ରାଜେଶ୍ୱରରୁ ସ୍ୱାମୀ ନିତ୍ୟାନନ୍ଦ । ସାଧୁରୁ ସୈତାନ, ନିତ୍ୟାନନ୍ଦଙ୍କ ରଙ୍ଗୀନ ଜୀବନର ରୋଚକ କଥା ।

412

କନକ ବ୍ୟୁରୋ : ହାଇଦ୍ରାବାଦ ପରେ ଉତ୍ତର ପ୍ରଦେଶ ଉନ୍ନାଓରେ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଦୁଷ୍କର୍ମକାରୀଙ୍କ ବିରୋଧରେ ସାରା ଦେଶରେ ଆକ୍ରୋଶ ବଢିବାରେ ଲାଗିଛି । ଆଉ ଏହାରି ଭିତରେ ଜଣେ ବଳାତ୍କାରୀ ବାବାଙ୍କ ସଂପର୍କରେ ଏମିତି ଖବର ସାମ୍ନାକୁ ଆସିଛି, ଯାହା ସାରା ଦେଶର ହୋସ ଉଡାଇ ଦେଇଛି । ଖବର ଆତ୍ମଘୋଷିତ ବାବା ନିତ୍ୟାନନ୍ଦଙ୍କୁ ନେଇ । ଯିଏ ଭାରତରୁ ଫେରାର ମାରିଛନ୍ତି । ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି, ବାବା ନିତ୍ୟାନନ୍ଦ ନିଜର ଏକ ଅଲଗା ଦେଶ ପ୍ରତିଷ୍ଠା କରିଛନ୍ତି । ଯାହାର ନାଁ ଦେଇଛନ୍ତି କୈଳାସ । ଏକ ୱେବସାଇଟରେ ଏହାକୁ ହିନ୍ଦୁ ରାଷ୍ଟ୍ର ବୋଲି ଘୋଷଣା କରିଛନ୍ତି ।

ସ୍ୱାମୀ ନିତ୍ୟାନନ୍ଦର ଅସଲ ପରିଚୟ ରାଜେଶ୍ୱର । ତାମିଲନାଡୁର ଶୀରୁନାମଲ୍ଲାଇରେ ଜନ୍ମିତ ରାଜେଶ୍ୱର ୨୨ ବର୍ଷ ବୟସରେ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ ହେବାର ଦାବି କରେ । ନିଜକୁ ସ୍ୱାମୀ ନିତ୍ୟାନନ୍ଦ ଭଗବାନ ଭାବେ ପରିଚିତ କରାଏ । ବେଶ କିଛି ବର୍ଷ ସ୍ୱାମୀ ବେଶରେ ଭଗବାନ ହୋଇ ନିଜର ଅଗଣିତ ଅନୁଗାମୀ ବନାଏ ନିତ୍ୟାନନ୍ଦ । ଉପରୁ ସାଧୁତାର ବର୍ଷା କରୁଥିବାର ନିତ୍ୟାନନ୍ଦ ଭିତରେ ରହିଥିବା ରାକ୍ଷସ ଚେହେରା ଉପରୁ ଧିରେ ଧିରେ ପର୍ଦ୍ଦା ଉଠେ । ଯୌନ ଶୋଷଣ, ସେକ୍ସ ସ୍କାଣ୍ଡାଲ ଏପରିକି ଛୋଟ ପିଲାଙ୍କୁ ଅପହରଣ ଭଳି ସଙ୍ଗୀନ ଅଭିଯୋଗ ଆସେ ଏହି ଭଣ୍ଡ ବାବା ବିରୋଧରେ ।

