ଆଡଭାନିଙ୍କ ଆଖିରେ ଲୁହ ଆଣିଦେଲା “ଶିକାରା” ସିନେମା । ୧୯୯୦ କାଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ଦେଖି ଭାବୁକ ହେଲେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି । ଦେଖନ୍ତୁ ଭିଡିଓ

426

ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ସିନେମା “ଶିକାରା” କୁ ଲୋକମାନଙ୍କର ଭଲପାଇବା ମିଳୁଛି । ସିନେମାକୁ ଦେଖିବା ପାଇଁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଗହଳି ମଧ୍ୟ ଲାଗୁଛି । ସିନେମାଟି ଖୁବ୍ ସମ୍ବେଦଳଶୀଳ କାହାଣୀକୁ ନେଇ ଗତି କରିଛି । ୧୯୯୦ ମସିହାରେ କାଶ୍ମୀରରୁ କାଶ୍ମୀର ପଣ୍ଡିତଙ୍କୁ ବାହାର କରିବାର ଘଟଣାକୁ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ସାମ୍ନାକୁ ଅଣାଯାଇଛି । ଏହି ସିନେମାର ଏକ ସ୍ପେଶାଲ୍ ସ୍କ୍ରିନିଙ୍ଗ୍ ରଖାଯାଇଥିଲା ଯେଉଁଥିରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି ଏବଂ ଝିଅ ପ୍ରତିଭାଙ୍କୁ ଦେଖିବାକୁ ମିଳିଥିଲା । ସିନେମାରେ କାଶ୍ମୀର ପଣ୍ଡିତଙ୍କ ଦୁଃଖକୁ ଦେଖି ଆଡଭାନି ନିଜ କୋହକୁ ରୋକି ପାରିନଥିଲେ । ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା ଏହାର ଏକ ଭିଡିଓକୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ସେୟାର୍ କରିଥିଲେ । ଶୁକ୍ରବାର ରିଲିଜ୍ ହୋଇଥିବା ଏହି ସିନେମାକୁ ଦେଖି ଶ୍ରୀ ଆଡଭାନି କାନ୍ଦି ପକାଇଥିଲେ । ଝିଅ ପ୍ରତିଭା ଏବଂ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା ତାଙ୍କୁ ସମ୍ଭାଳିଥିବା ଦେଖାଯାଇଥିଲା । ଜଣେ ବରିଷ୍ଠ ନେତା ଭାବେ ଲାଲକୃଷ୍ଣ ଆଡଭାନୀ କଶ୍ମୀର ପଣ୍ଡିତଙ୍କ ଦୁଃଖକୁ ଖୁବ୍ ପାଖରୁ ଦେଖିଛନ୍ତି ତେଣୁ ସିନେମାକୁ ଦେଖି ତାଙ୍କର ସବୁ କଥା ପୁନଃଜୀବିତ ହୋଇଗଲା ଏବଂ ମନର କଷ୍ଟ ଲୁହ ହୋଇ ଆଖିରୁ ବୋହିଆସିଲା ।

ସିନେମାର ଖାସ୍ କଥା ହେଉଛି ଏଥିରେ ୪୦୦୦ ରୁ ଅଧିକ କାଶ୍ମୀର ପଣ୍ଡିତ ଶରଣାର୍ଥୀ ଅଭିନୟ କରିଛନ୍ତି । ଏହି ସିନେମାକୁ ଏକ ପ୍ରେମକାହାଣୀ ଆଧାରରେ ଚିତ୍ରିତ କରାଯାଇଛି । ଜଣେ ଦମ୍ପତୀ କିଭଳି ନିଜ କଠିନ ପରିଶ୍ରମ ଏବଂ ହସଖୁସିରେ ତିଆରି କରିଥିବା ଘରକୁ ସାଂପ୍ରଦାୟିକ ଦଙ୍ଗା ଭଳି ପରିସ୍ଥିିିତିରେ ଛାଡିବାକୁ ବାଧ୍ୟ ହେଉଛନ୍ତି । ନିଜ ସ୍ଥାନ ଛାଡି ଅନ୍ୟତ୍ର ,ଅଜଣା , ଅଚିହ୍ନା ସ୍ଥାନକୁ ଯାଇ ନିଜ ପରିଚୟ ହଜାଉଛନ୍ତି ଏହା ଉପରେ କାହାଣୀ ଗତିଶୀଳ ହୋଇଛି ।