ଅଭିଯୁକ୍ତଙ୍କ ଏନକାଉଣ୍ଟରକୁ ସମର୍ଥନ ଜଣାଇଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । କହିଲେ, ଏଭଳି ଅପରାଧିଙ୍କୁ କଠୋର ଦଣ୍ଡ ମିଳିବା ଦରକାର, ହାଇଦ୍ରାବାଦ ପୋଲିସ ଯାହା କରିଛି ଠିକ୍ କରିଛି

837

କନକ ବ୍ୟୁରୋ: ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ପୁଲିସର ଏନକାଉଂଟର ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।  ତେବେ ଏହି ଏନକାଉଂଟର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ହାଇଦ୍ରାବାଦ ପୁଲିସକୁ  ସମର୍ଥନ ଜଣାଇବା ସହ ଦୋଷୀଙ୍କୁ ଏଭଳି କଠୋର ଦଣ୍ଡ ମିଳିବା ଦରକାର ଥିଲା ବୋଲି କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ସେମାନେ ଦୋଷୀ, ତେଣୁ ସେମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ । କାହିଁକି ନା ଦୁଷ୍କର୍ମ ପୀଡିତା ନ୍ୟାୟ ପାଇବା ପାଇଁ ଦୀର୍ଘ ସମୟ ଲାଗୁଛି । ଆଜି ହାଇଦ୍ରାବାଦରେ ଯେଉଁ ଏନକାଉଣ୍ଟର ହୋଇଛି ପୀଡ଼ିତାଙ୍କୁ ନ୍ୟାୟ ମିଳିଛି । କେବଳ କୋର୍ଟ ଉପରେ ଦିନ ଗଡାଇବା ଅପେକ୍ଷା ଏଭଳି ଅପରାଧୀଙ୍କୁ କଠୋର ଦଣ୍ଡ ମିଳିବା ଦରକାର ଥିଲା । ଏମାନେ ବହୁତ ବଡ ଦୋଷୀ ତେଣୁ କଠୋର ଦଣ୍ଡର ଆବଶ୍ୟକତା ଥିଲା ବୋଲି କହିଛନ୍ତି ପ୍ରତାପ ଜେନା । ଏହା ସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏନେଇ ମାନବାଧିକାର କମିଶନ କଣ କହିବ କି ଅନ୍ୟାନ୍ୟ ସଂଗଠନ କଣ କହିବ  ତାହା ମୁଁ ଜାଣିନି କିନ୍ତୁ ଭାରତବର୍ଷରେ ଅନେକ ଦେଶ ଅଛି ଯେଉଁ ଦେଶରେ ଏପରି କାଣ୍ଡ ଭିଆଉଥିବା ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । କେଉଁଠି ଗୁଳି କରାଯାଉଛି ତ ଆଉ କେଉଁଠି ମୁଣ୍ଡ କାଟି ଦିଆଯାଉଛି । ଏଭଳି ଅପରାଧର ଦୋଷୀଙ୍କୁ ଉଚିତ ଶାସ୍ତି ଦେବା ପାଇଁ ଆମ ଦେଶରେ ମଧ୍ୟ କଠୋର ଆଇନ ହେବା ଦରକାର ।   କୋର୍ଟ କି ଅନ୍ୟାନ୍ୟ ନ୍ୟାୟିକ ବ୍ୟବସ୍ଥା ଉପରେ ନିର୍ଭର କରିବା ଅପେକ୍ଷା ମୁଁ ଭାବୁଛି ଏଭଳି ତାଙ୍କୁ କଠୋର ଦଣ୍ଡ ମିଳିବା ଦରକାର । ତେଣୁ ହାଇଦ୍ରାବାଦରେ ଠିକ ଘଟିଛି । ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡ ମିଳିଛି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତମାନେ ପୁଲିସ କବଳରୁ ଖସି ପଳାଉଥିବା ବେଳେ ପୁଲିସ ତାଙ୍କୁ ଏନକାଉଂଟର କରିଛି । ତେବେ ହାଇଦ୍ରାବାଦ ୪୪ ନମ୍ବର ଜାତୀୟ ରାଜପଥରେ ଗତକାଲି ରାତି ୩ଟାରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇଥିଲା ପୁଲିସ । ସେହି ସମୟରେ ଅଭିଯୁକ୍ତମାନେ ପୁଲିସ କବଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପୁଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ଦୁଷ୍କର୍ମକାରୀମାନେ ପୁଲିସ ଉପରକୁ ପଥର ମାଡ କରିଥିଲେ । ତେଣୁ ବାଧ୍ୟ ହୋଇ ଚେତନାପାଲୀର  ଓଭରବ୍ରିଜ ପାଖରେ ପୁଲିସ ସେମାନଙ୍କୁ ଏନକାଉଂଟର  କରିଛି । ତେବେ ଅଭିଯୁକ୍ତଙ୍କ ମୃତ୍ୟୁ ନେଇଉ ସ୍ପଷ୍ଟ କରିଛନ୍ତି ତେଲେଙ୍ଗାନା ପୁଲିସ କମିଶନର । ଗତ ସପ୍ତାହରେ ଡାକ୍ତରାଣୀ ଘରକୁ ଫେରୁଥିବା ବେଳେ ତାଙ୍କୁ ଯୋଜନବଦ୍ଧ ଭାବେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମକାରୀ ଯୁବତୀଙ୍କୁ ଜୋରଜବରଦସ୍ତ ମଦ ପିଆଇ ତାଙ୍କ ସହ ଦୁଷ୍କର୍ମ କରିବା ପରେ ଏକ ଟ୍ରକରେ ନେଇ ଅନ୍ୟଏକ ସ୍ଥାନରେ ପୋଡି ଦେଇଥିଲେ ।