ମୁଁ ହୃଦରୋଗ, କିଡ଼ନୀ ସଂକ୍ରମଣ, ମଧୁମେହ ଭଳି ବଡ଼ ରୋଗରେ ପୀଡ଼ିତ! ଏମ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଗୁହାରି ଲଗାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, କିନ୍ତୁ ଶୁଣିଲେନି ଡାକ୍ତର

134

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ଏମ୍ସରୁ ଡିସଚାର୍ଜ କରାଯାଇଛି । ଏହାସହ ପୁଣିଥରେ ରାଞ୍ଚିକୁ ଫେରିଯାଇଛନ୍ତି ଆରଜେଡ଼ି ସୁପ୍ରିମୋ । ଚାରା ଘୋଟଲା ମାମଲାରେ ଜେଲଦଣ୍ଡ ଭୋଗୁଥିବା ଲାଲୁ ପ୍ରସାଦ ଯାଦବଙ୍କୁ ଗୋଟିଏ ମାସ ପୂର୍ବରୁ ଦିଲ୍ଲୀ ଏମ୍ସ ଅଣାଯାଇଥିଲା । କିନ୍ତୁ ଏମ୍ସରୁ ଡ଼ିସଚାର୍ଜ ହେବା କଥା ଜାଣିବା କ୍ଷଣି ଲାଲୁ ନିଜର ରୋଗର ଲମ୍ବା ତାଲିକା ଏମ୍ସ କତ୍ତୃପକ୍ଷଙ୍କୁ ଦେଇଥିଲେ । ଏପରିକି ତାଙ୍କୁ ଦିଲ୍ଲୀ ଏମ୍ସରୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବା ପାଇଁ ଏମ୍ସ ନିର୍ଦ୍ଦେଶକଙ୍କୁ ଚିଠି ମଧ୍ୟ ଲେଖିଥିଲେ ।

ଚିଠିରେ ଲାଲୁ ଲେଖିଥିଲେ , ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ନାହିଁ । ଉତ୍ତମ ଚିକିତ୍ସା ପାଇଁ ମୋତେ ଦିଲ୍ଲୀ ଏମ୍ସ ଅଣାଯାଇଥିଲା । ମୁଁ ହୃଦରୋଗ, କିଡ଼ନୀ ସଂକ୍ରମଣ, ମଧୁମେହ ଭଳି ବଡ଼ ରୋଗରେ ପିଡ଼ୀତ । ଏପରିକି ଅଣ୍ଟା ଯନ୍ତ୍ରଣା ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟା ରହିଛି । ଅନେକ ସମୟରେ ମୁଣ୍ଡ ବୁଲାଇବାରୁ ବାଥରୁମରେ ମଧ୍ୟ ପଡ଼ିଛି । ମୋର ଉଚ୍ଚ ରକ୍ତଚାପ ଓ ସୁଗାର ମଧ୍ୟ ମଝିରେ ମଝିରେ ବଢ଼ି ଯାଉଛି ।ଏହାର ଚିକିତ୍ସା ପାଇଁ ମୋତେ ଦିଲ୍ଲୀ ଏମ୍ସକୁ ଅଣାଯାଇଥିଲା । କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପୂର୍ବରୁ ମୋତେ ପୁଣିଥରେ ରାଞ୍ଚି ମେଡିକାଲ କଲେଜ ପଡ଼ୁଛି ।

ଏହାସହ ଲାଲୁ ଲେଖିଛନ୍ତି, ରାଞ୍ଚି ମେଡ଼ିକାଲ କଲେଜରେ ମୋର ଚିକିତ୍ସା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ନାହିଁ । କିନ୍ତୁ ଭାରତର ସମ୍ବିଧାନ ଅନୁଯାୟୀ ସବୁ ଲୋକଙ୍କର ଅଧିକାର ରହିଛି ସେମାନଙ୍କ ଚିକିତ୍ସା ତାଙ୍କ ଇଚ୍ଛା ଅନୁସାରେ ହେଉ । କିନ୍ତୁ ତାଙ୍କ ପକ୍ଷରେ ସେମିତି ହେଉ ନାହିଁ । ରାଜନୈତିକ ଚାପ ଯୋଗୁଁ ତାଙ୍କୁ ଏମ୍ସରୁ ହଟାଯାଉଛି ବୋଲି କହିଛନ୍ତି ଲାଲୁ । ଏହାଛଡା ଲାଲୁ କହିଛନ୍ତି, ଯେତେବେଳ ଯାଏଁ ସେ ସୁସ୍ଥ ହୋଇନାହାନ୍ତି ସେତେବେଳ ଯାଏଁ ତାଙ୍କର ଏହିଠାରେ ଚିକିତ୍ସା କରାଯାଉ । କିନ୍ତୁ ଏହାପରେ ଯଦି ତାଙ୍କୁ ରାଞ୍ଚି ହସ୍ପିଟାଲ ପଠାଯାଏ ତେବେ ତାଙ୍କ ଜୀବନ ପ୍ରତି ଯାହା ବି ବିପଦ ଆସିବ ସେଥିପାଇଁ ଏମ୍ସ କର୍ତ୍ତୃପକ୍ଷ ଦାୟୀ ରହିବେ ।

ଲାଲୁ ନିଜକୁ ଅସୁସ୍ଥ କହୁଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ କିନ୍ତୁ ଲାଲୁଙ୍କୁ ଫିଟ୍ ଥିବା ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ଲାଲୁଙ୍କ ସ୍ୱାସ୍ଥ୍ୟ ଠିକ୍ ରହିଛି । କିଛିଦିନ ପୂର୍ବେ ଲାଲୁ ଯାଦବଙ୍କୁ ଚିକିତ୍ସା ପାଇଁ ରାଞ୍ଚିର ରିମ୍ସରୁ ଦିଲ୍ଲୀର ଏମ୍ସକୁ ଅଣାଯାଇଥିଲା । ତେବେ ମାସକ ମଧ୍ୟରେ ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅନେକ ସୁଧାର ଆସିଛି । ତେଣୁ ପୁଣିଥରେ ତାଙ୍କୁ ରିମ୍ସ ମେଡିକାଲ କଲେଜ ପଠାଯାଉଛି ବୋଲି କହିଛି ଏମ୍ସ ହସ୍ପିଟାଲ । ତେବେ ଆଜି ସକାଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲାଲୁ ଯାଦବଙ୍କୁ ଏମ୍ସ ହସ୍ପିଟାଲରେ ଭେଟିଥିଲେ । ଏହାପରେ ସନ୍ଧ୍ୟାରେ ଲାଲୁଙ୍କୁ ରିମ୍ସ ସ୍ଥାନାନ୍ତର କରାଯାଇଥିଲା ।