ଲାଇସେନ୍ସ କରାଇଦେବାକୁ ଲାଞ୍ଚ ନେଉଥିଲେ ବଲାଙ୍ଗୀର ଶ୍ରମ କାର୍ଯ୍ୟାଳୟର କିରାଣୀ ବଲ୍ଲଭ ନାଗ। କ୍ୟାମେରାରେ କଏଦ ହେଲା ଦୃଶ୍ୟ, ଭିଡିଓ ଭାଇରାଲ

330

କନକ ବ୍ୟୁରୋ: ଲାଇସେନ୍ସ ପାଇଁ ଲାଂଚ । ଆଉ ଏହି ଲାଂଚ ମାଗୁଛନ୍ତି ବଲାଙ୍ଗୀର ଜିଲ୍ଳା ଶ୍ରମ ବିଭାଗର କିରାଣୀ । ନାଁ ତାଙ୍କର ବଲ୍ଲଭ ନାଗ । ସରକାରୀ କିରାଣୀ ହୋଇ ମଧ୍ୟ ଲାଇସନ୍ସ ଟିଏ ପାଇଁ ଲୋକଙ୍କୁ ଲାଂଚ ଦେବାକୁ ବାଧ୍ୟ କରୁଛନ୍ତି । ଆଉ ଲାଂଚ ନେବାର ଏତମାମ୍ ଦୃଶ୍ୟ କଏଦ ହୋଇଯାଇଛି କ୍ୟାମେରାରେ । ଗୋଟେ ପଟେ ବେଆଇନ ଦାଦନ ଚାଲାଣ ରୋକିବା ପାଇଁ ଜିରୋ ଟୋଲେରାନ୍ସ ନୀତି ଆପଣାଇଛନ୍ତି ସରକାର । ସେ ସେପଟେ ଆସିଛି ଏପରି ଲାଂଚ ଘଟଣା । କିରାଣୀ ବାବୁ ନିଜେ କହୁଛନ୍ତି ଶ୍ରମ ବିଭାଗରେ ତଳୁ ଉପର ଯାଏଁ ବିନା ଲାଂଚରେ କାମ ହେଉନି । ଆଉ ଯଦି କେହି ବିନା ଲାଂଚରେ କାମ କରିଦିଏ, ତ ସେ ହାତ କାଟି ଦେବେ ।

କିରାଣୀଙ୍କ ଅଫିସ୍ ଭିତରେ ଯେତେ ନେହୁରା ହେଲେ ମଧ୍ୟ କିରାଣୀ ଶୁଣିନଥିଲେ । ଶେଷରେ ଦୁଇଟି ଖଡଖଡିଆ ୫୦୦ ଟଙ୍କିଆ ଗାନ୍ଧୀ ନୋଟ୍ ଧରିବା ପରେ ଫାଇଲ୍ ଖୋଲିଥିଲେ । ବଲାଙ୍ଗିର ଜିଲ୍ଲାର ଶ୍ରମ ବିଭାଗର କିରାଣୀଙ୍କ ଏହି ଲାଂଚ ଭିଡିଓ ଏବେ ବେଶ୍ ଭାଇରାଲ ହେଉଛିି । ଗୋଟିଏ ପଟେ ସରକାର ଫାଇଭ୍ ଟି ନାଁରେ ସରକାରୀ କଳକୁ ଅଧିକ ପାରଦର୍ଶୀ କରିବାକୁ ବ୍ୟବସ୍ଥା କରୁଛନ୍ତି । ଏବେ ଦେଖିବା କଥା ବଲାଙ୍ଗିର ଶ୍ରମ ବିଭାଗର ଲାଂଚୁଆ କିରାଣୀ ବଲ୍ଲଭ ନାଗଙ୍କ ଲାଂଚ ନେବାର ଖବର ସାମ୍ନାକୁ ଆସିବା ପରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର ।