ଲାଲଗଡ଼ରେ ମହିଳା କମାଣ୍ଡୋ ! ମାଓ ପ୍ରବଣ ଅଂଚଳ ସୁକୁମା ଜିଲ୍ଲା ପୋଲମପାଲିରେ ମହିଳା କମାଣ୍ଡୋଙ୍କୁ ମୁତୟନ କଲା ଛତିଶଗଡ଼ ପୁଲିସ

26

କନକ ବ୍ୟୁରୋ: ଲାଲଗଡ଼ରେ ମହିଳା କମାଣ୍ଡୋ । ଦେଶର ସବୁଠାରୁ ଅଧିକ ମାଓ ପ୍ରବଣ ଅଂଚଳ ଭାବେ ପରିଚିତ ସୁକୁମା ଜିଲ୍ଲା ପୋଲମପାଲି ଅଂଚଳରେ ପ୍ରଥମଥର କରି ମହିଳା କମାଣ୍ଡୋଙ୍କୁ ମୁତୟନ କରିଛି ଛତିଶଗଡ଼ ପୁଲିସ । ଅତ୍ୟାଧୁନିକ  ଅସ୍ତ୍ରଶସ୍ତ୍ର ଧରି ପ୍ରତିଦିନ ଏମାନେ  ପୋଲମପାଲି ଅଂଚଳରେ କମ୍ବିଂ ଅପରେସନ ସହ ରାସ୍ତା ନିର୍ମାଣ କାମକୁ ସୁରକ୍ଷା ଯୋଗାଉଛନ୍ତି । ଏଥିରେ ଅନେକ ମହିଳା ଆତ୍ମସମର୍ପିତ ମାଓବାଦୀମାନେ ମଧ୍ୟ ସାମିଲ ଥିବା ଜଣାପଡିଛି ।

ମାଓବାଦୀଙ୍କ ସହ ଲଢେଇ ଲାଗି ବିଶେଷ ତାଲିମ ପରେ ଏମାନଙ୍କୁ ସୁକମା ଜିଲ୍ଲା ପୋଲମପାଲିରେ ମୁତୟନ କରାଯାଇଛି । ଅନେକ ସମୟରେ ଗାଁ ମହିଳାଙ୍କ ସହ ଅସଦାରଚରଣ ଅଭିଯୋଗ ଆସୁଥିବା ବେଳେ ମହିଳା କମାଣ୍ଡୋ ମୁତୟନ କଲେ ଏମିତି ଅଭିଯୋଗ ଆସିବନି ବୋଲି କହିଛନ୍ତି ସୁକମା ଏସପି ଅଭିଶେଖ ମିନା ।

ଏଠାରେ ଆମେ କହି ରଖୁଛୁ କି, ଛତିଶଗଡ ଜଙ୍ଗଲରେ ମାଓ ବିରୋଧୀ ଅଭିଯାନରେ ଏବେ ଯବାନଙ୍କ ସହ ପାଦ ମିଳାଇଛନ୍ତି ମହିଳା କମାଣ୍ଡୋ । ନିକଟରେ ବିଜାପୁରରେ ମହିଳା କମାଣ୍ଡୋମାନେ ପ୍ରଶିକ୍ଷଣ ନେବା ସହ ଏଣିକି ମାଓ ଅଭିଯାନରେ ସାମିଲ ହୋଇଛନ୍ତି । ବଡ କଥା ହେଉଛି ମାଓପ୍ରବଣ ବିଜାପୁରରେ ମହିଳା କମାଣ୍ଡୋମାନେ ନିଜ ସୁରକ୍ଷାରେ ଗୋଟିଏ ସପ୍ତାହରେ ରାସ୍ତା ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି ।

ଏହି ସଫଳତା ପରେ ଏବେ ବସ୍ତର ଜିଲ୍ଲାର କାଙ୍କେର ଠାରେ ମଧ୍ୟ ମହିଳା କମାଣ୍ଡୋଙ୍କୁ ଗରିଲା ଯୁଦ୍ଧ ତାଲିମ ଦିଆଯାଇଥିଲା । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚାଳନାରେ ମାହିର ଏହି ମହିଳା କମାଣ୍ଡୋମାନେ ଯବାନଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ମହିଳା କମାଣ୍ଡୋଙ୍କ ସହ ସ୍ଥାନୀୟ ମହିଳାମାନେ ଭଲ ଭାବେ ମିଶୁଥିବାରୁ ମାଓବାଦୀଙ୍କ ବାବଦରେ ପୋଲିସକୁ ସବିଶେଷ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି ।ଏହାଛଡା ମାଓପ୍ରବଣ ଅଂଚଳରେ ପୋଲିସ ଉପରେ ଲାଗୁଥିବା ଅନର୍ଗଳ ଅଭିଯୋଗ ଉପରେ ମଧ୍ୟ ବିରାମ ଲାଗିବ ।