ଘର ସିନା ପର କରିଦେଲା ହେଲେ ଶିଳ୍ପୀଙ୍କୁ ପରିଚୟ ଦେଲା ଚିତ୍ରକଳା । ୨୦ ବର୍ଷ ହେବ ଗୋଟିଏ ଦୋକାନ ବାରଣ୍ଡାରେ ବସି ଚିତ୍ର ଆଙ୍କୁଛନ୍ତି ଭଦ୍ରକର ଚିତରଞ୍ଜନ ମିଶ୍ର ।

277

କନକ ବ୍ୟୁରୋ : ମାନସିକ ବିକାରଗ୍ରସ୍ତ କହି ଘରୁ ତଡିଦେଲେ ପରିବାର ଲୋକ । ହେଲେ ଚିତ୍ରକଳା ପ୍ରେମରେ ପାଗଳ ଭଦ୍ରକର ଚିତରଂଜନ ମିଶ୍ର କିନ୍ତୁ ନିଜ କଳାକୁ ଛାଡି ପାରିଲେ ନାହିଁ । ରାସ୍ତା ଘାଟ ଯେଉଁଠି ପାଇଲେ ନିଜ ସ୍ୱପ୍ନକୁ ରଙ୍ଗ ତୁଳିରେ ଆଙ୍କିଲେ । ଆଉ ସେହି ଚିତ୍ରକଳା ହିଁ ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ।

ଘର ସିନା ପର କରିଦେଲା, ହେଲେ ପରିଚୟ ଦେଲା ଚିତ୍ରକଳା । କୁନା ଆର୍ଟ କଲେଜ ଆଣ୍ଡ ସ୍କୁଲ । ଏହାକୁ ଦେଖି ଆପଣ ହୁଏତ ଆଶ୍ଚଯ୍ୟ ହେଉଥିବା ସତରେ ଏ କଣ ଗୋଟିଏ ଆର୍ଟ କଲେଜ ଆଣ୍ଡ ସ୍କୁଲ । ନା ଏହା କୌଣସି କଲେଜ କି ବିଦ୍ୟାଳୟ ନୁହେଁ, ଏହା ଜଣେ କଳାପ୍ରେମୀ ପାଗଳ ମଣିଷର ପ୍ରତିଭା ।

ଆଉ ଇଏ ସେହି ପାଗଳ ପ୍ରତିଭା ଭଦ୍ରକ ମଠସାହି ଗ୍ରାମର ଚିତରଂଜନ ମିଶ୍ର ବା କୁନା । ୨୦ ବର୍ଷ ହେବ ଘର ଲୋକ ତାଙ୍କୁ ମାନସିକ ବିକାରଗ୍ରସ୍ତ କହି ଘରୁ ତଡି ଦେଇଛନ୍ତି । କିନ୍ତୁ ସେ ଜୀବନ ଦୌଡରେ ହାରିନାହାନ୍ତି କି କଳାକୁ ନେଇ ତାଙ୍କ ଭିତରେ ଥିବା ପ୍ରତିଭାକୁ ମରିବାକୁ ଦେଇନାହାନ୍ତି ।

ଘରୁ ବାହାରି ଆସିବା ପରେ ଭଦ୍ରକର ରାସ୍ତାକଡରେ କାର୍ଡବୋର୍ଡ ଓ ରଙ୍ଗତୁଳୀରେ ନିଜର ସ୍ୱପ୍ନକୁ ବାସ୍ତବ ରୂପ ଦେଉଥିଲେ କୁନା । ତାଙ୍କ ପ୍ରତିଭାକୁ ଦେଖି ଭଦ୍ରକର ସେକ୍ ଭିକି ନାମକ ଜଣେ ବ୍ୟବସାୟୀ ତାଙ୍କୁ ନିଜ ଦୋକାନ ବାରଣ୍ଡାରେ ଆଶ୍ରୟ ଦେଇଛନ୍ତି । ଏବଂ ଚିତ୍ରକଳାକୁ ନିଜ ଜୀବନର ବ୍ରତ କରିଥିବା ଶିଳ୍ପୀଙ୍କୁ ସେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଛନ୍ତି ।

ଯୁକ୍ତ ୩ ପାଠ ପଢିବା ପରେ ଚିତ୍ରକଳା କ୍ଷେତ୍ରରେ ମନନିବେଶ କରିଥିଲେ କୁନା । ଯାହା ପରିବାର ଲୋକଙ୍କ ପସନ୍ଦ ନଥିଲା । ତେଣୁ ତାଙ୍କର ଏହି କଳାପ୍ରତି ପାଗଳାମିକୁ ଅସ୍ତ୍ର କରି ଘର ଲୋକ ପରକରି ଦେଲେ ବୋଲି କୁହନ୍ତି ଚିତ୍ରଶିଳ୍ପୀ ଚିତରଂଜନ ।