ସାବଧାନ! ବ୍ୟାପୁଛି ମାରାତ୍ମକ ଲେପ୍ଟୋସ୍ପାୟରେସିସ ରୋଗ, ୨୪ ଘଣ୍ଟା ମଧ୍ୟରେ ପୂରା ଶରୀରରେ ଖେଳିଯାଉଛି ବ୍ୟାକ୍ଟେରିଆ

41

ଲଗାଣ ବର୍ଷା ମୁମ୍ବାଇବାସୀଙ୍କ ଚିନ୍ତା ବଢାଇ ଥିବା ବେଳେ ଏବେ ମାରାତ୍ମକ ରୋଗ ମୁମ୍ବାଇବାସୀଙ୍କ ନିଦ ହଜାଇ ଦେଇଛି । ଡେଙ୍ଗୁ, ମ୍ୟାଲେରିଆ ଓ ଲେପ୍ଟୋସ୍ପାୟରେସିସ ଭଳି ରୋଗ ଆତଙ୍କ ସୃଷ୍ଟି କରିଛି । ଏବେ ପର୍ଯ୍ୟନ୍ତ ଲେପ୍ଟୋସ୍ପାୟରେସିସ ରୋଗ ଦ୍ୱାରା ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଯାହା ମୁମ୍ବାଇ ତଥା ଦେଶବାସୀଙ୍କ ଚିନ୍ତା ବଢାଇ ଦେଇଛି ।

ଡାକ୍ତରଙ୍କ କହିବା ଅନୁସାରେ, ଲେପ୍ଟୋସ୍ପାୟରେସିସ ଏକ ଜୀବାଣୁ ଜନିତ ରୋଗ । ଯାହା ମଣିଷ, ମୂଷା ଓ ପୋଷା ଜୀବଜନ୍ତୁଙ୍କୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ । ଏହି ରୋଗ ମଳ ଓ ମୁତ୍ର ଦ୍ୱାରା ଶରୀରରେ ବ୍ୟାପିଥାଏ । ସୂଚନା ଅନୁଯାୟୀ, ଲେପ୍ଟୋସ୍ପାୟରେସିସ ବ୍ୟାକ୍ଟେରିଆ ମଣିଷ ଶରୀରରେ ଥରେ ପ୍ରବେଶ କରିବା ମାତ୍ରେ ୨୪ ଘଣ୍ଟା ମଧ୍ୟରେ ପୂରା ଶରୀରରେ ବ୍ୟାପି ଯାଇଥାଏ । ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ଏହା ମଣିଷ ଶରୀରରେ ବ୍ୟାପିବା ସହ ମୃତ୍ୟୁମୁଖକୁ ଠେଲି ଦେଇଥାଏ ।

ଜ୍ୱର, ମୁଣ୍ଡବିନ୍ଧା, ଡାଇରିଆ, ଆଖି ଲାଲ ପଡିଯିବା, ଜଣ୍ଡିସ, ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେବା, ଶୀଘ୍ର ଥକିଯିବା ଭଳି ଲକ୍ଷଣ ଏହି ଲେପ୍ଟୋସ୍ପାୟରେସିସ ରୋଗରେ ଦେଖା ଦେଇଥାଏ । ସବୁଠାରୁ ବଡ କଥା ହେଲା, ପ୍ରବଳ ବର୍ଷା କାରଣରୁ ଏହି ରୋଗ ବ୍ୟାପିବାର ସମ୍ଭାବନା ଅଧିକ ବଢି ଯାଇଥାଏ । ତେବେ ଏହି ମାରାତ୍ମକ ରୋଗ ଗରମ ଦିନରେ ମଧ୍ୟ ହୋଇଥାଏ । କିନ୍ତୁ ବର୍ଷା ସମୟରେ ଏହି ବ୍ୟାକ୍ଟେରିଆ ଗୁଡିକ ଖୁବଶୀଘ୍ର ବ୍ୟାପି ଯାଇଥାନ୍ତି । ଏହି ମାରାତ୍ମକ ରୋଗ ଆଫ୍ରିକା, ସାଉଥ ଇଷ୍ଟ ଏସିଆ, କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକା ଏବଂ କାରବିଆନ ଦେଶ ଗୁଡିକରେ ଅଧିକ ଦେଖିବାକୁ ମିଳିଥାଏ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଲେପ୍ଟୋସ୍ପାୟରେସିସ ରୋଗର ଲକ୍ଷଣ ଦେଖାଯାଇଥାଏ ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ସର୍ମ୍ପକ କରନ୍ତୁ । କାରଣ ପ୍ରାଥମିକ ପର୍ଯ୍ୟାୟରେ ଚିକିତ୍ସା କଲେ ଏହି ରୋଗକୁ ଭଲ କରାଯାଇପାରିବ । କିନ୍ତୁ ଥରେ ଏହା ବ୍ୟାପିବା ପରେ ଏହାର ଚିକିତ୍ସା ଜଟିଳ ହୋଇଯାଇଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ, ବର୍ଷା ପରେ ପରେ ଏହି ରୋଗ ଅଧିକ ବ୍ୟାପିଥାଏ । ଖାସକରି ମୂଷା ମାନଙ୍କ ଜରିଆରେ ଏହା ବ୍ୟାପିଥାଏ । ତେଣୁ ଏହି ରୋଗରୁ ରକ୍ଷା ପାଇବା ପାଇଁ ଆଖ ପାଖ ଅଞ୍ଚଳ ସଫା ରଖିବା ସହ ଶୁଦ୍ଧ ପାଣି ପିଇବା ଆବଶ୍ୟକ ।