ସିନେଷ୍ଟାରଙ୍କ ଡାଇଲଗରେ କମ୍ପିଲା ବିଜେପୁର ! ଶେଷ ଦିନରେ ପ୍ରଚାର ମଙ୍ଗ ସମ୍ଭାଳିଲେ ଓଲିଉଡ ସିନେଷ୍ଟାର, ବିଜେପୁରରେ ଷ୍ଟାରୱାର

51

କନକ ବ୍ୟୁରୋ : ବିଜେପୁର ନିର୍ବାଚନ ମଣ୍ଡଳୀର ଗାଁ ଦାଣ୍ଡ ଏବେ ଶାନ୍ତ ପଡିଛି । ଉପନିର୍ବାଚନ ପାଇଁ ଚାଲିଥିବା ଘମାଘୋଟ୍ ପ୍ରଚାର ଆଜି ଶେଷ ହୋଇଛି । ଦିନକ ପରେ ଭୋଟ । ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ କସରତ କରିଛନ୍ତି ସିନେଷ୍ଟାର । ବିଜେଡି ପାଇଁ ଶେଷ ଦିନରେ ପ୍ରଚାର କରିଛନ୍ତି ଦୁଇ ଓଲିଉଡ୍ ତାରକା ଅନୁଭବ ମହାନ୍ତି ଓ ଅରିନ୍ଦମ୍ । ସେହିଭଳି ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅପରାଜିତା ମହାନ୍ତି । ଏଥର ବିଜେପୁର ଉପନିର୍ବାଚନ ପ୍ରଚାରରେ ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା । ସିନେଷ୍ଟାରଙ୍କ ରୋଡ ସୋ’ ଓ ଡାଇଲଗ୍ ବାଜିରେ ଉଠିଥିଲା ପଡିଥିଲା ବିଜେପୁର । ବିଜେପୁରବାସୀ ମଧ୍ୟ ସିନେ ତାରକାଙ୍କ ରାଲିରେ ସାମିଲ ହେବାକୁ ଆଗ୍ରହ ଦେଖାଇଥିଲେ । ଅବଶ୍ୟ ଭୋଟରଙ୍କୁ ଏହି ସବୁ ତାରକାମାନେ କେତେ ଦୂର ପ୍ରଭାବିତ କରିଛନ୍ତି, ତାହା ଜଣାପଡିବ ଫଳାଫଳ ଆସିବା ପରେ । ତେବେ ପ୍ରଚାର ମଇଦାନରେ ଷ୍ଟାରଙ୍କୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଚାଲିଥିଲା ଜୋରଦାର ଟକ୍କର ।

bijepurଗାଁ ଗାଁରେ ପହଁଚିଲେ ସିନେ ତାରକା । ଘର ଘର ବୁଲିଲେ, ରୋଡ ସୋ’ରେ ଭାଗ ନେଲେ । ରୁପେଲି ପରଦାର ହିରୋକୁ ନିଜ ଘର ମୁହଁରେ ଦେଖିଲେ ବିଜେପୁରବାସୀ । ୨୦୧୪ ନିର୍ବାଚନରେ ସିନେ ଷ୍ଟାରଙ୍କୁ ନେଇ ପ୍ରଚାର ପାଇଁ ଯେଉଁ ବ୍ୟାପକ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରାଯାଇଥିଲା, ତାହା ଆଗକୁ ବଢିଛି ବିଜେପୁର ଉପନିର୍ବାଚନରେ । ରିଲ୍ ଲାଇଫର ଆକର୍ଷଣକୁ ବିନିଯୋଗ କରି ଭୋଟ୍ ହାତେଇବାକୁ ବିଜେପୁରରେ ହୋଇଛି ଜୋରଦାର ଉଦ୍ୟମ ।

ବିଜେଡି ଦଳ ପାଇଁ ଓଲିଉଡ୍ ଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଫିଲ୍ମି ଅନ୍ଦାଜରେ ପ୍ରଚାର କରିଥିବା ବେଳେ ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ, ନିଜ ନିଜ ଷ୍ଟାଇଲରେ ଲୋକଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରିଥିଲେ । ସେହିପରି ଅରିନ୍ଦମ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ଫିଲ୍ମ ଡାଇଲଗରେ ପଡିଥିଲା ଉଠିଥିଲା ବିଜେପୁର । ନିକଟରେ ସିନେ ଷ୍ଟାରଙ୍କୁ ଦେଖିବା ପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ନବୀନ ସରକାରଙ୍କ ଜନକଲ୍ୟାଣ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଇବା ସହ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ୍ ମାଗିଛନ୍ତି ଏହି ସିନେ ତାରକା ।

bijepurବିଜେଡିର ଷ୍ଟାର ପାୱାରକୁ କାଉଂଟର କରିବା ପାଇଁ ବିଜେପି କରିଥିଲା ସ୍ୱତନ୍ତ୍ର ରଣନୀତି । ଉପନିର୍ବାଚନ ପୂର୍ବରୁ ଓଲିଉଡର କିଛି ଭେଟେରାନ ଷ୍ଟାରଙ୍କୁ ଦଳରେ ମିଶାଇ ପ୍ରଚାର ମଇଦାନରେ ଟକ୍କର ଦେଇଥିଲା ବିଜେପି । ଗୋଟିଏ ପଟେ ଅଭିନେତ୍ରୀରୁ ଅଭିଜ୍ଞ ନେତ୍ରୀ ବନିଥିବା ପିଙ୍କି ପ୍ରଧାନ ନିଜ ଅନ୍ଦାଜରେ ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିଲେ । ଅନ୍ୟପଟେ ମିହିର ଦାସ, ମହାଶ୍ୱେତା, ଅପରାଜିତା ଓ ଅନୁ ଚୌଧୁରୀଙ୍କୁ ଦଳରେ ମିଶାଇ ସିନେଷ୍ଟାରଙ୍କ ଏକ ଟିମ୍ କରିଥିଲା ବିଜେପି । ସିନେମା ତାରକାଙ୍କ ରାଲିରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଗାଁ ଗାଁରେ କ୍ୟାମ୍ପେନିଂ ଓ ରୋଡ ସୋ’ କରି ବିଜେପି ପ୍ରାର୍ଥୀ ଆଶୋକ ପାଣିଗ୍ରାହୀଙ୍କୁ ଭୋଟ ଦେବାକୁ ବିଜେପୁରବାସୀଙ୍କୁ ପ୍ରବର୍ତାଇଥିଲେ ଏହି ଫିଲ୍ମଷ୍ଟାରମାନେ ।

ତାରକାଙ୍କ ଏହି ଲଢ଼େଇରେ ପଛରେ ପଡି ଯାଇଥିଲେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ । ପ୍ରଣୟଙ୍କ ପାଇଁ ତାଙ୍କ କର୍ମୀ ଓ ଭୋଟର ହିଁ ଷ୍ଟାର ବୋଲି କହିଥିଲେ । କେବଳ ଦଳୀୟ ନେତାଙ୍କୁ ପ୍ରଚାର କରିଥିଲେ ପ୍ରଣୟ । ତେବେ ବିଜେପି ଓ ବିଜେଡି ପାଇଁ ସିନେ ତାରକାଙ୍କ ପ୍ରଚାର ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାରେ କେତେ ସହାୟକ ହୋଇଛି, ତାହା କେବଳ ଫଳାଫଳ ପରେ ଜଣାପଡିବ ।