ଆମକୁ ନ ହେଲା ନାହିଁ , କିନ୍ତୁ ପର ଶିବିରରୁ ଆସିଥିବା ନେତାଙ୍କୁ ଟିକେଟ ନ ମିଳୁ ! ଆୟାରାମ ଗୟାରାମ ରାଜନୀତି ବିରୋଧରେ ନବୀନ ନିବାସରେ ଉଠିଲା କୁଚିଣ୍ଡା କର୍ମୀ ଓ ନେତାଙ୍କ ସ୍ୱର

467

କନକ ବ୍ୟୁରୋ : ବିଜେଡି ଟିକେଟ ପାଇଁ ଏବେ ନବୀନ ନିବାସରେ ପ୍ରବଳ ଭିଡ । ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆଶାୟୀ ପ୍ରାର୍ଥୀ ମାନେ ଆସି ନିଜ ସପକ୍ଷରେ ଲବି କରୁଥିବା ବେଳେ କାହାକୁ ଟିକେଟ ମିଳିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବିଜେଡି ଟିକେଟରେ ପ୍ରାର୍ଥୀ ହେବାକୁ ଆଶାୟୀ ଅଧିକ ଥିବା ବେଳେ ଅନ୍ୟ ଦଳରୁ ମଧ୍ୟ ଟିକେଟ ଆଶାରେ ଅନେକ ନେତା ଶଙ୍ଖ ଧରିବାକୁ ପଛାଉନାହାନ୍ତି । କିନ୍ତୁ ଟିକେଟ ଆଶାରେ ନିକଟରେ ବିଜେଡିରେ ଯୋଗ ଦେଇଥିବା ଲୋକଙ୍କୁ ପ୍ରାର୍ଥୀ କରାଇ ନ ଦେବା ଅଭିଯାନକୁ କୁଚିଣ୍ଡା ନିର୍ବାଚନମଣ୍ଡଳୀର ପୁରୁଣା ଦଳୀୟ ଆଶାୟୀମାନେ ଜୋରଦାର କରିଛନ୍ତି। ନିକଟରେ ସେମାନେ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ କହିଥିଲାବେଳେ ମଙ୍ଗଳବାର ନବୀନ ନିବାସ ଗସ୍ତ କରିଛନ୍ତି।

ନବୀନ ନିବାସରେ ଦଳୀୟ କର୍ମୀ ମାନେ ମୁଖ୍ୟମନ୍ତ୍ରୀଙ୍କ ନବନିଯୁକ୍ତ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।ଏହାସହ ସ୍ୱଷ୍ଟ ଭାବେ କହିଛନ୍ତି ଏଥର କୁଚିଣ୍ଡାରେ ବିଜେଡି ଜିତିବା ନିଶ୍ଚିତ  । ଲଗାତାର ପରାଜୟବରଣ କରି ଆସୁଥିବା ଏହି ଆସନରେ ବିଜେଡି ନିଶ୍ଚିତ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । କିନ୍ତୁ ଦଳ ଯଦି ପୁରୁଣା ନେତାଙ୍କ ବଦଳରେ ଅନ୍ୟ ଦଳରୁ ଟିକେଟ ଆଶାରେ ଆସିଥିବା ନେତାଙ୍କୁ ସୁଯୋଗ ଦିଏ ତେବେ ସମୀକରଣ କିଛି ଭିନ୍ନ ହେବ ବୋଲି କହିଛନ୍ତି କୁଚିଣ୍ଡାର ବିଜେଡି ନେତା ଓ କର୍ମୀ ।

ଦଳ ବାହାରୁ ଟିକଟ୍ ଆଶାରେ ଆସିଥିବା ପ୍ରାର୍ଥୀଙ୍କୁ ନେଇ ଦଳୀୟ ଆଶାୟୀ ଓ କର୍ମୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସେମାନଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କଲେ ଦଳ ପରାଜିତ ହେବ। ସେମାନେ ମଧ୍ୟ ଦଳରୁ ଓହରିଯିବେ ବୋଲି ଚେତାବନୀ ଦେଇଛନ୍ତି। ତେଣୁ ୨୦ ବର୍ଷ ଧରି ଦଳ ଭିତରେ ଥିବା ଆଶାୟୀଙ୍କ ମଧ୍ୟରୁ ଜଣକୁ ଟିକଟ୍ ଦେଲେ ଏକଜୁଟ ହୋଇ ଲଢ଼ିବେ ଓ ଦଳକୁ ଜିତାଇବେ ବୋଲି ଆଶାୟୀମାନେ ଉଲ୍ଲେଖ କରିଛନ୍ତି।

ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଗତଥରର ବିଜେଡି ପ୍ରାର୍ଥୀ ଭୁବନେଶ୍ବର କିସାନ, ଶ୍ୟାମ ସୁନ୍ଦର ମୁଣ୍ଡା, ମନୋରଂଜନ ଭୋଇ, ମହିନ୍ଦ୍ର ବାଗ ଏବଂ କରୁଣାକର କିସାନ ପ୍ରମୁଖ ପ୍ରମୁଖ ୬ ଜଣ ଆଶାୟୀ ନବୀନ ନିବାସ ଯାଇ ଏହି ଦାବିପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ସହ ବହୁ ସଂଖ୍ୟାରେ ସ୍ଥାନୀୟ ନେତା ଓ କର୍ମୀମାନେ ଥିଲେ। ସେମାନେ ମଧ୍ୟ ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଆଉ କିଛି ଦଳୀୟ ନେତୃବୃନ୍ଦଙ୍କୁ ନବୀନ ନିବାସରେ ଭେଟି ନିଜ ଅଭିଯୋଗ ଜଣାଇଛନ୍ତି।

ସଦ୍ୟ ବିଜେଡିରେ ଯୋଗ ଦେଇଥିବା ବିଜେପି ନେତା କିଶୋର ନାୟକ ଏବଂ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଜୟପାଲ ନାୟକଙ୍କୁ ନେଇ ସ୍ଥାନୀୟ ବିଜେଡି ଆଶାୟୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଦାବିପତ୍ରରେ ସେମାନେ କାହାରି ନାମ ଉଲ୍ଲେଖ କରି ନଥିଲେ ବି ମୁଖ୍ୟତଃ ଏହି ନବାଗତଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରୁଥିବା ଜଣା ପଡ଼ିଛି। ଅନ୍ୟମାନେ ଦଳରେ ଯୋଗ ଦେବାକୁ ସେମାନେ ସ୍ବାଗତ କରୁଛନ୍ତି କିନ୍ତୁ ସେମାନଙ୍କୁ ଟିକଟ୍ ପ୍ରଦାନକୁ ବିରୋଧ କରୁଥିବା ପୁରୁଣା କର୍ମୀ ମହଲରେ ଆଲୋଚନା ହେଉଛି।