କୋରାପୁଟ ପାଇଁ ବଳ କଷାକଷି! କଂଗ୍ରେସ ପାଇଁ କୃ୍ଷ୍ଣ କଣ୍ଟା, ବିଜେଡିକୁ ବିପଦ ଅଧ ଡଜନେ ଆଶାୟୀ । ବିଜେପିରେ କର୍ମୀ କମ ନେତା ଅଧିକ

199

କନକ ବ୍ୟୁରୋ: କୋରାପୁଟ ବିଧାନସଭା ଆସନକୁ ନେଇ ଦିନକୁ ଦିନ ବଢିଚାଲିଛି କନଫ୍ୟୁଜନ୍ । ୨୦୧୪ରେ ଏଠାରେ କଂଗ୍ରେସ ବାଜି ମାରିଥିବା ବେଳେ କୃଷ୍ଣ ସଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ସହ କଂଗ୍ରେସରୁ ବିଦା ହେବା ପରେ ଚଳିତଥର କୋରାପୁଟ ରାଜନୀତି ଅଡୁଆ ସୂତା ଭଳି ରହିଛି । କଂଗ୍ରେସ ପାଇଁ କୃଷ୍ଣ କଣ୍ଟା ସାଜିଥିବା ବେଳେ ବିଜେଡି ପାଇଁ ଆଶାୟୀ ପ୍ରାର୍ଥୀ ଚିନ୍ତାର କାରଣ ପାଲଟିଛି । ସେହିଭଳି ବିଜେପିର ନେତା ଯେତିକି, ଗୋଷ୍ଠୀ ମଧ୍ୟ ସେତିକି । ତେଣୁ ଏଭଳି ସ୍ଥିତିରେ କେଉଁ ଦଳ ଏଠାରେ ବିଜୟ ବାନା ଉଡାଇବ ତାହାକୁ ନେଇ କନଫ୍ୟୁଜନ ଦେଖାଦେଇଛି ।

କୋରାପୁଟ ଆସନଟି ଅନୁସୂଚିତ ଜାତିଙ୍କ ପାଇଁ ୨୦୦୯ରେ ସଂରକ୍ଷିତ ହୋଇଥିଲା। ଆଉ ଦୀର୍ଘ ବର୍ଷ ପରେ କୋରାପୁଟ ବିଧାନସଭା ରାଜନୀତି କଡ଼ ଲେଉଟାଇଥିଲା। ସେହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ରଘୁରାମ ପଡାଲ ବିଜୟୀ ହୋଇଥିଲା। ତେବେ ଏହି ସଫଳତାକୁ ୨୦୧୪ରେ ଦୋହରାଇବାରେ ବିଫଳ ହୋଇଥିଲା ଦଳ। ଏହି ନିର୍ବାଚନରେ କୃଷ୍ଣଚନ୍ଦ୍ର ସଗରିଆ ଜିତି ପୁଣି କଂଗ୍ରେସ ରାଜ ଆରମ୍ଭ କରିଥିଲେ। ୨୦୦୪ ଓ ୨୦୦୦ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ଲଗାତାର ବିଜୟୀ ହୋଇଥିଲେ।

ପୂର୍ବରୁ କୋରାପୁଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଓ ବିଜେଡି ମଧ୍ୟରେ ବିଗ୍ ଫାଇଟ ଦେଖିବାକୁ ମିଳିଛି । ତେବେ ବିଜେଡି କେବଳ ଥରେମାତ୍ର ଏହି ଲଢେଇରେ ବାଜି ମାରିଥିବା କଂଗ୍ରେସ ଏଠାରେ ୭ ଥର ବିଜୟୀ ହେବା ସହ ଏହାକୁ ଗଡ କରି ରଖିଛି । କିନ୍ତୁ ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ଦଳରୁ ବିଦା ହେବା ପରେ କଂଗ୍ରେସ ପାଇଁ ଏଠାରେ କମବ୍ୟାକ୍ କରିବା କଷ୍ଟକର ହୋଇପଡିଛି । ଏହାଛଡା ଆଭ୍ୟନ୍ତରୀଣ ବିବାଦ ଓ ଗୋଷ୍ଠୀ କନ୍ଦଳ ପାଇଁ କଂଗ୍ରେସ ପୁଣିଥରେ ବ୍ୟାକଫୁଟକୁ ଠେଲି ହୋଇଯାଇଛି । କିନ୍ତୁ ଦଳର ଏଠାରେ ପାରମ୍ପରିକ ଭୋଟ ରହିଥିବାରୁ ଦଳ ପୁଣିଥରେ ବିଜୟ ବାନା ଉଡାଇବାକୁ ଅଣ୍ଟା ଭିଡିଛି । ତେବେ ଦଳର ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ଆଶାୟୀ ପ୍ରାର୍ଥୀ ।

କଂଗ୍ରେସରୁ କୃଷ୍ଣ ବିଦା ହେବା ପରେ ପୂର୍ବତନ ବିଧାୟକ ନିମାଇଁ ସରକାର, ରମେଶ ବାଖିଆ, ଶ୍ରମିକ ନେତା କୃଷ୍ଣ କୁଳଦୀପ, ଟୋନେଜ କୁଳଦୀପ ଓ ଯୁବନେତା ବାସୁଦେବ କୁଳଦୀପ ଟିକେଟ ଆଶାୟୀ ରେସରେ ରହିଛନ୍ତି । ତେବେ ସିଇସି କମିଟିକୁ ନିମାଇଁ ସରକାର ଓ ରମେଶ ବାଖିଆଙ୍କ ନାଁ ଯାଇଥିବା ଚର୍ଚ୍ଚା ହେଉଛି । ତେଣୁ କଂଗ୍ରେସ ପାଇଁ ଟିକେଟ ପାଇବାରୁ ବଞ୍ଚିତ ପ୍ରାର୍ଥୀ ଅଡୁଆ ସୃଷ୍ଟି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

