ସୁନ୍ଦରଗଡ଼ରେ ବି ଫେଲ ମାରିଲା କଂଗ୍ରେସ: କାମ ଦେଲାନି ବିଜୟ ଆଶାୟୀ ଜର୍ଜ ତିର୍କୀଙ୍କ ଆଦିବାସୀ କାର୍ଡ

296

କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାର ଟାଣୁଆ ଆଦିବାସୀ ନେତା, ‘ପେସା’ ଆନ୍ଦୋଳନ କରି ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଓ ତାଙ୍କ ପୁଅ ରୋହିତ ଯୋଶେଫ ତିର୍କୀଙ୍କ ପରାଜୟକୁ ନେଇ ଜିଲ୍ଲାବ୍ୟାପୀ ଚର୍ଚ୍ଚା। ଲୋକସଭା ଆସନ ଲୋଭରେ ଜର୍ଜ ନିଜ ଗଡ଼ ବୀରମିତ୍ରପୁର ବିଧାନସଭା ଆସନ ବି ହରାଇଲେ। ଗୋଟିଏ ଡାକରାରେ ହଜାର ହଜାର ଆଦିବାସୀଙ୍କୁ ଏକଜୁଟ୍ କରି ପାରୁଥିବା ଜର୍ଜ ନିଶ୍ଚୟ ସାଂସଦ ହେବେ ବୋଲି ତାଙ୍କର ଅନେକ ସମର୍ଥନ ଆଶା କରୁଥିଲେ। ବିଜୟୀ ନ ହେଲେ ମଧ୍ୟ ଅତିକମରେ ବିଜୟୀଙ୍କୁ କଡ଼ା ଟକ୍କର ଦେଇ ଦ୍ବିତୀୟ ସ୍ଥାନରେ ସେ ରହିବେ ବୋଲି ସେମାନଙ୍କର ଦୃଢ଼ ବିଶ୍ବାସ ଥିଲା। କିନ୍ତୁ ସେ ବିଜେଡ଼ିର ପୂର୍ବରୁ ପ୍ରାୟତଃ ଅଜଣା ଅଶୁଣା ପ୍ରାର୍ଥୀ ନବାଗତା ସୁନୀତା ବିଶ୍ବାଳଙ୍କ ପଛରେ ତୃତୀୟ ସ୍ଥାନରେ ରହିଲେ। ଜର୍ଜଙ୍କର ଏଭଳି ଚରମ ବିଫଳତା ପଛରେ ରହିଥିବା କାରଣ ଖୋଜୁଛନ୍ତି ତାଙ୍କ ସମର୍ଥକମାନେ। ଅନ୍ୟପକ୍ଷରେ ସବୁ ନିର୍ବାଚନରେ ଜିଲ୍ଲାରେ ଗୁରୁତ୍ବ ରଖୁଥିବା କଂଗ୍ରେସ ଏଥର କେବଳ ଗୋଟିଏ ବିଧାନସଭା ଆସନରେ ସୀମିତ ରହିଛି।

ବୀରମିତ୍ରପୁର ବିଧାନସଭା ଆସନରେ ଜର୍ଜ ତିର୍କୀ ୪ ଥର ବିଧାୟକ ରହିଛନ୍ତି। ୧୯୯୫ ଓ ୨୦୦୦ ମସିହାରେ ଜର୍ଜ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍ଏମ୍) ଓ ୨୦୦୯ ଏବଂ ୨୦୧୪ ମସିହାରେ ଜର୍ଜ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିଲେ। ବୀରମିତ୍ରପୁର ବିଧାୟକ ଥିଲେ ବି ଜର୍ଜଙ୍କର ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଭାବ ରହିଛି। ପେସା, ଜଙ୍ଗଲ ଅଧିକାର ଆଇନ ସମେତ ଆଦିବାସୀଙ୍କ ହକ୍ ପାଇଁ ତାଙ୍କର ଆନ୍ଦୋଳନ ବେଶ୍ ପ୍ରଭାବଶାଳୀ। ତାଙ୍କ ନେତୃତ୍ବରେ ହେଉଥିବା କାର‌୍ୟ୍ୟକ୍ରମରେ ହଜାର ହଜାର ଆଦିବାସୀ ସାମିଲ ହୋଇଥାନ୍ତି। ରାଉରକେଲା ମହାନଗର ନିଗମ ଏବଂ ଓସିଏଲ୍ ବିରୋଧୀ ଆନ୍ଦୋଳନ ବେଳେ ପ୍ରଶାସନ ଏକପ୍ରକାର ନିରବଦ୍ରଷ୍ଟା ସାଜିବାକୁ ବାଧ୍ୟ ହୋଇଥିଲା। ବିଭିନ୍ନ ପ୍ରସଙ୍ଗରେ ସମଗ୍ର ଜିଲ୍ଲାରେ ଜର୍ଜ ଆଦିବାସୀଙ୍କୁ ଏକଜୁଟ୍ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ଏବେ ନିର୍ବାଚନରେ ଜର୍ଜ ଏହାକୁ ଭୋଟରେ ବଦଳାଇ ପାରିନାହାନ୍ତି।

୨୦୧୪ରେ ସମତାକ୍ରାନ୍ତି ଦଳ ବ୍ୟାନରରେ ନିର୍ବାଚନ ଲଢି ଜିତିଥିଲେ। ଏହି ବିଜୟରେ ଦଳ ଅପେକ୍ଷା ତାଙ୍କର ନିଜର ଦକ୍ଷତା ବେଶି କାମ ଦେଇଥିଲା। ବର୍ଷକ ପୂର୍ବରୁ ଜର୍ଜ ସମତାକ୍ରାନ୍ତି ଦଳ ଛାଡ଼ି ପୁଣି ଜେଏମ୍ଏମ୍ରେ ଯୋଗ ଦେଇଥିଲେ। ତେବେ ଜେଏମ୍ଏମ୍ରେ ରହି ନ ପାରି ଚଳିତ ନିର୍ବାଚନର ଅଳ୍ପ କିଛି ଦିନ ପୂର୍ବରୁ ଜର୍ଜ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ସେ କଂଗ୍ରେସରେ ଯୋଗ ଦେବା ପରେ ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସ ଅଧିକ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଉଥିଲା। ନିଜର ବ୍ୟକ୍ତିଗତ ଭୋଟ ଓ କଂଗ୍ରେସ ଦଳର ଭୋଟକୁ ନେଇ ଜର୍ଜ ନିଶ୍ଚିତ ବିଜୟୀ ହେବେ ବୋଲି ଦଳ ଓ ତାଙ୍କ ସମର୍ଥକ ଦୃଢୋକ୍ତି ପ୍ରକାଶ କରିଥିଲେ। ଜର୍ଜଙ୍କୁ କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ଅଧିକ ଗୁରୁତ୍ବ ଦିଆଯାଇଥିଲା। ସେ ସୁନ୍ଦରଗଡ଼ ଲୋକସଭା ଆସନରୁ ଟିକେଟ୍ ପାଇଥିବା ବେଳେ ତାଙ୍କ ପୁଅ ରୋହିତ ଯୋଶେଫ ତିର୍କୀଙ୍କୁ ବୀରମିତ୍ରପୁର ବିଧାନସଭା ଆସନରୁ ଟିକେଟ୍ ମିଳିଥିଲା। ବୀରମିତ୍ରପୁରରେ ଜର୍ଜଙ୍କ ବେଶ୍ ପ୍ରଭାବ ଥିବାରୁ ତାଙ୍କ ପୁଅ ସହଜରେ ବିଜୟୀ ହେବେ ବୋଲି ସମର୍ଥକମାନେ କହିଥିଲେ। କିନ୍ତୁ ନିର୍ବାଚନ ଫଳାଫଳରେ ଉଭୟ ଜର୍ଜ ଓ ତାଙ୍କ ପୁଅ ତୃତୀୟ ସ୍ଥାନରେ ରହିଛନ୍ତି।

