ଗୋଖାଦ୍ୟ ଦୁର୍ନୀତି ନେଇ ତୃତୀୟ ମାମଲାରେ ଲାଲୁଙ୍କ ସମେତ ୫୦ ଜଣ ଦୋଷୀ ସାବ୍ୟସ୍ତ । ୫ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ଲକ୍ଷ ଜରିମାନା

52

କନକ ବ୍ୟୁରୋ: ଲାଲୁଙ୍କୁ ପୁଣି ଝଟକା । ଗୋଖାଦ୍ୟ ଦୁର୍ନୀତିକୁ ନେଇ ଲାଲୁଙ୍କ ନାଁରେ ଥିବା ତୃତୀୟ ମାମଲାରେ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଲାଲୁଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ହୋଇଛି  । ରାଂଚି ସ୍ଥିତ ସିବିଆଇ ସ୍ୱତନ୍ତ୍ର କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି । ଗତ ୧୦ ତାରିଖରେ ଏହି ମାମଲାରେ କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।  ଲାଲୁଙ୍କ ସମେତ ଆଉ ୫୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ଏବଂ ୬ଜଣଙ୍କୁ ଦୋଷମୁକ୍ତ କରିଛନ୍ତି । ୧୯୯୨-୯୩ ମସିହାରେ ଚାଇବାସା କୋଷାଗାରରେ ନକଲି କାଗଜପତ୍ର ମାଧ୍ୟମରେ ବେଆଇନ ଭାବେ ୩୩.୬୭ କୋଟି ଟଙ୍କା  ହଡପ କରାଯିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ୧୯୯୬ରେ ମାମଲା ରୁଜୁ ହୋଇଥିଲା ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ । ଡିସେମ୍ବର ମାସରେ ଦେଓଘର କୋଷାଗାର ଦୁର୍ନିତୀ ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ବିର୍ସା ମୁଣ୍ଡା ଜେଲରେ ସଜା କାଟୁଛନ୍ତି । ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୁଅ ତେଜସ୍ୱୀ ଯାଦବ । ତେଜସ୍ୱୀ କହିଛନ୍ତି ତାଙ୍କ ବାପାଙ୍କୁ ଫସାଇବା ପାଇଁ ଷଡଯନ୍ତ୍ର କରାଯାଇଛି । ଏବଂ ଲାଲୁ ବିହାରର ହିରୋ । ସେହିପରି ଆରଜେଡି ନେତା ରଘୁବଂଶ ପ୍ରସାଦ କହିଛନ୍ତିି ରାୟ ବିରୋଧରେ ଉପର କୋର୍ଟ ଦ୍ୱାରସ୍ଥ ହେବେ । ଅନ୍ୟପଟେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି ଲାଲୁ ଜନ୍ମରୁ ଅପରାଧୀ ।

ସୂଚନାଯୋଗ୍ୟ ଯେ ଯେ, ଚାଇବାସା ଟ୍ରେଜେରିରୁ ରାଜ୍ୟ ସରକାର ୭ଲକ୍ଷ ୧୦ ହଜାର ଟଙ୍କା ଉଠାଇବା ପାଇଁ ମଞ୍ଜୁର କରିଥିବା ବେଳେ ଚଞ୍ଚକତା କରାଯାଇ ତାହା ବଦଳରେ ଜାଲ ଆଲଟମେଣ୍ଟ ଚିଠି ବଳରେ ୩୩ କୋଟି ୬୭ ଲକ୍ଷ ଟଙ୍କାର ଉଠାଣ ହୋଇଥିଲା। ଏଥିରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ଶାସନ ସଚିବ ସଜଲ ଚକ୍ରବର୍ତୀ ( ତତକାଳୀନ ପଶ୍ଚିମ ସିଂହଭୂମି ଜିଲ୍ଲାର ଡେପୁଟି କମିସନର)ଙ୍କ ସମେତ ମୋଟ ୫୬ ଜଣ ଅଭିଯୁକ୍ତ ଥିଲେ ।

ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବ ରାଞ୍ଚିର ବିରସା  ମୁଣ୍ଡା କେନ୍ଦ୍ରୀୟ ଜେଲରେ ଅଛନ୍ତି । ତାଙ୍କୁ ସିବିଆଇ କୋର୍ଟ ଗତ ଜାନୁଆରି ୬ ତାରିଖ ଦିନ ଦେଓଘର ଟ୍ରେଜରି ଠକେଇ ମାମଲାରେ ସାଢ଼େ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ପୂର୍ବରୁ ମଧ୍ୟ ଲାଲୁ ଯାଦବ ୨୦୧୩ ମସିହାରେ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିଲେ ।