ଯାଜପୁରରେ ଏଲଇଡି ଦୁର୍ନୀତି । ଗାଁ ରାସ୍ତା ଆଲୋକୀକରଣ ପାଇଁ ଆସିଥିଲା ଏଲଇଡି, ଲାଗିଲା ଘର ଛାତରେ । ବିଡିଓ କହିଲେ, ଅଭିଯୋଗ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ ।

209

କନକ ବ୍ୟୁରୋ : ଗାଁରେ ଆଲୋକୀକରଣ ପାଇଁ ଆସିଥିବା ଏଲଇଡିରେ ଦୁର୍ନୀତି । ଗାଁ ରାସ୍ତା ଆଲୋକୀକରଣ ପାଇଁ ଏଲଇଡି ଲାଇଟ୍ ଆସିଥିଲା, ହେଲେ ଲାଗିଗଲା ଲୋକଙ୍କ ଛାତ ଉପରେ । ଏଭଳି ଅଭିଯୋଗ ଆସିଛି ଯାଜପୁର ବ୍ଲକ ମହେଶ୍ୱରପୁର ପଂଚାୟତରୁ । ଆଉ ସବୁଠାରୁ ଅଧିକ ଦୁର୍ନୀତି ଦେଖିବାକୁ ମିଳିଛି ପୁରୁଷୋତମପୁର ଗାଁରେ । ପଂଚାୟତର ଗାଁ ରାସ୍ତା ଆଲୋକୀକରଣ ପାଇଁ ଆସିଥିବା ଲାଇଟକୁ ରାସ୍ତା ଉପରେ ଲଗା ନଯାଇ କାହାର ଘର ଛାତ ଉପରେ ଲଗାଯାଇଛି ତ କେଉଁଠି ଗୋଟିଏ ଖୁଂଟରେ ଏକାଧିକ ଲାଇଟ ଲଗାଯାଇଛି । ଗାଁ ରାସ୍ତା ଯେଉଁ ଅନ୍ଧାରକୁ ସେହି ଅନ୍ଧାର ।

ଆମେ କହୁଛୁ ଯାଜପୁର ବ୍ଲକ ପୁରୁଷୋତମପୁର ଗାଁର କଥା । ଆଲୋକୀକରଣ ପାଇଁ ଆସିଥିବା ଏଲଇଡି ଲାଇଟ୍ ଲାଗିଛି କାହାର ଘର ଛାତ ଉପରେ ତ କାହାର ବାରି ପଛପଟେ । ଗୋଟିଏ ଗୋଟିଏ ଖୁଂଟରେ ଲାଗିଛି ଏକାଧିକ ଲାଇଟ୍ । ଯାଜପୁର ବ୍ଲକର ମହେଶ୍ୱର ପଂଚାୟତରେ ଗାଁ ରାସ୍ତା ଆଲୋକୀକରଣ ପାଇଁ ଗାଁର ସମସ୍ତ ବିଦ୍ୟୁତ ଖୁଂଟରେ ଏଲଇଡି ଲାଇଟ ଲାଗିବାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ସ୍ଥାନୀୟ ସରପଂଚଙ୍କ ଇଙ୍ଗିତରେ ôରାସ୍ତା ବଦଳରେ କିଛି ମୁଷ୍ଟିମେୟ ନେତାଙ୍କ ଘରକୁ ଆଲୋକୀକରଣ କରାଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଗାଁ ରାସ୍ତା ଆଗରୁ ଯେମିତି ଅନ୍ଧାର ଥିଲା, ସେମିତି ଅନ୍ଧାର ହୋଇ ରହିଛି ।

ଲୋକେ ଅଭିଯୋଗ କରିଛନ୍ତି, ଆଲୋକୀକରଣ ପାଇଁ ଆସିଥିବା ଅର୍ଥକୁ ହେରଫେର କରିଛନ୍ତି ସ୍ଥାନୀୟ ନେତା ଓ ପ୍ରଭାବଶାଳୀ ବ୍ୟକ୍ତି । ତେବେ ଏହି ଅନିୟମିତତା ସଂପର୍କରେ ଅଭିଯୋଗ ନଥିବା କହିଛନ୍ତି ଯାଜପୁର ବିଡିଓ । ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଯାଜପୁର ଜିଲ୍ଲାରେ ଦୁର୍ନୀତିର ଗୋଟିଏ ଗୋଟିଏ ନୂଆ ଫର୍ଦ୍ଦ ଯୋଡି ହେଉଥିବା ବେଳେ ଆଲୋକୀକରଣର ଦୁର୍ନୀତି ଉପରେ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାକୁ ହିଁ ଦେଖିବାକୁ ବାକି ରହିଲା ।