ରାଜଧାନୀବାସୀଙ୍କୁ ଆଉ ପାଣି ପିଇବାକୁ ମିଳିବ ନାହିଁ । ଏଭଳି ଏକ ଆଶଙ୍କା ଏବେ ଚିନ୍ତାର କାରଣ ହୋଇଛି । ଏପ୍ରିଲ୍ ମାସରେ କିଛି ସରୁ ଧାରକୁ ଛାଡିଦେଲେ କୁଆଖାଇ ନଦୀ ଶୁଖିଲା ପଡିଛି । ପାଣି ସମସ୍ୟା ଉକ୍ରଟ ହେବାରୁ ବାଲି ବନ୍ଧରେ ପାଣି ଅଟକାଇ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉଛି ରାଜଧାନୀବାସୀଙ୍କୁ । ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ କରି ପାଣି ଅଟକାଇ ଦେବାରୁ ପରିସ୍ଥିତି ସାଂଘାତିକ ହେବାରେ ଲାଗିଛି । ମହାନଦୀ ଓ ଏହାର ଶାଖା ନଦୀରେ ସ୍ୱାଭାବିକ ଜଳପ୍ରବାହ ଠପ୍ ହୋଇଯାଇଛି । ବର୍ଷାଦିନ ଆସିବାକୁ ଆହୁରି ଦୁଇ-ତିନି ମାସ ଥିବାରୁ ପାଣି ପାଇଁ ହାହାକାର ସ୍ଥିତି ଉପୁଜିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମହାନଦୀର ଶାଖା ନଦୀ କୁଆଖାଇର ଦୃଶ୍ୟ, ଯାହାକୁ ଦେଖିଲେ ଆପଣ ଜାଣିପାରିବେ କିଭଳି ଏକ ସାଂଘାତିକ ପରିସ୍ଥିତିର ସାମନା କରିବାକୁ ଯାଉଛନ୍ତି ରାଜଧାନୀବାସୀ । କୁଆଖାଇରୁ ପାଇପ୍ ଯୋଗେଁ ପୂରା ଭୁବନେଶ୍ୱରକୁ ଯୋଗାଇ ଦିଆଯାଇଥାଏ ପାଣି । ଏବେ ପରିସ୍ଥିତି ଏପରି ହୋଇଛି ଯେ ଚୁଆ ଖୋଳି ପାଣିକୁ ବାଲିବନ୍ଧରେ ଅଟକାଇ ଯୋଗାଇବାକୁ ପଡୁଛି ପାଣି । ଏ ନେଇ ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ ମଧ୍ୟ ଉଦବେଗ୍ ପ୍ରକାଶ କରିଛନ୍ତି ।ବର୍ଷା ଦିନ ଆସିବାକୁ ଆହୁରି ଦୁଇ ତିନି ମାସ ବାକି ଅଛିି । ଏପ୍ରିଲ୍ ମାସରେ ଯେପରି ସ୍ଥିତି ଉପୁଜିଛି, ଆଗକୁ କିଭଳି ଅବସ୍ଥା ଉପୁଜିବ ସହଜରେ ଅନୁମାନ କରିହେବ ।
କୁଆଖାଇ ନଦୀ ଉପରେ ନିର୍ଭର କରନ୍ତି ଭୁବନେଶ୍ୱରର ୧୦ ଲକ୍ଷରୁ ଅଧିକ ବାସିନ୍ଦା । ପିଇବା ପାଣି ଠାରୁ ଆରମ୍ଭ କରି ରାଜଧାନୀବାସୀଙ୍କ ଦୈନନ୍ଦିନ ପାଣିର ଆବଶ୍ୟକତାକୁ ମେଂଟାଇବା ପାଇଁ ଏବେ କୁଆଖାଇ ଅସମର୍ଥ । କିଛି ପାଣି ଦୟା କେନାଲରୁ ଓ ଆଉ କିଛି ପାଣି ମୁଣ୍ଡୁଳୀରୁ ପାଇପ୍୍ ଯୋଗେ ଅଣାଯାଇ ଅଭାବ ଭରଣା କରାଯାଉଛି । ତାହା ମଧ୍ୟ କେତେ ଦିନ କରାଯାଇ ପାରିବ, ସେଥିରେ ମଧ୍ୟ ସନ୍ଦେହ ରହିଛି ।
ଦିନକୁ ଦିନ ରାଜଧାନୀରେ ଲୋକସଂଖ୍ୟା ବଢୁଥିବା ବେଳେ ଏବେ ପାଣିର ସଂକଟ ଉକ୍ରଟ ହେବାରେ ଲାଗିଛି । ମହାନଦୀ ପାଣିକୁ ବଡ଼ ବଡ଼ ବ୍ୟାରେଜ୍ କରି ଛତିଶଗଡ଼ ଅଟକାଇ ଥିବାରୁ ଅଣମୌସୁମୀ ସମୟରେ ପାଣିର ସ୍ୱାଭାବିକ ପ୍ରବାହ ଠପ୍ ହୋଇଯାଇଛି । ଛତିଶଗଡ଼ରୁ ପାଣି ଆସୁନଥିବାରୁ ହୀରାକୁଦ ଜଳସ୍ତର କମିବାରେ ଲାଗିଛି । ହୀରାକୁଦ ମଧ୍ୟ ନଈ ଧାରକୁ ଯେତିକି ପାଣି ଛାଡିବା କଥା ଛାଡିପାରୁନାହିଁ । ଫଳରେ କୁଆଖାଇକୁ ଆଉ ମହାନଦୀର ସ୍ୱାଭାବିକ ପ୍ରବାହ ହେଉନାହିଁ । ଦୁଇ ଫୁଟ ତଳେ ଥିବା କାଠଯୋଡିର ଝରପାଣି ଉପରେ ନିର୍ଭର କରୁଛି କୁଆଖାଇ ।
କେବଳ କୁଆଖାଇ ନଈର ଏହି ଅବସ୍ଥା ହୋଇନାହିଁ । ବ୍ୟାରେଜ୍ ନିର୍ମାଣ କରି ଛତିଶଗଡ଼ ପାଣି ଅଟକାଇବା ପରେ ମହାନଦୀ ଓ ଏହାର ଶାଖା ନଦୀ ଉପରେ ନିର୍ଭର କରୁଥିବା ଓଡ଼ିଶାର ୧୫ଟି ଜିଲ୍ଲାରେ ଉକ୍ରଟ ଜଳ ସମସ୍ୟା ସୃଷ୍ଟି ହୋଇଛି । ଜଳ ବିଦ୍ୟୁତଠାରୁ କୃଷି କ୍ଷେତ୍ର ପର୍ଯ୍ୟନ୍ତ ସବୁଠି ପଡିଯାଇଛି ଭାଲେଣୀ ।