ଦୁର୍ଗମ ଇଲାକାରେ ବାଟବଣା ସରକାରୀ ଯୋଜନା : ମନରେଗା ଯୋଜନାରେ କାମ ନକରି ବିଲ୍ ନେଇ ଫେରାର ଠିକାଦାର

55

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ଗ୍ରାମାଂଚଳର ଉନ୍ନତି ପାଇଁ ସରକାରଙ୍କ କେତେ କଣ ଯୋଜନା । ହେଲେ ଏହାର ସୁଫଳ ପାଉନାହାଁନ୍ତି ଦୁର୍ଗମ ଅଂଚଳର ଲୋକ । ଯୋଜନା ବାବଦକୁ ଅର୍ଥ ବ୍ୟୟବରାଦ ହେଉଛି । ହେଲେ ତାକୁ ଅନୁଭବ କରିପାରୁ ନାହାଁନ୍ତି ଲୋକ । କାରଣ ଯେଉଁ ବାବଦକୁ ଅର୍ଥ ଆସୁଛି ସେ କାମ ନହୋଇ ଟଙ୍କା ସିଧା ଠିକାଦାରଙ୍କ ପକେଟକୁ ଯାଉଛି । ଯାହାର ଏକ ନଗ୍ନ ଉଦାହରଣ ହେଉଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ସାମନ୍ତରାପୁର ପଞ୍ଚାୟତ ଅନ୍ତର୍ଗତ କୁତୁମ୍ବରୀ ଗାଁ ।

ରାସ୍ତା କଂକ୍ରିଟ ନୁହେଁ, ପିଚୁ ନୁହେଁ କି ମୋରମ ବି ନୁହେଁ । ପୁରା ମାଟି କାଦୁଅ ରାସ୍ତା । ସାମାନ୍ୟ ବର୍ଷାରେ ଯା’ଆସ ଠପ୍ । ଏଭଳି ଅବସ୍ଥା ହେଉଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ସାମନ୍ତରାପୁର ପଞ୍ଚାୟତ କୁତୁମ୍ବରୀ ଗାଁର । ଗାଁର ଦୁରାବସ୍ଥା ନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଛି । ଆରଟିଆଇ ମିଳିଥିବା ତଥ୍ୟ ଆଧାରରେ କୁତୁମ୍ବରୀର ୨ଟି ରାସ୍ତା ଉନ୍ନତିକରଣ ପାଇଁ ଆସିଥିବା ୪ ଲକ୍ଷ ଟଙ୍କା ହରିଲୁଟ ହୋଇଛି । ରାସ୍ତା ମରାମତି ନକରି ମନରେଗା ଯୋଜନାର ଚଂଚକତା କରାଯାଇଥିବା ଅଭିଯୋଗ ହୋଇଛି । କାମ ନକରି ବିଲ୍ କରି ନେଇଛନ୍ତି ଠିକାଦାର ।  ଆଗକୁ ରାସ୍ତା ସମସ୍ୟାର ସମାଧାନ ନହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତବନୀ ଦେଇଛନ୍ତି । ମନରେଗା ଯୋଜନାରେ ଅର୍ଥ ହଡପ ଅଭିଯୋଗର ତଦନ୍ତ ଚାଲିଛି ରିପୋର୍ଟ ଆସିଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପାତ୍ରପୁର ବ୍ଲକର ବିଡିଓ କହିଛନ୍ତି । ସେପଟେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଘଟଣାର ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ।
ସମସ୍ତଙ୍କୁ ଶହେ ଦିନର ନିଶ୍ଚିତ କର୍ମ ଯୋଗାଣ କରାଯିବା ସହିତ ଆର୍ଥିକ ସ୍ଥିତିରେ ସୁଦୃଢ ପାଇଁ ହୋଇଛି ମନରେଗା । ହେଲେ ଯୋଜନାରେ ସ୍ୱଚ୍ଛତା ନଥିବାରୁ ଯୋଜନା ବାଟବଣା ହେଉଛି । ଯାହାର ଉଦାହରଣ ହେଉଛି ଏହି କୁତୁମ୍ବରୀ ଗାଁ ।