ବିନା ମାର୍କେଟର ମୁହଁ ଦେଖୁନଥିବା ଲୋକମାନେ ଏବେ ମୋତେ ଛୁଇଁବାକୁ ମଧ୍ୟ ଡରୁଛନ୍ତି । ଜଳଖିଆ ଦୋକାନ ଠାରୁ ଆରମ୍ଭ କରି ବଡ ବଡ ହୋଟେଲ ପର୍ଯ୍ୟନ୍ତ ଏବେ ମୋତେ ଦେଖିବା କ୍ଷଣି ମୁହଁ ଆଡେଇ ଦେଉଛନ୍ତି ।

କେବେ ମୁଁ ପୂରା ବଜାରରେ ରାଜ କରୁଥିଲି । ଯିଏ ବଜାର ଆସିଲା ମୋତେ ଖୋଜୁଥିଲା । ସାଇକେଲର ହ୍ୟାଣ୍ଡେଲ ଠାରୁ ଆରମ୍ଭ କରି ଏସି କାରର ନରମ ସିଟ୍ ପର୍ଯ୍ୟନ୍ତ ସବୁଠି ଥିଲା ମୋର ରାଜ । ସମସ୍ତଙ୍କର ପ୍ରିୟ ଥିଲି ମୁଁ । ଯିଏ ଯାହା କଲେ ବି ସବୁ ସହିଛି କେବେ ପାଟି ଫିଟାଇନି । ଗବ ଗବ ହୋଇ ଫୁଟୁଥିବା ଘୁଘୁନି, ତତଲା ସିଙ୍ଗଡା ଓ ଗରମ ବରା ନେବା ବେଳେ ମୋ ଦେହ ହୁତୁହୁତୁ ଜଳୁଥିଲେ ମଧ୍ୟ ଚୁପ୍ ରହିଛି । କେବଳ ତୁମ ମାନଙ୍କୁ ଖୁସି କରିବା ପାଇଁ । ଗୁପୁଚୁପର ଖଟାପାଣି ଠାରୁ ଆରମ୍ଭ କରି ତତଲା ତରକାରୀ ମୋ ଦେହକୁ କେତେ ଯେ କଷ୍ଟ ଦେଇଥିବ ତାହା କେବେ ଭାବିଛ ।

ଏତିକିରେ ମଧ୍ୟ ତୁମ ମାନଙ୍କର ମନ ବୁଝିନି । ମୋ ଜନ୍ମ ହେବା ପରଠାରୁ ମୋତେ କେତେ ଯେ କଷ୍ଟ ଦେଇଛ ତାହା କହିଲେ, ଗୋଟିଏ ଯୁଗ ଶେଷ ହୋଇଯିବ । କେଉଁ କେଉଁ ସ୍ଥାନରେ ମୋତେ ବ୍ୟବହାର ନ କରିଛ କୁହ । ଯେଉଁ ସ୍ଥାନକୁ ତୁମେମାନେ ଯିବା ପାଇଁ ନାକ ଟେକିଛି ସେହିଭଳି ସ୍ଥାନକୁ ମୋତେ ଜବରଦସ୍ତି ପଠାଇଛ । ତଥାପି ଚୁପ୍ ରହିଛି କେବଳ ତୁମ ମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ।

ଅଦରକାରୀ ହେଲା ପରେ ଜରି କହିଲା ନିଜର କୋହଭରା କାହାଣୀ :

ଏତିକିରେ ସରିନି ମୋ ଦୁଃଖ କାହାଣୀ । ମୋତେ ତୁମେ ଏଭଳି କଷ୍ଟ ଦେଇଛ ଯେ ନ କହିବା ଭଲ । କୌଣସି ଦୂର ସ୍ଥାନକୁ ଯାତ୍ରା କଲା ବେଳେ ମୋତେ ତୁମେ ସାଥୀ କରି ନେଇଛ । ତୁମକୁ ବାନ୍ତି ଲାଗିଲେ ମୋ ମୁହଁରେ ଓଗାଳି ମୋତେ ବାହାରକୁ ଫିଙ୍ଗି ଦେଇଛ । ପଚାସଢା ଜିନିଷ ମୋ ଭିତରେ ନେବା ବେଳେ ଟିକିଏ ବି ତୁମ ମନକୁ ଦୟା ଆସେନାହିଁ । ମୋ ବେକକୁ ତୁମ ଗାଡି ହ୍ୟାଣ୍ଡେଲରେ ଟାଙ୍ଗି ନେଉଥିବା ବେଳେ କେବେ ଭାବିଛ ମୋତେ କେତେ କଷ୍ଟ ହୋଇଥିବ । ବର୍ଷାରେ ଭିଜି ଭିଜି ଗଲା ବେଳେ ହେଲମେଟ ଜାଗାରେ ମୋତେ ବ୍ୟବହାର କଲ , କିନ୍ତୁ ସରକାର ନିୟମ ଲାଗୁ ପରେ ମୋତେ ପର କରିଦେଲ ।

