ଶ୍ରୀକ୍ଷେତ୍ର ସମେତ ସାରା ରାଜ୍ୟରେ ପାଳିତ ହେଉଛି ‘କୁରାଳ ପଞ୍ଚମୀ’ ପର୍ବ । ଦୀର୍ଘ ୫ ଦିନ ଧରି କଞ୍ଚାହାଣ୍ଡି କି ଗଢା ମାଟିକୁ ସ୍ପର୍ଶ କରିବେନି କୁମ୍ଭାର । ଶ୍ରୀମନ୍ଦିରକୁ ବନ୍ଦ ରହିଥାଏ କୁଡୁଆ ଯୋଗାଣ ।

569

କନକ ବ୍ୟୁରୋ: ଗତକାଲିଠାରୁ ତଥା ମାର୍ଗଶିର ମାସ ଶୁକ୍ଳପକ୍ଷ ପଂଚମୀରୁ ପୁରୀ ସମେତ ସମଗ୍ର ଓଡିଶାରେ କୁମ୍ଭକରାମାନଙ୍କ ପ୍ରସିଦ୍ଧ କୁରାଳ ପଂଚମୀ ପର୍ବ ଆରମ୍ଭ ହୋଇଛି । ସେହିପରି ଗତକାଲିଠୁ ଶ୍ରୀ କ୍ଷେତ୍ରରେ ମଧ୍ୟ କୁମ୍ଭକାରମାନେ କୁରାଳ ପଂଚମୀ ପର୍ବ ପାଳନ କରୁଛନ୍ତି । ଦୀର୍ଘ ପାଂଚ ଦିନ ବ୍ୟାପୀ ପାରଂପରିକ ରୀତି ଅନୁସାରେ, ଏହି ପର୍ବ ପାଳନ ହେଉଛି । କୁମ୍ଭାରପଡା, ଜେନାପୁର, ଟିକରପଡା, ନୂଆ ସାହି ସମେତ ବିଭିନ୍ନ କୁମ୍ଭକାର ବସ୍ତିରେ ମହାଆଡମ୍ବର ସହକାରେ ଏହି ପର୍ବ ପାଳିତ ହେଉଛି ।

ଏହି ପାଂଚ ଦିନ ଶ୍ରୀମନ୍ଦିରକୁ ହାଣ୍ଡିକୁଡୁଆ ଯୋଗାଣ ସଂପୂର୍ଣ୍ଣ ବନ୍ଦ ରହିଥାଏ । ଏପରିକି ଏହି ସମୟରେ କଂଚାହାଣ୍ଡି କିମ୍ବା ଗଢା ମାଟିକୁ ସ୍ପର୍ଶ କରିବା ନିଷେଧ ବୋଲି କୁହାଯାଏ । ପରଂପରା ଅନୁଯାୟୀ କୁମ୍ଭକାରମାନେ ଏହି ପର୍ବ ପାଳନ ଅବସରରେ ହାଣ୍ଡି, କୁଡୁଆ ଆଦି ଗଢିବା କାର୍ଯ୍ୟ ବନ୍ଦ ରଖି ଇଷ୍ଟଦେବ ରୁଦ୍ରପାଳ ଓ ଇଷ୍ଟଦେବୀ ରତ୍ନେଶ୍ୱରୀଙ୍କ ଆରାଧନା କରିଥାନ୍ତି । କୌଳିକ ବୃତିରେ ବ୍ୟବହୃତ ଚକ, ପିଣ୍ଡ, ପିଟଣା, ଭାଟି ଆଦି ସାଜ ସରଂଜାମ ପୂଜା କରାଯାଇଥାଏ । ପ୍ରତ୍ୟେକ କୁମ୍ଭାକାର ପରିବାରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ପୂଜାମଣ୍ଡପଗୁଡିକରେ ରୁଦ୍ରପାଳ, ରତ୍ନେଶ୍ୱରୀଙ୍କ ମୃଣ୍ମୟ ମୂର୍ତ୍ତିକୁ ପୂଜା କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ ।

ଭକ୍ତକବି ଦୀନକୃଷ୍ଣ ଦାସଙ୍କ ରଚିତ ‘କୁରାଳ ପୁରାଣ’ରେ ରୁଦ୍ରପାଳଙ୍କ ଓ ରତ୍ନେଶ୍ୱରୀଙ୍କ ସଂପର୍କରେ ଉଲ୍ଲେଖ ରହିଛି । ଏହି ପୁରାଣର ବର୍ଣ୍ଣନା ଅନୁଯାୟୀ ସୃଷ୍ଟି ଆରମ୍ଭ ହେବା ପରେ ମାନବମାନଙ୍କ ଦ୍ୱାରା ଖାଦ୍ୟ ପ୍ରସ୍ତୁତି ପାଇଁ ଭଗବାନ ବିଷ୍ଣୁ କୁମ୍ଭକାରମାନଙ୍କୁ ସୃଷ୍ଟି କରିଥିଲେ । ପ୍ରଥମେ କୁମ୍ଭକାର ରୂପେ ବିଷ୍ଣୁପୁତ୍ର ରୁଦ୍ରପାଳ ସୃଷ୍ଟି ହେଲେ । ମୃତ୍ତିକା ପାତ୍ର ନିର୍ମାଣ ପାଇଁ ଭଗବାନ ବିଷ୍ଣୁ ରୁଦ୍ରପାଳଙ୍କୁ ନିଜର ଆୟୁଧ ଶଂଖ, ଚକ୍ର, ଗଦା ଓ ପଦ୍ମ ସହିତ ଗୋଟିଏ ଖିଅ ପଇତା ପ୍ରଦାନ କରିଥିଲେ । ହିନ୍ଦୁ ସମାଜରେ ସମସ୍ତ ପୂଜା ପାର୍ବଣରେ ମୃତିକାରେ ନିର୍ମିତ କଳସ ଅଗ୍ରପୂଜା ହୋଇଥାଏ । ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ପାଇଁ ଏହି ମାଟିପାତ୍ରରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ କରାଯାଇଥାଏ । ପର୍ବପାଳନ ପରେ କୁମ୍ଭକାର ନିଯୋଗ ପକ୍ଷରୁ ଏକ ସାଧାରଣ ସଭା ଡକାଯାଇ ଜ୍ୟୋତିଷଙ୍କ ଦ୍ୱାରା ଶୁଭ ଅନୁକୂଳ ସମୟ ନିର୍ଧାରଣ କରାଯିବ । ନିର୍ଧାରିତ ସମୟରେ ସମସ୍ତ କୁମ୍ଭକାର ଏକକାଳୀନ ଆସନ୍ତା ବର୍ଷ ନିମନ୍ତେ ମାଟି ଅନୁକୂଳ କରି ହାଣିଗଢା କାର୍ଯ୍ୟ ଆରମ୍ଭ କରିବାର ପରଂପରା ରହିଛି ।