ଉଭୟଙ୍କ ବିଫଳତା ନେଇ ଜିଲ୍ଲାର କଂଗ୍ରେସ ମହଲରେ ଏବେ ବିଭିନ୍ନ କଥା ଶୁଣାଯାଉଛି। ଦଳକୁ ଆସିବା ପରେ ଜର୍ଜ ପୁରୁଖା ନେତାମାନଙ୍କୁ ଅଣଦେଖା କଲେ, ତେଣୁ ମୂଳ କଂଗ୍ରେସ ତାଙ୍କୁ ଠିକ୍ ଭାବେ ଗ୍ରହଣ କଲା ନାହିଁ ବୋଲି ଚର୍ଚ୍ଚା ହେଉଛି। ଜର୍ଜ ତିର୍କୀ କଂଗ୍ରେସରୁ ଟିକେଟ୍ ପାଉଥିବା ଜଣାପଡିବା ପରେ ସୁନ୍ଦରଗଡ଼ର ପୂବର୍ତନ କଂଗ୍ରେସ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ ବିଜେଡିରେ ଯୋଗ ଦେଇ ସୁନ୍ଦରଗଡ଼ ଆସନରୁ ଜର୍ଜଙ୍କ ବିରୋଧରେ ଲଢିଥିଲେ। ରାଜଗାଙ୍ଗପୁର ଆସନରେ ପୂର୍ବତନ ବିଧାୟକ ଗ୍ରୀଗୋରି ମିଞ୍ଜଙ୍କୁ ଟିକେଟ୍ ନ ମିଳିବାରୁ ସେ ବିଧାନସଭା ଆସନରେ ସ୍ବାଧୀନ ଭାବେ ପ୍ରାର୍ଥୀ ଲଢି ଜର୍ଜଙ୍କ ବିରୋଧରେ ପ୍ରଚାର କରିଥିଲେ। ବଣାଇଁରେ ଜନାର୍ଦ୍ଦନ ଦେହୁରୀଙ୍କୁ ଟିକେଟ୍ ନ ମିଳିବା ଏବଂ କଂଗ୍ରେସ-ସିପିଏମ୍ ମେଣ୍ଟ ଯୋଗୁଁ ଦଳର ଚିହ୍ନ ଠିକ୍ ଭାବେ ପ୍ରଚାର ହୋଇ ପାରିଲା ନାହିଁ। ତଳସରା ବିଧାନସଭା କ୍ଷେତ୍ରରେ ଜର୍ଜ ତିର୍କୀ ଚାହୁଁଥିବା ଲୋକକୁ ଟିକେଟ୍ ମିଳିଲା ନାହିଁ। ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ହେମାନନ୍ଦଙ୍କ ସାନ ଝିଅ ଅମିତା ବିଶ୍ବାଳଙ୍କୁ ଦଳ ଟିକେଟ୍ ଦେଇଥିଲା। ଦୁଇ ଭଉଣୀ ଭିନ୍ନ ଭିନ୍ନ ଦଳରେ ଲଢିବା ଯୋଗୁ ଭୋଟରଙ୍କ ମନରେ ମଧ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ବୀରମିତ୍ରପୁରରେ ମୂଳ କଂଗ୍ରେସ ଏବଂ ଜର୍ଜଙ୍କ ଘନିଷ୍ଠ ସହଯୋଗୀମାନେ କଂଗ୍ରେସ ଟିକେଟ୍ ପାଇବାକୁ ଆଶାୟୀ ଥିଲେ। କିନ୍ତୁ ସେମାନଙ୍କୁ ଟିକେଟ୍ ନ ଦେଇ ଜର୍ଜ ରାଜନୀତିରେ ଅନଭିଜ୍ଞ ନିଜ ପୁଅକୁ ଟିକେଟ୍ ଦେବାରୁ ନିର୍ବାଚନ ବେଳେ ସେମାନେ ଠିକ୍ ଭାବେ ସହଯୋଗ କରି ନଥିଲେ ବୋଲି ବିଚାର କରାଯାଉଛି।

ଜର୍ଜଙ୍କୁ ସାଧାରଣ ଲୋକେ ଗ୍ରହଣ ନ କରିବାର ବୋଧହୁଏ ଏକ ପ୍ରମୁଖ କାରଣ ହେଉଛି, ତାଙ୍କର ବ୍ୟକ୍ତିତ୍ବ ଓ ରାଜନୈତିକ କାର‌୍ୟ୍ୟକ୍ରମ ମୁଖ୍ୟତଃ ବିରୋଧରେ ସୀମିତ ରହି ଆସିଛି। ବିଭିନ୍ନ ପ୍ରକଳ୍ପକୁ ବିରୋଧ କରିବା ଆଳରେ ହିଁ ସେ ଲୋକଙ୍କୁ ନିଜ ସହିତ ଏକତ୍ର କରିଛନ୍ତି ଏବଂ ନିଜେ ମଧ୍ୟ ଖବରରେ ରହି ଆସିଛନ୍ତି। ରାଜନୀତିରେ ଏସବୁ ଶସ୍ତା ଓ ସହଜ ମାର୍ଗ ବୋଲି ଲୋକେ ବୁଝିଲେଣି। କିନ୍ତୁ କୌଣସି ଗଠନମୂଳକ ପରିଯୋଜନା ସହିତ ତାଙ୍କର ନାମ କ୍ବଚିତ୍ ସଂପୃକ୍ତ ରହିଛି। ଲୋକସଭା ଆସନ ଭଳି ଏକ ବିସ୍ତୃତ କ୍ଷେତ୍ରରେ ବିରୋଧ କରିବାର ତାଙ୍କର ପୁରୁଣା ଗିମିକ୍ ଅନ୍ତତଃ ଏ ନିର୍ବାଚନରେ କାମ ଦେଇନାହିଁ।