ସବୁ ଫାଇଦା ଉଠାଇବା ପରେ ମୋ ନାଁରେ ତୁମେମାନେ ସାଂଘାତିକ ଅଭିଯୋଗ ଆଣିଛ । ମୁଁ କାଳେ ତୁମ ପରିବେଶକୁ ନଷ୍ଟ କରୁଛି । ମୋ ପାଇଁ ତୁମ ପରିବେଶ ପ୍ରଦୂଷଣ ବଢୁଛି । ଆଉ ଏଭଳି କହି ମୋତେ ପର କରିଛ । କିନ୍ତୁ ମୁଁ ତୁମ ମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି, ମୁଁ କଣ ଏହି ଦୁନିଆକୁ ସେମିତି ନିଜେ ଆସିଥିଲି ନା ଆପଣ ମାନେ ଆଣିଥିଲେ । ଏ ଦୁନିଆକୁ ମୋତେ ଆଣିବା ବେଳେ କଣ ଆପଣ ମାନେ ଜାଣିନଥିଲେ ଯେ, ମୁଁ ପରିବେଶ ପାଇଁ କ୍ଷତିକାରକ । ଯଦି ଜାଣିଥିଲେ ଆଣୁଥିଲେ କାହିଁକି ଓ ଏବେ ବିଦା କରୁଛନ୍ତି କଣ ପାଇଁ ।

ଆଉ ଗୋଟିଏ ପ୍ରଶ୍ନ ମୋ ମନରେ ଉଙ୍କି ମାରୁଛି, କଣ ସତରେ କେବଳ ମୋ ପାଇଁ ତୁମ ପରିବେଶ ପ୍ରଦୂଷଣ ହେଉଛି । ଆଉ କେହି କଣ ପ୍ରଦୂଷଣ କରୁନାହାନ୍ତି । କଳ କାରଖାନାରୁ ଯେଉଁ କଳା ଧୂଆଁ ବାହାରୁଛି ତାହା କଣ ତୁମ ସହରକୁ ପ୍ରଦୂଷଣ କରୁନାହିଁ । ଯେଉଁଭଳି ତୁମେ ଗାଡି ମଟର ବ୍ୟବହାର କରୁଛ ତାହା କଣ କମ ପ୍ରଦୂଷଣ କରୁଛି । କେବଳ ଏତିକି ନୁହେଁ ଯେଉଁଭଳି ଭାବେ ତୁମେମାନେ ଜଙ୍ଗଲ କାଟି କଂକ୍ରିଟ ଜଙ୍ଗଲ ଛିଡା କରୁଛ ତାହା କଣ ତୁମ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖୁଛି । ଜାଣି ରଖ ପରିବେଶ ପ୍ରଦୂଷଣ ମୁଁ କରୁନାହିଁ ତୁମେ ମାନବ ସମାଜ ନିଜେ ହିଁ ନିଜର ପରିବେଶ ପ୍ରଦୂଷଣ କରୁଛ ।

ପ୍ରଦୂଷଣ ରୋକିବାକୁ ସରକାର ମୋ ଭଳି ଦୁର୍ବଳ ଜରି ଉପରେ କଟକଣା ଲଗାଇବାକୁ ଯେଉଁ ନିୟମ ତିଆରି କଲେ ତାହା ବେଶ ଭଲ କଥା । କିନ୍ତୁ କେବଳ ମୁଁ କାହିଁକି ମୋ ଭଳି ଅନେକ କାରକ ଅଛନ୍ତି ଯେଉଁମାନେ ପରିବେଶ ପ୍ରଦୂଷଣ କରୁଛନ୍ତି । ତାଙ୍କ ଉପରେ ମଧ୍ୟ ସରକାରଙ୍କ ଛାଟ ପଡିବା ଆବଶ୍ୟକ । ନଚେତ ମୋର ଜୀବନଦୀପ ଯେଉଁଭଳି ଅଦିନରେ ଲିଭିବାକୁ ଯାଉଛି ଠିକ୍ ସେହିଭଳି ଅବସ୍ଥା ତୁମର ମଧ୍ୟ ହେବ । ଶେଷରେ ଗୋଟିଏ କଥା କହିବି । ମୋର ଏବେ ମଧ୍ୟ ସେହି ପୁରୁଣା ସନିଆ ଓ ଗଉରା ଦୋକାନ କଥା ମନେ ପଡୁଛି । ଗରମ ଗରମ ତେଲ ଭାଜି ଦେହରେ ଜଳୁଥାଉ ପଛେ ତୁମ ସହ ଘରକୁ ଯିବାର ମୁହୂର୍ତ୍ତକୁ ମୁଁ ବହୁତ ମିସ୍ କରିବି । କିନ୍ତୁ ମୋର ଆତ୍ମହୁତି ଦେଇ ଯଦି ଆପଣ ମାନେ ପ୍ରଦୂଷଣ ତାଉରୁ ମୁକ୍ତି ପାଇପାରିବେ ତାହା ହେଲେ ଏହି ବଳିଦାନକୁ ମୁଁ ହସି ହସି ଦେବା ପାଇଁ ପ୍ରସ୍ତୁତ ।