୨୦୦୯ ନିର୍ବାଚନକୁ ବାଦ୍ ଦେଲେ ଏହି ବିଧାନସଭା କ୍ଷେତ୍ରରେ ୨୦୦୦ ପରଠାରୁ ବିଜେଡି ଆଶାତୀତ ସଫଳତା ପାଇନଥିଲେ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନରେ ଦଳକୁ ମିଳିଥିଲା ଜବରଦସ୍ତ ସଫଳତା । କଂଗ୍ରେସର ଶକ୍ତି ହ୍ରାସ ହେଉଥିବା ବେଳେ ବିଜେଡି ପୁଣିଥରେ ନିଜର ସଙ୍ଗଠନକୁ ଶକ୍ତିଶାଳୀ କରିଛି । ଗତ ପଞ୍ଚାୟତ ନିର୍ବାଚନରେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୫ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେଣୁ ବିଜେଡି ଶିବିର ଉତ୍ସାହିତ ହୋଇ ପଡିଛି। ତେଣୁ ସ୍ବାଭାବିକ ଭାବେ ଦଳରେ ଆଶାୟୀ ବଢି ଯାଇଛନ୍ତି। ପୂର୍ବତନ ବିଧାୟକ ରଘୁରାମ ପଡାଲ, କିଟରେ ଆସିଷ୍ଟାଣ୍ଡ ପ୍ରଫେସର ଥିବା ଇଶ୍ବର ନାୟକ. ଯୁବ ନେତା ଲଲାଟ ରଂଜନ ସେଠୀ ଓ ଗତଥରର ପ୍ରାର୍ଥୀ ରଘୁରାମ ମାଛ ଆଗରେ ଥିବା ଚର୍ଚ୍ଚା ହେଉଛି। ସେହିପରି ଯୁବନେତା ଭରତ ମଲ୍ଲିକ, ଭାଗିରଥୀ ପାଟନିଆ, ଶଙ୍କର ପ୍ରସାଦ ଦୁରିଆ, ବିନୋଦ ନାୟକ ମଧ୍ୟ ଟିକେଟ ଆଶାରେ ଲବି ଚଳାଇଛନ୍ତି। ଅଧିକ ଆଶାୟୀ ଥିବାରୁ ବିଜେଡି ପାଇଁ ଅଡୁଆ ହେବ ବୋଲି ଅନୁମାନ କରାଯାଉଥିଲାବେଳେ ଏହାକୁ ମ୍ୟାନେଜ କରିବା ଦଳ ପାଇଁ ବଡ ଆହ୍ବାନ ରହିବ।

ଅନ୍ୟପଟେ ବିଜେପି ବି କଡା ମୁକାବିଲା କରିବାକୁ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡିଛି। ଭେଟେରାନ ନେତା ଜୟରାମ ପାଙ୍ଗୀ ବିଜେପିରେ ମିଶିବା ପରେ ଦଳର ଶକ୍ତି ବି ବଢିଛି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ଚେଷ୍ଟା ଚଳାଇଛି। ହେଲେ ଦଳର ନେତାମାନେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ରହିଥିବାରୁ ଏହା ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି। ଏହି ନିର୍ବାଚନମଣ୍ଡଳୀ ପାଇଁ ଗତଥରର ପ୍ରାର୍ଥୀ ଜୟରାମ ଗରଡାଙ୍କ ସମେତ ଏଥର ବହୁ ନୂଆ ନେତାଙ୍କ ନାମ ଆଶାୟୀ ତାଲିକାରେ ଯୋଡି ହୋଇଛି। ସେମାନଙ୍କ ଭିତରେ ଅଛନ୍ତି ନଗର ସଭାପତି ଜି.ସଂଜୀବ କୁମାର, ଜିଲ୍ଲା ଉପସଭାପତି ପୂର୍ଣ୍ଣିମା ନାୟକ, ଯୁବ ନେତା ହରି ଖେମୁଣ୍ଡୁ, ଆଇନଜୀବୀ ନୃପେନ୍ଦ୍ର ବାଘ ପ୍ରମୁଖ।

ଏମାନଙ୍କୁ ବାଦ୍ ଦେଲେ ପୂର୍ବତନ ବିଧାୟକ କୃଷ୍ଣ ସଗରିଆ କଂଗ୍ରେସରୁ ବିଦା ହେବା ପରେ ହାତୀ ପିଠିରେ ବସି ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା ଚଳାଇଛନ୍ତି । ତେବେ କୃଷ୍ଣଙ୍କ ପକେଟ ଭୋଟ ଚଳିତ ନିର୍ବାଚନରେ ବଡ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି । ଏଭଳି ରାଜନୈତିକ ଅଙ୍କକଷା ମଧ୍ୟରେ କୋରାପୁଟ ଦଖଲ କରିବା କୃଷ୍ଣଙ୍କ ସମେତ ୩ ପ୍ରମୁଖ ଦଳ ପାଇଁ ଏସିଡ ଟେଷ୍ଟ ହେବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇ ଯାଇଛି ।