ସୁନ୍ଦରଗଡ଼ ଲୋକସଭା ଆସନରେ ମଧ୍ୟ ଜର୍ଜ ତିର୍କୀ ଗତ ନିର୍ବାଚନର ଭୋଟ ଠାରୁ କମ୍ ଭୋଟ ପାଇଛନ୍ତି। ୨୦୧୪ ନିର୍ବାଚନରେ ସୁନ୍ଦରଗଡ଼ ଆସନରେ ହେମାନନ୍ଦ ବିଶ୍ବାଳ ମୋଟ ୨ ଲକ୍ଷ ୬୯ ହଜାର ୩୩୫ ଖଣ୍ଡ ଭୋଟ ପାଇଥିଲେ। ଏଥର ଜର୍ଜ ତିର୍କୀ ୨ ଲକ୍ଷ ୬୮ ହଜାର ୨୧୮ ଖଣ୍ଡ ଭୋଟ ପାଇଛନ୍ତି। ପାଖାପାଖି ୧୦୦୦ ଖଣ୍ଡ ଭୋଟରେ ଜର୍ଜ ପଛରେ ରହିଛନ୍ତି। ଏଥିରୁ ଜର୍ଜଙ୍କ ‘ଆଦିବାସୀ କାର୍ଡ’ କୌଣସି ପ୍ରଭାବ ପକାଇ ପାରି ନଥିବା ଏବଂ ସେ କେବଳ କଂଗ୍ରେସ ମୂଳ ଭୋଟକୁ ହାତେଇ ଥିବା ଆଲୋଚନା ହେଉଛି। ରାଉରକେଲା, ରଘୁନାଥପାଲି ଓ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ଜର୍ଜ ଦଳୀୟ ପ୍ରାର୍ଥୀମାନଙ୍କ ଠାରୁ ଅଧିକ ଭୋଟ ପାଇଥିଲେ ବି ଆବଶ୍ୟକ ଭୋଟ ନ ପାଇବା ପରାଜୟର ଅନ୍ୟତମ କାରଣ ବୋଲି କୁହାଯାଉଛି। ରାଜନୀତିରେ ଜର୍ଜଙ୍କ ପୁଅ ରୋହିତ ନୂଆ। ତେଣୁ ତାଙ୍କୁ ସବୁ କର୍ମୀଙ୍କ ପାଖରେ ପରିଚିତ କରିବା ପାଇଁ ଜର୍ଜଙ୍କୁ ସୁଯୋଗ ମିଳିଲା ନାହିଁ। ସେ ମଧ୍ୟ ଜିଲ୍ଲାର ପୁରୁଖା ନେତାଙ୍କ ସଂସ୍ପର୍ଶରେ ଆସି ପାରି ନଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସୁନ୍ଦରଗଡ଼ ଜିଲ୍ଲାରେ ଜର୍ଜ ଜେଏମଏମ୍ ସହ ମେଣ୍ଟ କରିବାକୁ ରାଜି ହୋଇ ନଥିଲେ। ରାଜ୍ୟରେ କଂଗ୍ରେସ ଜେଏମ୍ଏମ୍ ମେଣ୍ଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଜର୍ଜ ମେଣ୍ଟ କରିବାକୁ ମନା କରି ଦେଇଥିଲେ। ତେଣୁ ଏଠାରେ ବନ୍ଧୁତ୍ବପୂର୍ଣ୍ଣ ଲଢେଇ ହୋଇଥିଲା। ତେବେ ବୀରମିତ୍ରପୁରରେ ଜେଏମ୍ଏମ୍ ପାଇଥିବା ଭୋଟ ଯଦି ତାଙ୍କ ପୁଅଙ୍କ ଭୋଟ ସହିତ ମିଶିଯାଏ, ତେବେ ଅନ୍ତତଃ ସେ ଜିତି ଯାଇଥାଆନ୍ତେ!