୨୦୧୦ରେ ପ୍ରଥମେ ଏହି ଛଦ୍ମବେଶୀ ଭଣ୍ଡ ବାବାଙ୍କ ମୁଖା ଖୋଲିଥିଲା । ଯେତେବେଳେ ତାମିଲନାଡୁର ଏକ ଲୋକପ୍ରିୟ ନାୟିକାଙ୍କ ସହ ବାବାଙ୍କ ଏମଏମଏସ ଭାଇରାଲ ହେଲା । ସଭା, ସମାରୋହରେ ନିଜ ଆଧ୍ୟାତି୍ମକ ବାଣୀରେ ହଜାର ହଜାର ଅନୁଗାମୀଙ୍କୁ ବାନ୍ଧିରଖୁଥିବା ସ୍ୱାମୀ ନିତ୍ୟାନନ୍ଦଙ୍କ ଅସଲ ଚେହେରା ସାମନାକୁ ଆସିଥିଲା । ଭାଇରାଲ ଏମଏମଏସରେ ନାୟିକାଙ୍କ ସହ ବାବାଙ୍କ ଅଶ୍ଳୀଳ ଚିତ୍ର ଦେଖିବାକୁ ମିଳିଥିଲା । କେତେବେଳେ ନାୟିକାଜଣକ ବାବାଙ୍କ ପାଦ ଘଷୁଥିଲେ, ତ ପୁଣି କେତେବେଳେ ତାଙ୍କୁ ଖୁଆଇ ଦେଉଥିଲେ । ନିତ୍ୟାନନ୍ଦ ଓ ନାୟିକାଙ୍କ ରଙ୍ଗୀନ କାରନାମା ଯେତେବେଳେ ସାମନାକୁ ଆସିଲା, ବିବାଦୀୟ ହୋଇପଡିଲେ ସ୍ୱାମୀ ନିତ୍ୟାନନ୍ଦ । ଏହି ସେକ୍ସ-ସ୍କାଣ୍ଡାଲକୁ ନେଇ ୫୩ ଦିନ ଯାଏ ଜେଲଦଣ୍ଡ କାଟନ୍ତି ବାବା ନିତ୍ୟାନନ୍ଦ ।

ଏହାପରେ ବଳାତ୍କାରର ଓ ଛୋଟ ପିଲାଙ୍କ ଅପହରଣ ଭଳି ସଙ୍ଗୀନ ଅଭିଯୋଗ ଆସିଛି ସ୍ୱାମୀ ନିତ୍ୟାନନ୍ଦଙ୍କ ବିରୋଧରେ । ସ୍ୱାମୀ ନିତ୍ୟାନନ୍ଦ ଏବଂ ତାଙ୍କ ଦୁଇ ଅନୁଗାମୀ ପ୍ରାଣ ପ୍ରିୟାନନ୍ଦ ଓ ପ୍ରିୟାତତ୍ୱ ରିଦ୍ଧି ୪ଜଣ ପିଲାଙ୍କୁ ଅପହରଣ କରି ଏକ ଫ୍ଲାଟରେ କଏଦ କରି ରଖିଥିବା ଅଭିଯୋଗ ହୋଇଥିଲା କର୍ଣ୍ଣାଟକରେ । ଏହି ଅଭିଯୋଗ ପରେ ଦେଶ ଛାଡି ଫେରାର ହୋଇଯାଇଥିଲେ ନିତ୍ୟାନନ୍ଦ । ଘଟଣାରେ ବାବାଙ୍କ ଦୁଇ ଅନୁଗାମୀଙ୍କୁ ପୋଲିସ ଗିରଫ କରିଥିଲା ।

ଗତ ୨୧ ଡିସେମ୍ବରରେ ସ୍ୱାମୀ ନିତ୍ୟାନନ୍ଦ ଦେଶଛାଡି ଫେରାର ହୋଇଥିବା ଦାବି କରେ ଗୁଜରାଟ ପୋଲିସ । ସେପଟେ କର୍ଣ୍ଣାଟକ ପୋଲିସର କହିବା କଥା ୨୦୧୮ ଶେଷ ଆଡକୁ ନିତ୍ୟାନନ୍ଦ ଫେରାର ହୋଇଯାଇଥିଲେ । ସେପ୍ଟେମ୍ବର ୨୦୧୮ରେ ନିତ୍ୟାନନ୍ଦଙ୍କ ପାସପୋର୍ଟକୁ ଜବତ କରିନେଇଥିଲା ଗୁଜରାଟ ପୋଲିସ । ଏହା ସତ୍ୱେ କିପରି ଦେଶ ଛାଡି ଫେରାର ହେଲେ ଏହି ଭଣ୍ଡ ବାବା, ତାହା ସବୁଠାରୁ ବଡ ପ୍ରଶ୍ନ?